ଆଇପିଏଲ-୨୦୨୧ : ଆଜି ଚେନ୍ନାଇ ଓ ରାଜସ୍ଥାନ ମୁକାବିଲା
ମୁମ୍ବାଇ : ଆଇପିଏଲ-୨୦୨୧ର ୧୪ଶ ସଂସ୍କରଣରେ ସୋମବାର ୧୨ତମ ମ୍ୟାଚ ଖେଳାଯିବ । ଏଥିରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ । ଏହି ମ୍ୟାଚ୍କୁ ନେଇ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ଉଭୟ ଦଳ ନିଜ ନିଜ ପ୍ରଥମ ମ୍ୟାଚ୍ରେ ହାରିବା ପରେ ଦ୍ଵିତୀୟ ମ୍ୟାଚ୍ ଜିତିଥିବାରୁ ଲୟକୁ ଆଗକୁ ବଢ଼ାଇବା ଆଶାରେ ରହିଛନ୍ତି। ଗତ ମ୍ୟାଚ୍ରେ ଚେନ୍ନାଇ ସୁପରକିଙ୍ଗ୍ସ ସହଜରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଥିଲା। ସେହିପରି ରାଜସ୍ଥାନ ରୟାଲ୍ସ କିନ୍ତୁ ଶେଷ ଓଭରରେ ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ମ୍ୟାଚ୍ ଜିତିଥିଲା। ନିଜ ସମ୍ଭାବନାକୁ ଠିକଣା ପଥରେ ରଖିବାକୁ ଉଭୟ ଦଳ ଲଗାତାର ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛନ୍ତି।
ନେତୃତ୍ୱ ଦୃଷ୍ଟିକୋଣକୁ ବିଚାର କରାଗଲେ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ ନିଶ୍ଚିତ ଅନଭିଜ୍ଞ। ପ୍ରଥମ ମ୍ୟାଚରେ ଦଳ ୪ ରନରେ ପଞ୍ଜାବ କିଙ୍ଗ୍ସ ନିକଟରୁ ପରାଜିତ ହେବା ପରେ ୨ୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୩ ୱିକେଟରେ ବିଜୟ ହାସଲ କରିଛି। ପଞ୍ଜାବ ବିପକ୍ଷ ମ୍ୟାଚରେ ସାମସନ ଶତକ ଅର୍ଜନ କରିଥିବା ବେଳେ ଦ୍ଵିତୀୟ ମ୍ୟାଚରେ ଡେଭିଡ୍ ମିଲର ଓ କ୍ରିସ୍ ମରିସ୍ ଦଳକୁ ଜିତାଇଥିଲେ। ବ୍ୟାଟିଂ ବିଭାଗରେ ଦଳର ଦୁର୍ବଳତା ଦେଖିବାକୁ ମିଳିଛି। ସଞ୍ଜୁ ସାମସନ ୧୨୩, ଡେଭିଡ୍ ମିଲର ୬୨ ଓ ଶେଷ ମ୍ୟାଚରେ କ୍ରିସ ମରିସ ୩୬ରନର ଇନିଂସ ଖେଳିଥିଲେ। ଓପନର ଜୋସ୍ ବଟ୍ଲର, ମନନ ଭୋରା, ଶିଭମ ଦୁବେ, ରିୟାନ ପରାଗ ,ରାହୁଲ ତିୱାତିଆ ରନ୍ କରିବାରେ ବିଫଳ ହେଉଛନ୍ତି। ଦଳ ଓପନିଂରେ ଭୋରାଙ୍କ ବଦଳରେ ଯଶସ୍ୱୀ ଜସୱାଲଙ୍କୁ ଖେଳାଇପାରେ। ବୋଲିଂରେ ଜୟଦେବ ଉନାଦକତ୍, ଚେତନ ସାକାରିଆ,କ୍ରିସ ମୋରିସ, ମୁସ୍ତାଫିଜୁର ରହମାନ ପ୍ରମୁଖ ଆଶାଜନକ ପ୍ରଦର୍ଶନ କରୁଛନ୍ତି। ଚେନ୍ନଇ ବିପକ୍ଷ ମ୍ୟାଚରେ ଦଳ ନୂଆ ରଣନୀତି ସହ ପଡ଼ିଆକୁ ଓହ୍ଲାଇବା ନେଇ ଆଶା କରାଯାଉଛି। ସେହିପରି ଆଇପିଏଲର ଅଭିଜ୍ଞ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧିନ ଚେନ୍ନଇ ସୁପରକିଙ୍ଗ୍ସ ପ୍ରଥମ ମ୍ୟାଚରେ ଦିଲ୍ଲୀ ନିକଟରୁ ୭ ୱିକେଟରେ ପରାଜିତ ହୋଇଥିବାବେଳେ ଦ୍ବିତୀୟ ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ୬ ୱିକେଟରେ ପରାସ୍ତ କରିଥିଲା। ପ୍ରଥମ ମ୍ୟାଚରେ ପରାଜୟ ପରେ ଦଳ ଦ୍ଵିତୀୟ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ବିଜୟ ଧାରାକୁ ଫେରିଥିଲା। ବୋଲିଂରେ ଦୀପକ ଚହର ଗତ ମ୍ୟାଚରେ ଚମତ୍କାର ବୋଲିଂ କରି ଦଳର ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାର୍ଦୁଳ ଠାକୁରଙ୍କ ସମେତ ଡାରେନ ବ୍ରାଭୋ, ସାମ୍ କୁରାନ, ରବୀନ୍ଦ୍ର ଜାଡେଜା ପ୍ରମୁଖ ବୋଲିଂ ବିଭାଗ ଦାୟିତ୍ବ ସମ୍ଭାଳୁଛନ୍ତି। ପଞ୍ଜାବ ବିପକ୍ଷ ମ୍ୟାଚରେ ବୋଲିଂକୁ ନେଇ ଧୋନି ସନ୍ତୋଷବ୍ୟକ୍ତ କରିଥିଲେ। ବ୍ୟାଟିଂରେ ସୁରେଶ ରୈନାଙ୍କୁ ବାଦ୍ ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସେଭଳି ରନ୍ କରିବାରେ ସକ୍ଷମ ହୋଇନାହାନ୍ତି। ଧୋନିଙ୍କ ସମେତ ଡୁପ୍ଲେସି, ଋତୁରାଜ ଗାଏକ୍ବାର୍ଡ, ଅମ୍ବାତି ରାଇଡୁ ଆଶାଜନକ ପ୍ରଦର୍ଶନ କରିବାରେ ସକ୍ଷମ ହୋଇନାହାନ୍ତି। ଚଳିତ ସିିିଜିନରେ ଉଭୟ ଦଳ ସମାନ ସ୍ଥିତିରେ ରହିଥିବାବେଳେ ଅନଭିଞ୍ଜ ସାମସନଙ୍କ ରାଜସ୍ଥାନକୁ ପରାସ୍ତ କରିବା ନେଇ ଅଭିଜ୍ଞ ଧୋନିଙ୍କ ପାଇଁ ସହଜ ହେବ ନାହିଁ।
ଚେନ୍ନାଇ ସୁପର୍ କିଙ୍ଗ୍ସ : ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ସୁରେଶ ରାଇନା, ଅମ୍ବାତି ରାୟୁଡୁ, କେଏମ୍ ଆସିଫ, ଦୀପକ ଚହର, ଡ୍ବେନ୍ ବ୍ରାଭୋ, ଫାଫ୍ ଡୁ’ପ୍ଲେସିସ୍, ଇମ୍ରାନ ତାହିର, ଏନ୍ ଜଗଦୀଶାନ, କର୍ଣ୍ଣ ଶର୍ମା, ଲୁଙ୍ଗି ଏନ୍ଗିଡ଼ି, ମିଚେଲ ସାଣ୍ଟନର, ରବୀନ୍ଦ୍ର ଜାଦେଜା, ଋତୁରାଜ ଗାଏକ୍ବାଡ୍, ଶାର୍ଦୁଳ ଠାକୁର, ସାମ୍ କରନ, ଆର ସାଇକିଶୋର, ମୋଇନ ଅଲ୍ଲୀ, କେ ଗୌତମ, ଚେତେଶ୍ବର ପୂଜାରା, ହରିଶଙ୍କର ରେଡ୍ଡୀ, ଭଗତ ବର୍ମା, ସି ହରି ନିଶାନ୍ତ।
ରାଜସ୍ଥାନ ରୟାଲ୍ସ : ସଞ୍ଜୁ ସାମସନ୍ (ଅଧିନାୟକ ଓ ୱିକେଟରକ୍ଷକ), ଜୋସ୍ ବଟ୍ଟଲର୍, ବେନ୍ ଷ୍ଟୋକ୍ସ, ଯଶସ୍ବୀ ଜୟସ୍ବାଲ, ମନନ ଭୋରା, ଅନୂଜ ରାୱତ, ରିୟାନ୍ ପରାଗ, ଡେଭିଡ୍ ମିଲର୍, ରାହୁଲ ତିୱାତିଆ, ମହିପାଲ୍ ଲୋମରର, ଶ୍ରେୟସ ଗୋପାଳ, ମୟଙ୍କ ମାର୍କେଣ୍ଡେ, ଅଣ୍ଡ୍ରିଉ ଟାଇ, ଜୟଦେବ ଉନାଦକତ୍, କାର୍ତିକ ତ୍ୟାଗୀ, ଶିଭମ ଦୁବେ, କ୍ରିସ୍ ମୋରିସ୍, ମୁସ୍ତାଫିଜୁର ରହମାନ, ଚେତନ ସାକାରିଆ, କେସି କାରିଆପ୍ପା, ଲିଆମ୍ ଲିଭିଙ୍ଗଷ୍ଟୋନ୍, କୁଲଦୀଦ ଯାଦବ, ଆକାଶ ସିଂହ।