ଆଇପିଏଲ-୨୦୨୩ : ରାଜସ୍ଥାନ ଠାରୁ ୪ ଉଇକେଟରେ ହାରି ପ୍ଲେ ଅଫରୁ ବାଦ ପଡ଼ିଲା ପଞ୍ଜାବ

ଧର୍ମଶାଳା : ହିମାଚଳ ପ୍ରଦେଶର ଧର୍ମଶାଳାଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୬୬ତମ ମ୍ୟାଚରେ ରାଜସ୍ଥାନ ଠାରୁ ୪ ଉଇକେଟରେ ହରି ପ୍ଲେ ଅଫରୁ ବାଦ ପଡ଼ିଲା ପଞ୍ଜାବ । ଏହି ରୋମାଞ୍ଚକର ମୁକାବିଲାରେ ବ୍ୟାଟରମାନଙ୍କ ଉପଯୋଗୀ ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସକୁ ୪ ଓ୍ଵିକେଟ୍ରେ ହରାଇଛି ରାଜସ୍ଥାନ ରୟାଲ୍ସ। ଗୁରୁତ୍ଵପୂର୍ଣ୍ଣ ବିଜୟ ସହ ରାଜସ୍ଥାନ ରୟାଲ୍ସର ପ୍ଲେ ଅଫ୍ ଖେଳିବା ଆଶା ଉଜ୍ଜୀବିତ ରହିଥିଲେ ମଧ୍ୟ ପ୍ରବେଶ କରିବା ବହୁତ ମୁସ୍କିଲ। ଅନ୍ୟପଟେ ପରାଜୟ ସହ ପଞ୍ଜାବ କିଙ୍ଗ୍ସ ଆଇପିଏଲ୍ରୁ ବିଦାୟ ନେଇଛି। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ ସାମ କରନଙ୍କ ଅପରାଜିତ ୪୯ ରନ, ଶାହରୁଖ ଖାନଙ୍କ ଦ୍ରୁତ ୪୧ ରନ ଏବଂ ଜିତେଶ ଶର୍ମାଙ୍କ ଉପଯୋଗୀ ୪୪ ରନ ବଳରେ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୮୭ ରନ କରି ପାରିଥିଲା। ଜବାବରେ ରାଜସ୍ଥାନ ରୟାଲ୍ସ ଯଶସ୍ଵୀ ଜୟସଓ୍ଵାଲଙ୍କ ୫୦ ରନ, ଦେବଦତ୍ତ ପାଡ଼ିକଲ୍ଙ୍କ ୫୧ ରନ ଏବଂ ସିମରନ ହେଟମାୟରଙ୍କ ୪୬ ରନ ବଳରେ ୧୯.୪ଓଭରରେ ୬ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବ ପଞ୍ଜାବ କିଙ୍ଗ୍ସର ଆରମ୍ଭ ନିରାଶଜନକ ଥିଲା। ପଞ୍ଜାବ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଦଳୀୟ ସ୍କୋର ୨ ରନରେ ପ୍ରଭସିମରନ ସିଂ(୨) ଆଉଟ୍ ହୋଇଥିଲେ। ଅର୍ଥତ ତାଇଡେ ୧୯ ରନ କରିଥିଲେ ହେଁ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ଅଧିନାୟକ ଶିଖର ଧାଓ୍ଵନ(୧୭) ଆଉଟ୍ ହେବା ଦଳକୁ ବଡ଼ ଝଟକା ଦେଇଥିଲା। ଲିଭିଙ୍ଗଷ୍ଟୋନ(୯) ଦଳକୁ ନିରାଶ କରିଥିଲେ। ୫୦ ରନରେ ୪ ଓ୍ଵିକେଟ୍ ହରାଇ ଅଡ଼ୁଆରେ ପଡ଼ିଥିବା ପଞ୍ଜାବର ଇନିଂସ ସଜାଡ଼ିଥିଲେ ସାମ କରନ ଏବଂ ଜିତେଶ ଶର୍ମା। ଦୁଇ ବ୍ୟାଟର ପ୍ରଥମେ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। ସେଟ୍ ହେବା ପରେ ବଡ଼ ସଟ୍ ଖେଳିବା ଆରମ୍ଭ କରିଥିଲେ। ଦୁଇ ବ୍ୟାଟର ପଞ୍ଚମ ଓ୍ଵିକେଟ୍ ପାଇଁ ୬୪ ରନ ଯୋଡ଼ି ଦଳର ସ୍କୋରକୁ ୧୦୦ ପାର