ଆଇପିଏଲ-୨୦୨୩ : ମୋଇନ ଅଲିଙ୍କ ଘାତକ ବୋଲିଂରେ ଲକ୍ଷ୍ନୌ ଧରାଶାୟୀ, ୧୨ ରନରେ ଜିତିଲା ଚେନ୍ନାଇ
![](https://thetruths.in/wp-content/uploads/2023/04/CSK-vs-LSG-1.jpg)
ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)-୨୦୨୩ର ସୋମବାର ଷଷ୍ଠ ମ୍ୟାଚରେ ମୋଇନ ଅଲିଙ୍କ ଘାତକ ବୋଲିଂରେ ଧରାଶାୟୀ ହେଲେ ଲକ୍ଷ୍ନୌ ଖେଳାଳି । ଫଳରେ ୧୨ ରନରେ ଜିତିଲା ଚେନ୍ନାଇ । ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ସିଏସକେ ଘରୋଇ ଗ୍ରାଉଣ୍ଡରେ ସିଜନର ପ୍ରଥମ ମ୍ୟାଚ୍ ଖେଳି ବିଜୟ ହାସଲ କରିଛି । ସେହିପରି ପ୍ରଥମ ମ୍ୟାଚରେ ଜିତିଥିବା ଲକ୍ଷ୍ନୌ ଦ୍ଵିତୀୟ ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଛି ।
ଦୀର୍ଘ ୪ ବର୍ଷ ପରେ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଛି ଆଇପିଏଲ୍ ମ୍ୟାଚ୍ । ଏଥିରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମୁହାଁମୁହିଁ ହୋଇଥିଲେ । ଚିଦାମ୍ବରମ ଷ୍ଟାଡିୟମରେ ଟସ୍ ଜିତି ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ସିଏସକେ ବ୍ୟାଟର ଋତୁରାଜ ଗାଏକଓ୍ଵାର୍ଡଙ୍କ ଆଉ ଏକ ବିସ୍ଫୋରକ ୫୭ ରନର ଅର୍ଦ୍ଧଶତକୀୟ ଇନିଂସ ଏବଂ ଡେଭନ କନଓ୍ଵେଙ୍କ ୪୭ ରନ ବଳରେ ଚେନ୍ନାଇ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୨୧୭ ରନ କରିଛି। କ୍ରମାଗତ ଦ୍ଵିତୀୟ ମ୍ୟାଚ୍ ଜିତିବା ପାଇଁ ଲକ୍ଷ୍ନୌ ସମ୍ମୁଖରେ ରହିଛି ୨୧୮ ରନର ବିଶାଳ ବିଜୟ ଲକ୍ଷ୍ୟ। ଅମ୍ବାତି ରାୟୁଡୁ ୨୭ ରନ କରି ଅପରାଜିତ ଥିଲେ। ଲକ୍ଷ୍ନୌ ପକ୍ଷରୁ ସଫଳ ବୋଲର ଭାବେ ରବି ବିଷ୍ଣୋଇ ୨୮ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିଲେ।
ଦ୍ବିତୀୟ ପାଳିରେ ଲକ୍ଷ୍ନୌ ୨୧୮ ରନ୍ର ବିଶାଳ ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୭ ୱିକେଟ ହରାଇ ୨୦୫ ରନ୍ କରି ପରାସ୍ତ ହୋଇଛି । ଲକ୍ଷ୍ନୌ ପକ୍ଷରୁ ପ୍ରଥମରୁ ଭଲ ବ୍ୟାଟିଂ ଦେଖିବାକୁ ମିଳିଥିଲା କିନ୍ତୁ ପରେ ଏହାକୁ ବିଜୟରେ ପରିଣତ କରି ପାରିନଥିଲେ । କାଇଲ୍ ମାୟର୍ସ ଦମ୍ଦାର ୨୨ ବଲରେ ୫୩ ରନ୍, ନିକୋଲାସ୍ ପୁରାନ୍ ୧୮ ବଲରେ ୩୨ ରନ୍ ମାର୍କସ୍ ଷ୍ଟୋଇନିସ୍ ୧୮ ବଲରେ ୨୧ ରନ୍ କରିଥିବା ବେଳେ ଆୟୁଷ ବାଡୋନି ୧୮ ବଲରେ ୨୩ ରନ୍ କରିଥିଲେ ସୁଧା ଲକ୍ଷ୍ନୌକୁ ବିଜୟ ଦେବାରେ ସକ୍ଷମ ହୋଇନଥିଲେ । ଫଳରେ ଚେନ୍ନାଇ ଏହି ମ୍ୟାଚକୁ ୧୨ ରନ୍ରେ ଜିତି ନେଇଥିଲା । ଚେନ୍ନାଇ ପକ୍ଷରୁ ମୋଏନ୍ ଅଲି ୪ଟି ୱିକେଟ ନେଇଥିବା ବେଳେ ତୁଷାର ଦେଶପାଣ୍ଡେ ୨ଟି ଓ ମିଚେଲ ସାଣ୍ଟନର୍ ଗୋଟିଏ ୱିକେଟ ନେଇଥିଲେ ।