ଆଇପିଏଲ୍-୨୦୨୧ : ଅରେଞ୍ଜ କ୍ୟାପ୍ ହାସଲ କଲେ ଋତୁରାଜ
![](https://thetruths.in/wp-content/uploads/2021/10/Ruturaj-Gaikwad-1024x576.jpg)
ଦୁବାଇ : ଆଇପିଏଲ ୨୦୨୧ ଫାଇନାଲ୍ ମୁକାବିଲାରେ ଚେନ୍ନାଇ ସୁପରକିଙ୍ଗ୍ସର ଋତୁରାଜ ଗାଏକଓ୍ଵାଡ ୩୨ ରନ କରିଛନ୍ତି। ଏଥିସହ ନିଜ ନାମରେ ଏକ ଉପଲବ୍ଧି ହାସଲ କରିଛନ୍ତି। ଏହି ସିଜିନରେ ଋତୁରାଜ ଅରେଞ୍ଜ କ୍ୟାପ୍ର ଅଧିକାରୀ ହୋଇଛନ୍ତି। ଫାଫ ଡୁପ୍ଲେସିସ୍ ୮୬ ରନର ଇନିଂସ ଖେଳିଥିଲେ ମଧ୍ୟ ଅରେଞ୍ଜ କ୍ୟାପରୁ କେବଳ ତିନି ରନ ଦୂରରେ ରହି ଯାଇଛନ୍ତି।
ଓପନର ଋତୁରାଜ ୧୬ ମ୍ୟାଚ୍ରୁ ୬୩୫ ରନ କରିଛନ୍ତି। ଏଥିରେ ଚାରି ଅର୍ଦ୍ଧଶତକ ଏବଂ ଗୋଟିଏ ଶତକ ସାମିଲ୍। ଅନ୍ୟପଟେ ଡୁପ୍ଲେସିସ୍ ୧୬ ମ୍ୟାଚ୍ରୁ ୬୩୩ ରନ କରିଛନ୍ତି। ଋତୁରାଜ ଆଇପିଏଲରେ ଓରେଞ୍ଜ କ୍ୟାପ୍ ଜିତିବାରେ ସବୁଠୁ ଯୁବ ଖେଳାଳି। ଏହି ମାମଲାରେ ସେ ଅଷ୍ଟ୍ରେଲିଆର ସନ ମାର୍ଶଙ୍କ ରେକର୍ଡ ଭାଙ୍ଗିଛନ୍ତି। ମାର୍ଶ ଆଇପିଏଲର ପ୍ରଥମ ସିଜିନ(୨୦୦୮)ରେ ପଞ୍ଜାବ ପକ୍ଷରୁ ଖେଳି ୬୧୬ ରନ କରିଥିଲେ। ସେହି ସମୟରେ ତାଙ୍କର ବୟସ ୨୫ ବର୍ଷ ହୋଇଥିଲା। ଅନ୍ୟପଟେ ଏହି ସମୟରେ ଋତୁରାଜଙ୍କ ବୟସ ୨୪ ବର୍ଷ ଆଠ ମାସ ହୋଇଛି। ଆଇପିଏଲରେ ଗୋଟିଏ ସିଜିନରେ ସବୁଠୁ ଅଧିକ ରନ କରିବାର ରେକର୍ଡ କୋହଲିଙ୍କ ନାମରେ ରହିଛି। ସେ ୨୦୧୬ରେ ୯୭୩ ରନ କରିଥିଲେ। ଏ ପର୍ଯ୍ୟନ୍ତ କୌଣସି ବ୍ୟାଟସମ୍ୟାନ ଏମିତି ରନ କରି ନାହାନ୍ତି। ଅନ୍ୟପଟେ ମହେନ୍ଦ୍ର ସିଂହ ଧୋନୀ ଓ ରୋହିତ ଶର୍ମା ଏ ପର୍ଯ୍ୟନ୍ତ ଅରେଞ୍ଜ କ୍ୟାପ୍ ଜିତି ପାରି ନାହାନ୍ତି। ସୂଚନା ଯେ, ଅରେଞ୍ଜ କ୍ୟାପ୍ ବିଜେତାଙ୍କ ମଧ୍ୟରେ ୨୦୦୮ରେ ସନ ମାର୍ଶ ୬୧୬ ରନ, ୨୦୦୯ରେ ମାଥ୍ୟୁ ହେଡେନ ୫୭୨ ରନ, ୨୦୧୦ରେ ସଚିନ ତେନ୍ଦୁଲକର ୬୧୮ ରନ, ୨୦୧୧ରେ କ୍ରିସ୍ ଗେଲ୍, ୬୦୮ ରନ, ୨୦୧୨ରେ କ୍ରିସ୍ ଗେଲ୍, ୭୩୩ ରନ, ୨୦୧୩ରେ ମାଇକେଲ ହସି, ୭୩୩ ରନ, ୨୦୧୪ରେ ରବିନ ଉଥପ୍ପା, ୬୬୦ ରନ, ୨୦୧୫ରେ ଡେଭିଡ୍ ଓ୍ଵାର୍ଣ୍ଣର, ୫୬୨ ରନ, ୨୦୧୬ରେ ବିରାଟ କୋହଲି, ୯୭୩ ରନ, ୨୦୧୭ରେ ଡେଭିଡ୍ ଓ୍ଵାର୍ଣ୍ଣର, ୬୪୧ ରନ, ୨୦୧୮ରେ କେନ ଓ୍ଵିଲିୟମସନ ୭୩୫ ରନ, ୨୦୧୯ରେ ଡେଭିଡ୍ ଓ୍ଵାର୍ଣ୍ଣର ୬୯୨ ରନ, ୨୦୨୦ରେ ଲୋକେଶ ରାହୁଲ ୬୭୦ ରନ, ୨୦୨୧ରେ ଋତୁରାଜ ଗାଏକଓ୍ଵାଡ ୬୩୫ ରନ କରିଥିଲେ ।