ଆଇପିଏଲ୍-୨୦୨୩ : ଦିଲ୍ଲୀସକୁ ୭୭ ରନ୍ରେ ହରାଇଲା ଚେନ୍ନାଇ, ପ୍ଲେ ଅଫ ସହ ଦ୍ଵିତୀୟରେ ସ୍ଥାନରେ ଧୋନୀଙ୍କ ଟିମ୍
ନୂଆଦିଲ୍ଲୀ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୬ତମ ସଂସ୍କରଣର ୬୭ତମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଚେନ୍ନାଇ ସୁପର କିଙ୍ଗ୍ସ ୭୭ ରନ୍ରେ ପରାସ୍ତ କରିଛି। ଦୁଇ ଓପନର ଋତୁରାଜ ଗାଏକଓ୍ଵାଡ଼ ଏବଂ ଡେଭନ କନଓ୍ଵେଙ୍କ ଅର୍ଦ୍ଧଶତକୀୟ ଇନିଂସ ସହ ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ଆଇପିଏଲର ୬୭ତମ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍ସ ୭୭ ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ସହଜ ବିଜୟ ସହ ଚେନ୍ନାଇ ସୁପର କିଙ୍ଗ୍ସ ୧୭ ପଏଣ୍ଟ ସହ ଦ୍ଵିତୀ୍ୟ ଦଳ ଭାବେ ଚଳିତ ସଂସ୍କରଣର ପ୍ଲେ ଅଫରେ ପ୍ରବେଶ କରିଛି। ଅନ୍ୟପଟେ ପରାଜୟ ସହ ନିଜର ଅଭିଯାନ ଶେଷ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ଦୁଇ ଓପନର ଋତୁରାଜ ଗାଏକଓ୍ଵାଡଙ୍କ ୭୮ ରନ ଏବଂ ଡେଭନ୍ କନଓ୍ଵେଙ୍କ ୮୭ ରନର ଚିତ୍ତାକର୍ଷକ ଇନିଂସ ବଳରେ ଚେନ୍ନାଇ ନିର୍ଦ୍ଧାରିତ ଓଭରରେ ୩ ଓ୍ଵିକେଟ୍ ହରାଇ ୨୨୩ ରନ କରିଥିଲା। ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ୮୬ ରନ ବଳରେ ୯ ଓ୍ଵିକେଟ୍ ହରାଇ ୧୪୬ ରନ କରିବାକୁ ସକ୍ଷମ ହୋଇଛି। ଓ୍ଵାର୍ଣ୍ଣର ଏକା ଲଢିଥିଲେ ହେଁ ଅନ୍ୟପଟୁ କୌଣସି ବ୍ୟାଟର ସହଯୋଗ କରିନଥିଲେ। ଚେନ୍ନାଇ ପକ୍ଷରୁ ଦୀପକ ଚହର ସର୍ବାଧିକ ୩ଟି ଓ୍ଵିକେଟ୍ ନେଇ ଦଳ ବିଜୟରେ ଉପଯୋଗୀ ଭୂମିକା ନିର୍ବାହ କରିଛନ୍ତି।
୨୨୪ ରନ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଓପନର ପୃଥ୍ବୀ ସ’ ପୁଣି ଫେଲ୍ ମାରିଥିଲେ । ସେ ମାତ୍ର ୫ ରନ କରି ପ୍ୟାଭିଲିୟନ ଫେରିଥିଲେ । ଅଧିନାୟକ ଡେଭିଡ୍ ଓ୍ବାର୍ଣ୍ଣର ଗୋଟିଏ ପଟେ ବ୍ୟାଟିଂ ଭାର ସମ୍ଭାଳିଥିଲେ ବି ଅନ୍ୟମାନେ ଫେଲ୍ ମାରିଥିଲେ । ଓ୍ବାର୍ଣ୍ଣର ବ୍ୟକ୍ତିଗତ ଭାବେ ୫୮ ବଲ ଖେଳି ୭ଟି ଚୌକା ଓ ୫ଟି ଛକା ସହାୟତାରେ ୮୬ ରନ କରି ଆଉଟ ହୋଇଥିବା ବେଳେ ଫିଲିପ୍ ସଲ୍ଟ ୩ ରନ, ରିଲେ ରୋଷୋ ୦ ରନ, ୟସ୍ ଧୁଲ ୧୩ ରନ, ଅକ୍ଷର ପଟେଲ ୧୫ ରନ, ଅମନ୍ ହାକିମ୍ ଖାନ ୭ ରନ, ଲଳିତ ଯାଦବ ୬ ରନ ଓ କୁଲଦୀପ ଯାଦବ ୦ ରନ କରି ଆଉଟ ହୋଇଥିଲେ । ଏନରିଚ୍ ନୋର୍କିୟା ୦ ରନ ଓ ଚେତନ ସକାରିୟା ୦ ରନ କରି ଅପରାଜିତ ଥିଲେ ।