କରାଇଥିଲେ। ଦଳୀୟ ସ୍କୋର ୧୧୪ ରନରେ ଜିତେଶ ଶର୍ମା ଆଉଟ୍ ହୋଇଥିଲେ। ସେ ୨୮ ବଲ୍ରୁ ୩ଟି ଚୌକା ଏବଂ ୩ଟି ଛକା ସହ ୪୪ ରନ କରିଥିଲେ। ଏହାପରେ କୁରନ ଏବଂ ଶାହରୁଖଖାନ ଦଳକୁ ଆଉ କୌଣସି କ୍ଷତି ହେବାକୁ ଦେଇନଥିଲେ। ଦୁଇ ବ୍ୟାଟର ବିସ୍ଫୋରକ ବ୍ୟାଟିଂ କରି ଅବିଭାଜିତ ଷଷ୍ଠ ଓ୍ଵିକେଟ୍ରେ ୭୩ ରନ ଯୋଡ଼ିଥିଲେ। ସାମ କନର ୩୧ ବଲ୍ରୁ ୪ଟି ଚୌକା ଏବଂ ୨ଟି ଛକା ଜରିଆରେ ୪୪ ରନ ଏବଂ ଶାହରୁଖ ମାତ୍ର ୨୩ ବଲ୍ରୁ ୪ ଚୌକା ଏବଂ ୨ ଛକା ସହ ୪୧ ରନ କରି ଅପରାଜିତ ଥିଲେ। ଫଳରେ ପଞ୍ଜାବ କିଙ୍ଗ୍ସ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୮୭ ରନ କରି ପାରିଛି।
ରାଜସ୍ଥାନ ରୟାଲ୍ସ ପକ୍ଷରୁ ନବଦୀପ ସାଇନି ୪୦ ରନ ବ୍ୟୟ କରି ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଥିଲେ। ତାଙ୍କ ସହ ଟ୍ରେଣ୍ଟ ବୋଲ୍ଟ ଏବଂ ଆଡମ ଜାମ୍ପା ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।
୧୮୯ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ରାଜସ୍ଥାନ ରୟାଲ୍ସକୁ ଦଳୀୟ ସ୍କୋର ୧୨ ରନରେ ପ୍ରଥମ ଝଟକା ଲାଗିଥିଲା। ଜୋସ୍ ବଟଲର ଖାତା ଖୋଲି ନପାରି ପାଭିଲିୟନ ଫେରିଥିଲେ। ଏହା ପରେ ଯଶସ୍ଵୀ ଜୟସଓ୍ଵାଲ୍ ଏବଂ ଦେବଦତ୍ତ ପାଡ଼ିକଲ୍ ଧୈର୍ଯ୍ୟର ସହ ବ୍ୟାଟିଂ କରି ଆବଶ୍ୟକ ରନହାର ବଜାୟ ରଖିଥିଲେ। ଦୁଇ ବ୍ୟାଟର ଦ୍ଵିତୀୟ ଓ୍ଵିକେଟ୍ରେ ୭୩ ରନ ଯୋଡ଼ିଥିଲେ। ୮୫ ରନ ସ୍କୋରରେ ପାଡିକଲ ୩୦ ବଲ୍ରୁ ୫ ଚୌକା ଏବଂ ୩ ଛକା ସହ ୫୧ ରନ କରି ଆଉଟ୍ ହୋଇଥିଲେ। ତାଙ୍କ ପରେ ଅଧିନାୟକ ସଞ୍ଜୁ ସାମସନ(୨) ଆଉଟ୍ ହେବା ଦଳକୁ ବଡ଼ ଝଟକା ଲାଗିଥିଲା। ପୁଣି ଜୟସଓ୍ଵାଲ ଏବଂ ହେଟମାୟର ଚତୁର୍ଥ ଓ୍ଵିକେଟ୍ରେ ୪୭ ରନ ଭାଗିଦାରୀ କରି ଦଳର ବିଜୟ ଆଶା ଉଜ୍ଜୀବିତ ରଖିଥିଲେ। ଦଳୀୟ ସ୍କୋର ୧୩୭ ରନରେ କ୍ରିଜରେ ଜମି ରହିଥିବା ଜୟସଓ୍ଵାଲ୍ ଆଉଟ୍ ହୋଇଥିଲେ। ସେ ୩୬ ବଲ୍ରୁ ୮ ଚୌକା ସହାୟତାରେ ୫୦ ରନ କରିଥିଲେ। ଏହା ପରେ ହେଟମାୟର ଦ୍ରୁତ ବ୍ୟାଟିଂ କରି ଦଳକୁ ବିଜୟର ନିକଟତର କରାଇଥିଲେ। ସେ ୨୮ ବଲ୍ରୁ ୪୬ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ଶେଷରେ ରାଜସ୍ଥାନ ୧୯.୪ ଓଭରରେ ୬ ଓ୍ଵିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା।