ତଳଗୋପବିନ୍ଧାରେ ଜଗନ୍ନାଥଙ୍କର ଷଷ୍ଠ ବାର୍ଷିକ ଉତ୍ସବ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ତଳଗୋପବିନ୍ଧା ପଞ୍ଚାୟତ ଖଟୁଆସାହି ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଷଷ୍ଠ ବାର୍ଷିକ ଉତ୍ସବ ତିନି ଦିନ ଧରି ମହାସମାରୋହରେ ପାଳିତ ହୋଇ ଯାଇଛି । ପ୍ରଥମ ଦିନରେ ଅଧିବାସ ପାଳନ କରାଯାଇଥିବା ବେଳେ ଦ୍ୱିତୀୟ ଦିନରେ ୧୫୧ ଜଣ ମହିଳା ଓ ପୁରୁଷ ଏକ ଶୋଭାଯାତ୍ରାରେ ଯାଇ ସାଳନ୍ଦୀ ନଦୀରେ କଳସ ବୁଡ଼ାଯାଇଥିଲା । ତୃତୀୟ ଦିନରେ ପୂର୍ଣ୍ଣାହୁତି ହୋଇଥିଲା । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅବସରରେ ସନ୍ଧ୍ୟାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଡାକ୍ତର ସୁଧାକର ଖଟୁଆ ପୌରୋହିତ୍ୟ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟାପକ ପ୍ରଶାନ୍ତ କୁମାର ନାୟକ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ହେମନ୍ତ କୁମାର ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ସରପଞ୍ଚ ସଂଜୀବ ବେହେରା ପ୍ରମୁଖ ଯୋଗ ଦେଇ ଜଗନ୍ନାଥ ସଂସ୍କୃତି ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଡା ସୁଧାକର ଖଟୁଆଙ୍କ ଜଗନ୍ନାଥ ସଂସ୍କୃତି ଓ ତତ୍ତ୍ୱ ଉପରେ ଆଧାରିତ ଆଧ୍ୟାତ୍ମିକ ପୁସ୍ତକ ‘ମଣିମା’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ପୂଜା କାର୍ଯ୍ୟରେ କର୍ତ୍ତା ଭାବେ ଡା. ଖଟୁଆ କାର୍ଯ୍ୟ ସମ୍ପନ୍ନ କରିଥିଲେ । ଶେଷରେ ସୁରେନ୍ଦ୍ର କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା ।