ଆଇପିଏଲ-୨୦୨୩ : ଦିଲ୍ଲୀକୁ ୫୭ ରନରେ ହରାଇ ଦ୍ଵିତୀୟ ବିଜୟ ହାସଲ କଲା ରାଜସ୍ଥାନ
ମୁମ୍ବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୩ର ୧୧ତମ ମ୍ୟାଚରେ ଶନିବାର ମୁହାଁମୁହିଁ ହୋଇଥିଲେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ। ଦିଲ୍ଲୀ କ୍ୟାପିଟାଲ୍ସର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଥିବା ବେଳେ ସହଜ ବିଜୟ ହାସଲ କରିଛି ରାଜସ୍ଥାନ । ବ୍ୟାଟିଂ ଏବଂ ବୋଲିଂରେ ଫ୍ଲପ୍ ହୋଇ କ୍ରମାଗତ ତୃତୀୟ ପରାଜୟ ବରଣ କରିଛି । ରାଜସ୍ଥାନ ରୟାଲ୍ସ ଏହି ମ୍ୟାଚରେ ଦିଲ୍ଲୀକୁ ୫୭ ରନରେ ହରାଇ ଦ୍ଵିତୀୟ ବିଜୟ ହାସଲ କରିଛି ।
ଗୁଆହାଟୀର ବର୍ସାପାରା କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ୪ ଓ୍ଵିକେଟ୍ ହରାଇ ୧୯୯ ରନ କରିଥିଲା। ଧାର୍ଯ୍ୟ ୨୦୦ ରନ ଲକ୍ଷ୍ୟର ପିଛା କରି ଡିସି ୨୦ ଓଭରରେ ୯ ଓ୍ବିକେଟରେ ୧୪୨ ରନ କରିଥିଲା।
ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ରାଜସ୍ଥାନ ପକ୍ଷରୁ ବ୍ୟାଟିଂ ଓପନ କରିଥିବା ଜୟସ୍ବାଲ ଓ ବଟଲର ଆରମ୍ଭରୁ ହିଁ ଆତସି ବ୍ୟାଟିଂ ଆରମ୍ଭ କରିଦେଇଥିଲେ । ଖଲିଲ ଅହମ୍ମଦଙ୍କ ପ୍ରଥମ ଓଭରରେ ଜୟସ୍ବାଲ ୫ଟି ଚୌକା ମାରି ୨୦ ରନ ସଂଗ୍ରହ କରିଥିଲେ । ଉଭୟ ବ୍ୟାଟ୍ସମ୍ୟାନ ପ୍ରଥମ ଓ୍ବିକେଟ ଯୋଡ଼ିରେ ୯୮ରନ ଯୋଗ କରିଥିଲେ । ଜୟସ୍ବାଲ ୬୦ରନ କରି ଆଉଟ ହୋଇଥିବାବେଳେ ବଟଲର ନିଜର ବ୍ୟାଟିଂ ଜାରି ରଖି ୭୯ରନ କରିଥିଲେ । ଶେଷ ବେଳକୁ ସିମରନ ହେଟମେୟର ମଧ୍ୟ ବିସ୍ଫୋରକ ବ୍ୟାଟିଂ କରି ୩୯ରନ କରିଥିଲେ । ତେବେ ଅଧିନାୟକ ସଂଜୁ ସାମସନ ଓ ରିୟାନ ପରାଗ ବିଫଳ ହୋଇଥିଲେ । ଦିଲ୍ଲୀ ପକ୍ଷରୁ ମୁକେଶ କୁମାର ୨ଟି ଓ୍ବିକେଟ ନେଇଥିବାବେଳେ କୁଳଦୀପ ଯାଦବ ଓ ରଭମାନ ପାଓ୍ବେଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
ରାଜସ୍ଥାନ ଦ୍ବାରା ରଖାଯାଇଥିବା ୨୦୦ ରନର ଟାର୍ଗେଟର ଜବାବରେ ଦିଲ୍ଲୀ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୪୨ରନ କରିପାରିଥିଲା । ଦଳ ପକ୍ଷରୁ ଅଧିନାୟକ ଡେଭିଡ୍ ଓ୍ବାର୍ନର ସର୍ବାଧିକ ୬୫ରନ କରିଥିବାବେଳେ ଲଲିତ ଯାଦବ ୩୮ ଓ ରିଲସ ରସୋ ୧୪ ରନ କରିଥିଲେ । ମାତ୍ର ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ କରିପାରି ନ ଥିଲେ। ପ୍ରଥମରୁ ଡିସିର ବ୍ୟାଟିଂ ଲାଇନ ବିପର୍ଯ୍ୟସ୍ତ ହୋଇ ପଡିଥିଲା। ରାଜସ୍ଥାନ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ଏବଂ ୟୁଜବେନ୍ଦ୍ର ଚହଲ ୩ଟି ଲେଖାଏଁ ଓ୍ଵିକେଟ୍ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ଵିନ ଦୁଇଟି ଓ୍ଵିକେଟ୍ ନେଇଥିଲେ।