ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ମହିଳା ଦିନିକିଆ ଶୃଙ୍ଖଳାକୁ ୩-୦ରେ ଜିତିଲା ଭାରତ

ପାଲିକଲ : ଭାରତୀୟ ମହିଳା କ୍ରିକେଟ୍ ଦଳର ଶ୍ରୀଲଙ୍କା ଗସ୍ତ ସଫଳତାର ସହ ଶେଷ ହୋଇଛି। ଜୁନ୍ ୨୩ରୁ ଜୁଲାଇ ୭ ତାରିଖ (୧୫ ଦିନ) ମଧ୍ୟରେ ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷରେ ୬ଟି ସୀମିତ ଓଭର ମ୍ୟାଚ୍ ଖେଳିଥିଲା ବେଳେ ୫ଟିରେ ବିଜୟୀ ହୋଇଛି। ପ୍ରଥମେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାକୁ ୨-୧ରେ ଜିତିବା ପରେ ଭାରତ ଗୁରୁବାର ଶେଷ ହୋଇଥିବା ୩ ମ୍ୟାଚ୍ ବିଶିଷ୍ଟ ମହିଳା ଦିନିକିଆ ଶୃଙ୍ଖଳାକୁ ୩-୦ରେ ମୂଳପୋଛ କରିନେଇଛି। ପ୍ରଥମ ଦିନିକିଆକୁ ୪ ୱିକେଟ୍ ଏବଂ ଦ୍ବିତୀୟକୁ ୧୦ ୱିକେଟ୍ରେ ଜିତିଥିବା ଭାରତୀୟ ଦଳ ଗୁରୁବାର ତୃତୀୟ ତଥା ଶେଷ ମ୍ୟାଚ୍କୁ ୩୯ ରନ୍ରେ ଜିତି ଶୃଙ୍ଖଳା ମୂଳପୋଛ କରିନେଇଛି। ଭାରତୀୟ ଦଳର ଅଧିନାୟିକା ହର୍ମନପ୍ରୀତ୍ କୌର ଉଭୟ ମ୍ୟାଚ୍ ଓ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଛନ୍ତି।
ପାଲିକଲ ଇଣ୍ଟରନ୍ୟାସ୍ନାଲ କ୍ରିକେଟ୍ ଷ୍ଟାଡିୟମ୍ରେ ଗୁରୁବାର ଟସ୍ ଜିତି ଘରୋଇ ଶ୍ରୀଲଙ୍କା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଗତ ମ୍ୟାଚ୍ରେ ଅପରାଜିତ ୯୪ ରନ୍ କରିଥିବା ଓପ୍ନର ସ୍ମୃତି ମନ୍ଧାନା (୬), ହର୍ଲିନ୍ ଦେଓଲ (୧) ଏବଂ ଅଲ୍ରାଉଣ୍ଡର ଦୀପ୍ତି ଶର୍ମା (୪) ନିରାଶ କରିଥିଲେ। ହେଲେ ଅନ୍ୟତମ ଓପ୍ନର ଶେଫାଳି ବର୍ମା (୪୯ ରନ୍, ୫୦ ବଲ୍, ୫ ଚୌକା) ଏବଂ ୱିକେଟ୍ରକ୍ଷକ ୟାସ୍ତିକା ଭାଟିଆ (୩୦ ରନ୍, ୩୮ ବଲ୍, ୫ ଚୌକା) ଦ୍ବିତୀୟ ୱିକେଟ୍ରେ ୫୯ ରନ୍ ଯୋଡ଼ି ସ୍ଥିତି ସୁଧାରି ନେଇଥିଲେ। ଏହା ପରେ ରିଚା ଘୋଷ (୨) ବି ବିଫଳ ହେବାରୁ ୧୨୪/୬ରେ ଭାରତ ସଂଘର୍ଷ କରିଥିଲା। ତେବେ ଅଧିନାୟିକା ହର୍ମନପ୍ରୀତ୍ (୭୫ ରନ୍, ୮୮ ବଲ୍, ୭ ଚୌକା, ୨ ଛକା) ଏବଂ ପୂଜା ଭସ୍ତ୍ରକାର (ଅପରାଜିତ ୫୬ ରନ୍, ୬୫ ବଲ୍, ୩ ଛକା) ନିଜ ନିଜର ଅର୍ଦ୍ଧଶତକ ପୂରଣ କରିବା ସାଙ୍ଗକୁ ସପ୍ତମ ୱିକେଟ୍ରେ ୯୭ ରନ୍ ଯୋଡ଼ିବାରୁ ଦଳ ୯ ୱିକେଟ୍ ବିନିମୟରେ ୨୫୫ ରନ୍ର ସମ୍ମାନଜନକ ସ୍କୋର୍ କରିନେଇଥିଲା। ଶ୍ରୀଲଙ୍କା ପକ୍ଷରୁ ଈନୋକା ରଣବୀରା, ରଶ୍ମି ଡି ସିଲ୍ଭା ଓ ଅଧିନାୟିକା ଆଟାପଟୁ ୨ଟି ଲେଖାଏଁ ୱିକେଟ୍ ନେଇ ସଫଳ ବୋଲର ରହିଥିଲେ।
ଜବାବରେ ନିଲାକ୍ଷୀ ଡି ସିଲ୍ଭା (ଅପରାଜିତ ୪୮), ଆଟାପଟୁ (୪୪), ହାସିନି ପେରେରା (୩୯), ହର୍ଷିତା ମାଧବୀ (୨୨), ରଶ୍ମି ଡି ସିଲ୍ଭା (୧୮) ଓ ରଣବୀରା (୧୦)ଙ୍କ ଲଢ଼ୁଆ ପାଳି ସତ୍ତ୍ବେ ଶ୍ରୀଲଙ୍କା ୪୭.୩ ଓଭରରେ ୨୧୬ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ଭାରତ ପକ୍ଷରୁ ରାଜେଶ୍ବରୀ ଗାଏକ୍ବାଡ ୩, ମେଘନା ସିଂହ ଓ ପୂଜା ଭସ୍ତ୍ରକାର ୨ ଲେଖାଏଁ ୱିକେଟ୍ ଦଖଲ କରିଥିଲା ବେଳେ ଦୀପ୍ତି ଶର୍ମା, ହର୍ମନପ୍ରୀତ୍ କୌର ଓ ହର୍ଲିନ୍ ଦେଓଲ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।