ଆଇପିଏଲ-୨୦୨୩ : ଗ୍ରୀନ ଏବଂ ସୂର୍ଯ୍ୟଙ୍କ ଅର୍ଦ୍ଧଶତକ ବୃଥା, ୧୩ ରନରେ ଜିତିଲା ପଞ୍ଜାବ
![](https://thetruths.in/wp-content/uploads/2023/04/MI-vs-PBKS.jpg)
ମୁମ୍ବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)-୨୦୨୩ର ୩୧ତମ ମ୍ୟାଚରେ ଶନିବାର ଶେଷ ପର୍ଯ୍ୟନ୍ତ ଲଢି ହାରିଲା ମୁମ୍ବାଇ ଇଣ୍ଡିଆନ୍ସ । ୨୦ତମ ଓଭରରେ ନିଜର ଘାତକ ୟର୍କର ବୋଲିଂ ବଲ୍ରେ ପଞ୍ଜାବ କିଙ୍ଗ୍ସକୁ ଆକର୍ଷକ ବିଜୟ ଦେଇଛନ୍ତି ଅର୍ଶଦୀପ ସିଂ। ଆଉ ମ୍ୟାଚ୍କୁ ୧୩ ରନରେ ଜିତି ନେଇଛି ପଞ୍ଜାବ। ଫଳରେ କ୍ୟାମେରୁନ ଗ୍ରୀନ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବ୍ୟର୍ଥ ହୋଇଛି। ଏଥହିସହ ସପ୍ତମ ମ୍ୟାଚ୍ରୁ ପଞ୍ଜାବ ଚତୁର୍ଥ ବିଜୟ ହାସଲ କରିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ କ୍ରମାଗତ ତୃତୀୟ ବିଜୟ ପରେ ପରାଜୟ ଭୋଗିଛି।
ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ଦଳ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୨୧୪ ରନ କରିଥିଲା। ଅଧିନାୟକ ସାମ କୁରନ ୫୫ ରନର ବିସ୍ଫୋରକ ଇନିଂସ ଖେଳିଥିବା ବେଳେ ହରପ୍ରୀତ ସିଂ ଭାଟ୍ଟିଆ ୪୧ ରନ କରିଥିଲେ। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମେରୁନ ଗ୍ରୀନଙ୍କ ୬୭, ସୂର୍ଯ୍ୟକୁମାର ଯାଦବଙ୍କ ୫୭ ରନ ଏବଂ ରୋହିତ ଶର୍ମାଙ୍କ ୪୪ ରନ ବଳରେ ୬ ଓ୍ଵିକେଟ୍ ହରାଇ ୨୦୧ ରନ କରିବାକୁ ସକ୍ଷମ ହୋଇଥିଲା। ଅର୍ଶଦୀପ ସିଂ ୨୯ ରନରେ ୪ ଓ୍ଵିକେଟ୍ ନେଇ ଦଳକୁ ବିଜୟୀ କରାଇଛନ୍ତି। ଜିତେଶ ଶର୍ମାଙ୍କ ୭ ବଲ୍ରୁ ୪ ଛକା ସହ ୨୫ ରନ ମ୍ୟାଚ୍ର ଟର୍ଣ୍ଣିଂ ପଏଣ୍ଟ ଥିଲା।
ମ୍ୟାଚରେ ମୁମ୍ବାଇ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୨୧୪ ରନ କରିଥିଲା । ଦଳ ପକ୍ଷରୁ ସାମ କୁରାନ ୫୫ରନ କରିଥିବାବେଳେ ହରପ୍ରିତ ସିଂ ଭାଟିଆ ୪୧ରନ କରିଥିଲେ । ସେହିପରି ପ୍ରଭସିମରନ ସିଂ ୨୬ରନ ଓ ଅଥର୍ବ ଟାଇଡ୍ ୨୯ରନ କରିଥିଲେ । ଶେଷ ଓଭର ଜିତେଶ ଶର୍ମା ମାତ୍ର ୭ଟି ବଲରୁ ୪ଟି ଛକା ସହାୟତାରେ ୨୫ରନ କରି