ମହିଳା ଟି-୨୦ ବିଶ୍ୱକପ-୨୦୨୩ ପାଇଁ ଭାରତୀୟ ଦଳ ଘୋଷଣା : ହରମନପ୍ରୀତ କୌର ଅଧିନାୟକ, ଫେରିଲେ ଶିଖା ପାଣ୍ଡେ
![](https://thetruths.in/wp-content/uploads/2022/12/Team-India-for-Womens-T-20-World-Cup-2023.jpg)
ନୂଆଦିଲ୍ଲୀ : ମହିଳା ଟି-୨୦ ବିଶ୍ବକପ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ୧୫ ଜଣିଆ ସ୍କ୍ବାଡ୍ ଘୋଷଣା କରିଛନ୍ତି ସିନିୟର ମହିଳା ଟିମ୍ର ଚୟନ କମିଟି। ହରମନପ୍ରୀତ କୌରଙ୍କ ନେତୃତ୍ବରେ ପୁଣି ଥରେ ଭାରତୀୟ ଦଳ ୨୦୨୦ ବିଶ୍ବ କପ୍ ଭଳି ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟ ନେଇ ଓହ୍ଲାଇବ ଏବଂ ପ୍ରଥମ ଟାଇଟଲ ଜିତିବା ପାଇଁ ଚେଷ୍ଟା କରିବ। ଏହି ସ୍କ୍ବାଡରେ ଅଧିକାଂଶ ସେହି ଖେଳାଳି ରହିଛନ୍ତି ଯେଉଁମାନେ ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ସିରିଜ୍ ଖେଳିଥିଲେ। ଦିଗ୍ଗଜ ବୋଲର ଶିଖା ପାଣ୍ଡେଙ୍କୁ ଦୀର୍ଘ ଦିନର ବ୍ୟବଧାନ ପରେ ଟିମ୍ରେ ମନୋନୀତ କାରଯାଇଛି।
ଆସନ୍ତା ଫେବୃଆରୀ ୧୦ରୁ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହେଉଛି ଟି୨୦ ବିଶ୍ବକପ୍। ଗତ ବିଶ୍ବକପ୍ ୨୦୨୦ ରେ ଖେଳାଯାଇଥିଲା। ଯେଉଁଥିରେ ଭାରତୀୟ ଟିମ୍ ଫାଇନାଲ ପର୍ଯ୍ୟନ୍ତ ପହଞ୍ଚିଥିଲା। ଫାଇନାଲରେ ତାଙ୍କୁ ଅଷ୍ଟେ୍ରଲିଆ ଠାରୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ତେବେ ଏଥର ଫାଇନାଲ ଜିତିବା ପାଇଁ ଚୟନକାରୀ ଦଳ ଅନୁଭବି ଖେଳାଳିଙ୍କୁ ବାଛିବା ସହ ଶିଖାଙ୍କୁ ପୁଣିଥରେ ସ୍ଥାନ ଦେଇଛି।
୩୩ ବର୍ଷୀୟ ଶିଖା ପାଣ୍ଡେ ଗତ ଟି୨୦ ବିଶ୍ବକପ୍ରେ ଭାରତର ଏକ ନମ୍ବର ବୋଲର ଭାବରେ ରହିଥିଲେ। ସେତେବେଳେ ସେ ୫ ମ୍ୟାଚରେ ୭ ଓ୍ବିକେଟ୍ ହାସଲ କରିଥିଲେ। ଏହାପରେ କରୋନା ଭାଇରସ ସଂକ୍ରମଣ ମଧ୍ୟରେ ଯେତେବେଳେ କ୍ରିକେଟକୁ ଫେରିବାପରେ ତାଙ୍କର ପ୍ରଦର୍ଶନ ଏତେ ଭଲନଥିଲା। ଏହାପରେ ଅକ୍ଟୋବର ୨୦୨୧ ରେ ଅଷ୍ଟେ୍ରଲିଆ ଗସ୍ତରେ ଟି୨୦ ସିରିଜ୍ ପରେ ସେ ଟିମ୍ରୁ ବାଦ୍ ପଡ଼ିଥିଲେ ଏବଂ କୌଣସି ଫର୍ମାଟରେ ସୁଯୋଗ ଦିଆଯାଇନଥିଲା।
ସେହିପରି ଅନୁଭବି ଲେଗ୍ ସ୍ପିନର ପୂନମ ଯାଦବଙ୍କ ସ୍ଥାନରେ ଦେବିକା ବୈଦ୍ୟଙ୍କୁ ସ୍ଥାନ ମିଳିଛି। ଅଞ୍ଜଳି ସରବନୀ ନିଜ ସ୍ଥାନ ବଜାୟ ରଖିଛନ୍ତି। କିନ୍ତୁ ସ୍ପିନ୍ ଅଲରାଉଣ୍ଡର ସ୍ନେହ ରାଣାଙ୍କୁ ମୁଖ୍ୟ ସ୍କ୍ବାଡରେ ସ୍ଥାନ ମିଳିନାହିଁ। ତାଙ୍କୁ ପେସର ମେଘ୍ନା ସିଂହ ଏବଂ ବୋଲର୍ ଶବ୍ବିନେନୀ ମେଘନାଙ୍କ ସହ ରିଜର୍ଭ ରଖାଯାଇଛି।
NEWS 🚨 – India squad for ICC Women’s T20 World Cup 2023 & tri-series in South Africa announced.
