ବିନା ଦର୍ଶକରେ ଖେଳାଯିବ ଆଇପିଏଲ୍
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି। କରୋନାର ଦ୍ଵିତୀୟ ଲହର ଏବଂ ଏହାର ପ୍ରକୋପକୁ ଦୃଷ୍ଟିରେ ରଖି ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଆଇପିଏଲ ବିନା ଦର୍ଶକରେ ଆୟୋଜିତ ହେବ। ଏ ନେଇ ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା ରବିବାର ଏହାର ସୂଚନା ଦେଇଛନ୍ତି। ବିଶେଷ କରି ମହାରାଷ୍ଟ୍ରରେ ସଂକ୍ରମଣ ସୀମା ଲଙ୍ଘିବାରେ ଲାଗିଲାଣି । ତେଣୁ ଏପରି ସ୍ଥିତିରେ ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବେଶକୁ ଅନୁମତି ଦେବା ଦ୍ୱାରା ସଂକ୍ରମଣ ବଢିବାର ଆଶଙ୍କା ରହୁଛି । ତେଣୁ ଏହା ଉପରେ ଦୃଷ୍ଟି ରଖି ଗତବର୍ଷ ଭଳି ଏଥର ମଧ୍ୟ ବିନା ଦର୍ଶକରେ ଆଇପିଏଲ୍ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ । ୬ଟି ଷ୍ଟାଡିୟମରେ ଆଇପିଏଲର ୧୪ତମ ସଂସ୍କରଣ ଆୟୋଜନ ହେବ। ଖେଳାଳି, ଆୟୋଜକ ସଦସ୍ୟ, ସପୋର୍ଟ ଷ୍ଟାଫ ସମସ୍ତଙ୍କୁ କଡା ଜୈବ ନିରାପତ୍ତା ବଳୟରେ ରଖାଯାଇଛି। ସଫଳ ଆୟୋଜନ ପାଇଁ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରାଯାଇଥିବା କହିଛନ୍ତି ଶ୍ରୀ ଶୁକ୍ଳା। ସେହିପରି କରୋନା ପାଇଁ ପୂର୍ବଭଳି ବାୟୋ-ବବଲ ଭିତରେ ରହି ଖେଳାଳିମାନେ ଆଇପିଏଲ୍ ଖେଳିବେ । ବିସିସିଆଇ ମଧ୍ୟ ଖେଳାଳିଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଉଛି । କେବଳ ୬ଟି ଷ୍ଟାଡିୟମରେ ଏଥର ସମସ୍ତ ଆଇପିଏଲ୍ ମ୍ୟାଚ୍ ଆୟୋଜନ ହେବ ବୋଲି ସୂଚନା ଦେଇଛନ୍ତି । ଗତଥର ଦେଶରେ କୋଭିଡ୍ ସଂକ୍ରମଣ ବଢୁଥିବା ଦେଖି ୟୁଏଇରେ ଆଇପିଏଲ୍ ଆୟୋଜନ ହୋଇଥିଲା । ଗତଥର ମଧ୍ୟ ଦର୍ଶକମାନେ ଷ୍ଟାଡିୟମରେ ଖେଳ ଦେଖିବାର ମଜା ଉଠାଇପାରିନଥିଲେ । ଚଳିତ ବର୍ଷ ମଧ୍ୟ ବିନା ଦର୍ଶକରେ ଆଇପିଏଲ୍ ଖେଳାଯିବା ନିଷ୍ପତ୍ତି ପ୍ରଶଂସକମାନଙ୍କୁ ନିରାଶ କରିଛି ।
ସୂଚନା ଯେ, ଏ ପର୍ଯ୍ୟନ୍ତ ଖେଳାଳିଙ୍କଠୁ ନେଇ ସର୍ପୋଟ୍ ଷ୍ଟାଫ ଏବଂ ଗ୍ରାଉଣ୍ଡ୍ସ ମ୍ୟାନ୍ ମୋଟ୍ ୧୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଇଛି। ଖାସ୍ କରି ମୁମ୍ବାଇର ଓ୍ଵାଙ୍ଖେଡା ଷ୍ଟାଡିୟମର ୧୦ ଗ୍ରାଉଣ୍ଡ୍ସ ମ୍ୟାନ୍ କରୋନା ପଜିଟିଭ୍ ଚିହ୍ନଟ ହେବା ଏହି ପଡିଆରେ ଆଇପିଏଲ ଆୟୋଜନ ନେଇ ଆଶଙ୍କା ସୃଷ୍ଟି ହୋଇଛି। ବିଶେଷ କରି ମହାରାଷ୍ଟ୍ରରେ କରୋନା ପ୍ରକୋପ ଯେମିତି ବଢିବାରେ ଲାଗିଛି ତାକୁ ଦୃଷ୍ଟିରେ ରଖି ହାଇଦ୍ରାବାଦ ଓ ଇନ୍ଦୋର ଷ୍ଟାଡିୟମକୁ ଷ୍ଟାଣ୍ଡବାଇ ଭାବେ ରଖାଯାଇଛି। କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ବିସିଆଇ ବିନା ଦର୍ଶକରେ ଚଳିତ ଆଇପିଏଲ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି। ଗତ ବର୍ଷ କରୋନା ମହାମାରୀ କାରଣରୁ ଆଇପିଏଲର ୧୩ତମ ସଂସ୍କରଣ ୟୁଏଇରେ ଆୟୋଜିତ ହୋଇଥିଲା। ବିନା ଦର୍ଶକରେ ସଫଳତାର ସହ ବିଶ୍ଵର ଏହି ବଡ କ୍ରିକେଟ୍ ଲିଗ୍ ସଂପନ୍ନ ହୋଇଥିଲା। ଭାରତରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଥିବା ୬ଟି ଷ୍ଟାଡିୟମରେ ଜୈବ ନିରାପତ୍ତା ବଳୟ ତିଆରି କରାଯାଇଛି।