ଆଇପିଏଲ-୨୦୨୩ : ମୁମ୍ବାଇକୁ ୭ ଓ୍ଵିକେଟ୍ରେ ହରାଇଲା ଚେନ୍ନାଇ
ଓ୍ଵାଙ୍ଖେଡେ : ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୩ର ୧୨ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୭ ୱିକେଟରେ ହରାଇଲା ଚେନ୍ନାଇ ସୁପର କିଙ୍ଗ୍ସ । ମୁମ୍ବାଇକୁ ତାରି ମାଟିରେ ଧୂଳି ଚଟାଇଲା ଚେନ୍ନାଇ । ବୋଲରଙ୍କ ପରେ ଆଜିଙ୍କ୍ୟ ରାହାଣେଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସାହାଯ୍ୟରେ ମୁମ୍ବାଇକୁ ସହଜରେ ପରାସ୍ତ କରି ଚଳିତ ଆଇପିଏଲରେ ଦ୍ଵିତୀୟ ବିଜୟ ହାସଲ କରିଛି ଚେନ୍ନାଇ। ଅନ୍ୟପଟେ ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ କ୍ରମାଗତ ଦ୍ଵିତୀୟ ପରାଜୟ ଭୋଗିଛି । ବିଜୟ ସହ ଚେନ୍ନାଇ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଥିବା ବେଳେ ପରାଜୟ ସତ୍ତ୍ଵେ ମୁମ୍ବାଇ ଅଷ୍ଟମ ସ୍ଥାନରେ ରହିଛି ।
ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୫୭ ରନ କରିଥିଲା। ଇଶାନ କିଷନ ୩୨ ରନ ଏବଂ ଟିମ୍ ଡେଭିଡ୍ଙ୍କ ୩୧ ରନ କରିଥିଲେ। ରୋହିତ ଶର୍ମା ୨୧ ଏବଂ ତିଳକ ବର୍ମା ୨୨ ରନ କରିଥିଲେ। ଜବାବରେ ଚେନ୍ନାଇ ସୁପରକିଙ୍ଗ୍ସ ଆଜିଙ୍କ୍ୟ ରାହାଣେଙ୍କ ୬୧ ରନର ବିସ୍ଫୋରକ ଇନିଂସ ବଳରେ ୧୮.୧ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଋତୁରାଜ ଗାଏକଓ୍ଵାଡ ୪୦ ରନ ଏବଂ ଅମ୍ବତି ରାୟୁଡୁ ୨୦ ରନ କରି ଅପରାଜିତ ଥିଲେ। ବୋଲିଂରେ ଚେନ୍ନାଇ ପକ୍ଷରୁ ରବୀନ୍ଦ୍ର ଜାଦେଜା ୩ଟି ଓ୍ବିକେଟ ନେଇଥିବାବେଳେ ମିଚେଲ ସାଣ୍ଟନର ଓ ତୁଷାର ଦେଶପାଣ୍ଡେ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସିସାଣ୍ଡା ମାଗଲା ୧ଟି ଓ୍ବିକେଟ ନେଇଥିଲେ ।
୧୫୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଚେନ୍ନାଇ ଖାତା ଖୋଲିବା ପୂର୍ବରୁ ଡେଭନ କନଓ୍ଵେଙ୍କ ଓ୍ଵିକେଟ୍ ହରାଇଥିଲା। ଏହା ପରେ ଋତୁରାଜ ଗାଏକଓ୍ଵାଡ ଏବଂ ଆଜିଙ୍କ୍ୟ ରାହାଣେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ବିଶେଷ କରି ଆଜିଙ୍କ୍ୟ ରାହାଣେଙ୍କୁ ଆଜି ଭିନ୍ନ ଅବତାରରେ ଦେଖିବାକୁ ମିଳିଥିଲା। ଅର୍ସଦ ଖାନଙ୍କ ଗୋଟିଏ ଓଭରରେ ୨୩ ରନ ସଂଗ୍ରହ କରି ମ୍ୟାଚ୍ର ମଙ୍ଗ ମୋଡିଥିଲେ ରାହାଣେ। ସେ ଋତୁରାଜଙ୍କ ସହ ମିଶି ଦ୍ଵିତୀୟ ଓ୍ଵିକେଟ୍ରେ ୮୨ ରନ ଯୋଡି ବିଜୟ ସୁନିଶ୍ଚିତ କରିଥିଲେ। ରାହାଣେ ଅର୍ଦ୍ଧଶତକ ହାସଲ କରିବା ସହ ମାତ୍ର ୨୭ ବଲ୍ରେ ୭ ଚୌକା ଏବଂ ୩ ଛକା ସହାୟତାରେ ୬୧ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ। ତାଙ୍କ ପରେ ଶିବମ ଦୁବେ ୨୮ ରନ କରିଥିଲେ। ଏହା ପରେ ଋତୁରାଜ ୪୦ ରନ ଏବଂ ଅମ୍ବତି ରାୟୁଡୁ ବ୍ୟକ୍ତିଗତ ୨୦ ରନ ଅପରାଜିତ ରହି ମ୍ୟାଚ୍ ଜିତାଇଥିଲେ। ୧୮.୧ ଓଭରରେ ଚେନ୍ନାଇ ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ମୁମ୍ବାଇ ଇଣ୍ଡିଆନ୍ସର ଜାସନ ବେହେରେନଡ୍ରଫ ଗୋଟିଏ, ପିୟୁସ ଚାୱାଲା ଗୋଟିଏ ଓ କୁମାର କାର୍ତ୍ତିକେୟ ଗୋଟିଏ ୱିକେଟ ନେଇଥିଲେ।