ଚେନ୍ନାଇ ସୁପର କିଙ୍ଗସ୍ ପକ୍ଷରୁ ଦୀପକ ଚହର ଦମଦାର ବୋଲିଂ କରି ୪ ଓଭରରେ ୨୨ ରନ ଦେଇ ସର୍ବାଧିକ ୩ଟି ଓ୍ବିକେଟ ନେଇଥିବା ବେଳେ ତୁଷାର ଦେଶପାଣ୍ଡେ ୪ ଓଭରରେ ୨୬ ରନ ୧ ଓ୍ବିକେଟ, ରବିନ୍ଦ୍ର ଜାଡେଜା ୪ ଓଭରରେ ୫୦ ରନ ୧ ଓ୍ବିକେଟ, ମଥିସା ପଥିରାଣା ୪ ଓଭରରେ ୨୨ ରନ ୨ ଓ୍ବିକେଟ ଓ ମହେଶ ଥିକସାନା ୪ ଓଭରରେ ୨୩ ରନ ଦେଇ ୨ଟି ସଫଳତା ହାସଲ କରିଛନ୍ତି ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଧୋନୀ ବାହିନୀ । ନିର୍ଦ୍ଧାରିତ ଓଭରରେ ଦଳ ୩ ଓ୍ବିକେଟ୍ ହରାଇ ସଂଗ୍ରହ କରିଥିଲା ୨୨୩ ରନ । ଦିଲ୍ଲୀକୁ ଜିତିବାକୁ ୨୨୪ ରନ୍ ଆବଶ୍ୟକ ଥିଲା । ସିଏସ୍କେ ପକ୍ଷରୁ ଦୁଇ ଓପନର ଋତୁରାଜ ଗାୟକ୍ବାଡ ଓ ଡେଭନ୍ କନଓ୍ବେ ବିସ୍ଫୋରକ ଅନ୍ଦାଜରେ ବ୍ୟାଟିଂ ଆରମ୍ଭ କରିଥିଲେ । ଉଭୟ ୧୪.୩ ଓଭ ପର୍ଯ୍ୟନ୍ତ କ୍ରିଜ୍ରେ ରହି ଦଳକୁ ବଡ ଆରମ୍ଭ ଦେଇଥିଲେ । ଋତୁରାଜ ବ୍ୟକ୍ତିଗତ ଭାବେ ୫୦ ବଲ ଖେଳି ୩ଟି ଚୌକା ୭ଟି ଛକା ସହାୟତାରେ ୭୯ ରନ କରି ଆଉଟ ହୋଇଥିବା ବେଳେ ଡେଭନ କନଓ୍ବେ ୫୨ ବଲ ଖେଳି ୧୧ଟି ଚୌକା ଓ ୩ଟି ଛକା ସହ ୮୭ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ଶିବମ ଦୁବେ ମାତ୍ର ୯ ବଲ ଖେଳି ୩ଟି ଛକା ସହ ୨୨ ରନ କରି ଆଉଟ ହୋଇଥିଲେ। ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ୪ ରନ ଓ ରବିନ୍ଦ୍ର ଜାଡେଜା ୭ ବଲରୁ ୨୦ ରନ କରି ନଟଆଉଟ୍ ଥିଲେ।
ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖଲିଲ୍ ଅହମଦ ୪ ଓଭରରେ ୪୫ ରନ ଦେଇ ଗୋଟିଲ ସଫଳତା ପାଇଥିବା ବେଳେ ଲଳିତ ଯାଦବ ୨ ଓଭରରେ ୩୨ ରନ, ଅକ୍ଷର ପଟେଲ ୩ ଓଭରରେ ୩୨ ରନ, ଏନରିଚ୍ ନୋର୍କିୟା ୪ ଓଭରରେ ୪୩ ରନ ୧ ଓ୍ବିକେଟ, କୁଲଦୀପ ଯାଦବ ୩ ଓଭରରେ ୩୪ ରନ ଓ ଚେତନ ସକାରିୟା ୪ ଓଭରରେ ୩୬ ରନ ଦେଇ ଗୋଟିଏ ଓ୍ବିକେଟ ନେଇଥିଲେ ।