ଆଇପିଏଲ-୨୦୨୧ : ୧୩ ରନରେ ଜିତିଲା ମୁମ୍ବାଇ
- କ୍ରମାଗତ ଦ୍ଵିତୀୟ ବିଜୟ ସହ ଟପରେ ମୁମ୍ବାଇ
ଚେନ୍ନାଇ : ଆଇପିଏଲ-୨୦୨୧ର ୧୪ଶ ସଂସ୍କରଣରେ ୯ମ ମ୍ୟାଚରେ ଶନିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଥିଲେ । ଏଥିରେ ପ୍ରଥମେ ବ୍ୟାଟିଂ କରି ୧୫୦ ରନ କରି ବିପକ୍ଷ ଦଳକୁ ପୁଣି ଥରେ ପରାସ୍ତ କରିଛି ମୁମ୍ବାଇ। ବୋଲରଙ୍କ ଶାଣିତ ବୋଲିଂ ଦମରେ ମୁମ୍ବାଇ ଇଣ୍ଡିଆନ୍ସ ସନରାଇଜର୍ସ ହାଇଦ୍ରାବାଦକୁ ୧୩ ରନରେ ପରାସ୍ତ କରି ତୃତୀୟ ମ୍ୟାଚ୍ରୁ କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କରିଛି। ଅନ୍ୟପଟେ ହାଇଦ୍ରାବାଦର ପରାଜୟଧାରା ଜାରି ରହିଛି। ଜୋନି ବେୟାରଷ୍ଟୋ ଓ ଡେଭିଡ୍ ଓ୍ଵାର୍ଣ୍ଣର ପ୍ରଥମ ଓ୍ଵିକେଟ୍ରେ ୬୭ ରନ ଯୋଡିବା ପରେ ଲାଗୁଥିଲା ସନରାଇଜର୍ସ ହାଇଦ୍ରବାଦ ଚଳିତ ଆଇପିଏଲ୍ରେ ପ୍ରଥମ ବିଜୟ ହାସଲ କରିବ। ହେଲେ ଦଳ ପୁଣି ଥରେ ଗତ ମ୍ୟାଚ୍ର ଭୁଲକୁ ଦୋହରାଇ କ୍ରମାଗତ ତୃତୀୟ ପରାଜୟ ଭୋଗିଛି।
ମୁମ୍ବାଇ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ରୋହିତ ଶର୍ମା ଓ କ୍ବିଣ୍ଟନ ଡିକକ୍ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ଉଭୟ ପ୍ରଥମ ଓ୍ବିକେଟ ସହଭାଗିତାରେ ୫୧ ରନ ଯୋଡ଼ିବା ପରେ ରୋହିତ ୩୨ ରନ କରି ଆଉଟ ହୋଇଥିଲେ । ତେବେ ଡିକକ୍ ସର୍ବାଧିକ ୪୦ ରନ କରିଥିଲେ । ଶେଷ ବେଳକୁ କେରନ ପୋଲାର୍ଡ ୨୨ ବଲରୁ ଦ୍ରୁତ ୩୫ ରନ କରିଥିଲେ । ହାଇଦ୍ରାବାଦ ପକ୍ଷରୁ ମୁଜିବୁର ରେହମାନ ଓ ବିଜୟ ଶଙ୍କର ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ୧୫୧ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ହାଇଦ୍ରାବାଦର ଦୁଇ ଓପନର ଡେଭିଡ୍ ଓ୍ଵାର୍ଣ୍ଣର ଓ ଜୋନି ବେୟାରଷ୍ଟୋ ଆରମ୍ଭରୁ ଦ୍ରୁତ ବ୍ୟାଟିଂ କରି ଦଳକୁ ମଜବୁତ ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟସନ୍ୟାନ ପ୍ରଥମ ଓ୍ଵିକେଟ୍ରେ ୭.୨ ଓଭରରେ ୬୭ ରନ ଯୋଡିଥିଲେ। ଜୋନି ବେୟାରଷ୍ଟୋ ୨୨ ବଲ୍ରୁ ୩ ଚୌକା ଓ ୪ ଛକା ସହ ବିସ୍ଫୋରକ ୪୩ ରନର ଇନିଂସ ଖେଳି ଆଉଟ୍ ହୋଇଥିଲେ। ଏହି ଯୋଡି ଭାଙ୍ଗିବା ପରେ ହାଇଦ୍ରାବାଦ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ପୁଣି ଥରେ ରାହୁଲ ଚହର ୩ ଓ୍ଵିକେଟ୍ ନେଇ ସନରାଇଜର୍ସ ହାଇଦ୍ରାବାଦର ମଧ୍ୟକ୍ରମର ବିପର୍ଯ୍ୟୟ ଘଟାଇଥିଲେ। ଗୋଟିଏ ପଟେ ଯଶପ୍ରୀତ ବୁମରା ରନ ଗତି ଉପରେ ଅଙ୍କୁଶ ଲଗାଇଥିବା ବେଳେ ଅନ୍ୟ ବୋଲର ଓ୍ଵିକେଟ୍ ନେଇ ମୁମ୍ବାଇକୁ ହାରୁଥିବା ମ୍ୟାଚ୍ରେ ବିଜୟୀ କରାଇଥିଲେ। ହାଇଦ୍ରାବାଦ ପକ୍ଷରୁ ଅଧିନାୟକ ଡେଭିଡ୍ ଓ୍ଵାର୍ଣ୍ଣର ୩୬ ରନ କରିଥିବା ବେଳେ ଶେଷ ଆଡକୁ ବିଜୟ ଶଙ୍କର ୨୮ ରନ କରିଥିଲେ। ମୁମ୍ବାଇ ପକ୍ଷରୁ ରାହୁଲ ଚହର ପୁଣି ଥରେ ଦମଦାର ବୋଲିଂ କରି ୩ ଓ୍ଵିକେଟ୍ ଏବଂ ଟ୍ରେଣ୍ଟ ବୋଲ୍ଟ ୩ ଓ୍ଵିକେଟ୍ ନେଇ ଦଳ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।