— BCCI Women (@BCCIWomen) December 28, 2022
More details here – https://t.co/3JVkfaDFPN #TeamIndia pic.twitter.com/FJex4VhAG6
ଟି ୨୦ ଓ୍ବାର୍ଲ୍ଡ କପ୍ ପାଇଁ ଭାରତୀୟ ଦଳ :
ହରମାନପ୍ରୀତ କୌର (କ୍ୟାପ୍ଟେନ), ସ୍ମୃତି ମନ୍ଧାନା, ଶେଫାଲୀ ବର୍ମା, ୟାସ୍ତିକା ଭାଟିଆ(ଓ୍ବିକେଟକିପର୍), ରିଚା ଘୋଷ (ଓ୍ବିକେଟକିପର୍), ଜେମିମା ରୋଡ୍ରିଗସ୍, ହରଲିନ୍ ଦେଓଲ୍, ଦୀପ୍ତି ଶର୍ମା, ଦେବିକା ବୈଦ୍ୟ, ରାଧା ଯାଦବ, ରେଣୁକା ଠାକୁର, ଅଞ୍ଜଳି ସରୱାନୀ, ଏବଂ ଶିଖା ପାଣ୍ଡେ।
ସେହିପରି ତ୍ରିକୋଣୀୟ ସିରିଜ୍ର ମଧ୍ୟ ଘୋଷଣା ହୋଇଛି । ବିଶ୍ବ କପ୍ରେ ଭାରତର ଅଭିଯାନ ୧୨ ଫେବୃଆରୀରେ ପାକିସ୍ତାନ ସହ ପ୍ରଥମ ମ୍ୟାଚରୁ ଆରମ୍ଭ ହେବ। ଅବଶ୍ୟ ବିଶ୍ବ କପ୍ର ଠିକ୍ ପୂର୍ବରୁ ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକାରେ ଏକ ତ୍ରିକୋଣୀୟ ସିରିଜ୍ ଖେଳିବ। ଏହି ସିରିଜ୍ ୧୯ ଜାନୁଆରୀରୁ ୨ ଫେବୃଆରୀ ପର୍ଯ୍ୟନ୍ତ ଖେଳାଯିବ। ଏହି ସିରିଜ୍ ପାଇଁ ମଧ୍ୟ ସ୍କ୍ବାଡ ବଛାଯାଇଛି।
ତ୍ରି-ସିରିଜ୍ ପାଇଁ ଭାରତୀୟ ଦଳ :
ହରମାନପ୍ରୀତ କୌର (ଅଧିନାୟକ), ସ୍ମୃତି ମନ୍ଧାନା, ୟାସ୍ତିକା ଭାଟିଆ, ଜେମିମା ରୋଡ୍ରିଗସ୍, ହରଲିନ୍ ଦେଓଲ୍, ଦୀପ୍ତି ଶର୍ମା, ଦେବିକା ବୈଦ୍ୟ, ରାଜେଶ୍ୱରୀ ଗାଏକୱାଡ, ରାଧା ଯାଦବ, ରେଣୁକା ଠାକୁର, ମେଘନା ସିଂ, ଅଞ୍ଜଳି ସରୱାନୀ, ସୁଷମା ବର୍ମା, ପୂଜା ବସ୍ତ୍ରାକର, ଏସ୍ ମେଘନା, ସ୍ନେହ ରାଣା ଏବଂ ଶିଖା ପାଣ୍ଡେ ରହିଛନ୍ତି।