ଦଳୀୟ ସ୍କୋରକୁ ୨୦୦ ଟପାଇବାରେ ସହାୟକ ହୋଇଥିଲେ । ମୁମ୍ବାଇ ପକ୍ଷରୁ କାମରୁନ ଗ୍ରୀନ ଓ ପିୟୁଷ ଚାଓ୍ବଲା ୨ଟି ଲେଖାଏଁ ଓ୍ବିକେଟ୍ ନେଇଥିଲେ । ସେହିପରି ଅର୍ଜୁନ ତେନ୍ଦୁଲକର, ଜାସନ ବେହରେନଡ୍ରଫ ଓ ଜୋଫ୍ରା ଆର୍ଚର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
୨୧୫ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ଦ୍ଵିତୀୟ ଓଭରରେ ଝଟକା ଲାଗିଥିଲା। ଇଶାନ କିଷନ(୧) ଶୀଘ୍ର ଆଉଟ୍ ହୋଇଥିଲେ। ଏହା ପରେ ଅଧିନାୟକ ରୋହିତ ଶର୍ମା ଏବଂ କ୍ୟାମେରୁନ ଗ୍ରୀନ ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ। ଦୁଇ ବ୍ୟାଟର ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୭୮ ରନ ଯୋଡି ଦଳ ବିଜୟ ପାଇଁ ମୂଳଦୁଆ ପକାଇଥିଲେ। ରୋହିତ ଶର୍ମା ବିସ୍ଫୋରକ ବ୍ୟାଟିଂ କରି ୨୭ ବଲ୍ରୁ ୪ ଚୌକା ଏବଂ ୩ ଛକା ସହ ୪୪ ରନ କରି ଆଉଟ୍ ହୋଇଥିଲେ। ତାଙ୍କ ସ୍ଥାନରେ ବ୍ୟାଟିଂ କରିଥିବା ଆସିଥିବା ସୂର୍ଯ୍ୟକୁମାର ଯାଦବ କ୍ରିଜକୁ ଆସିବା ମାତ୍ରେ ଧୂଆଁଧାର ବ୍ୟାଟିଂ କରିଥିଲେ। ଉଭୟ ତୃତୀୟ ଓ୍ଵିକେଟ୍ରେ ୭୫ ରନ ଯୋଡି ଦଳୀୟ ସ୍କୋରକୁ ୧୫୯ ରନରେ ପହଞ୍ଚାଇଥିଲେ। ଗ୍ରୀନ ଆଉ ଏକ ଅର୍ଦ୍ଧଶତକୀୟ ଇନିଂସ ଖେଳିବା ସହ ୪୩ ବଲରୁ ୬ ଚୌକା ଏବଂ ୩ ଛକା ସହ ୬୭ ରନ କରି ପାଭିଲିୟନ ଫେରିଥିଲେ। ଅନ୍ୟପଟେ ସୂର୍ଯ୍ୟକୁମାର ଯାଦବ ଦମଦାର ଷ୍ଟାଇଲ୍ରେ ଚଳିତ ଆଇପିଏଲ୍ରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ସୂର୍ଯ୍ୟକୁମାର ଆଉଟ୍ ହେବା ମୁମ୍ବାଇକୁ ବଡ ଝଟକା ଲାଗିଥିଲା। ସୂର୍ଯ୍ୟ ମାତ୍ର ୨୬ ବଲ୍ ଖେଳି ୭ ଚୌକା ଏବଂ ୩ ଛକା ସହାୟତାରେ ୫୭ ରନ କରିଥିଲେ। ସୂର୍ଯ୍ୟକୁମାରଙ୍କ ଆଉଟ୍ ପରେ ଟିମ୍ ଡେଭିଡ୍ ଦ୍ରୁତ ବ୍ୟାଟିଂ କରିଥିଲେ ହେଁ ଅର୍ଶଦୀପ ସିଂଙ୍କ ଶେଷ ଓଭର ମ୍ୟାଚ୍ର ଗତିପଥ ବଦଳାଇ ଦେଇଥିଲା। ଶେଷ ଓଭରରେ ମୁମ୍ବାଇକୁ ଜିତିବା ପାଇଁ ୧୮ ରନ ଦରକାର ଥିଲେ ହେଁ ଅର୍ଶଦୀପ ମାତ୍ର ୪ ରନ ଦେଇ ୨ଟି ଓ୍ଵିକେଟ୍ ନେଇ ପଞ୍ଜାବକୁ ୧୩ ରନରେ ଜିତାଇଛନ୍ତି। ମୁମ୍ବାଇ ୬ ଓ୍ଵିକେଟ୍ ହରାଇ ୨୦୧ ରନରେ ସୀମିତ ରହିଥିଲା।