ଆଜି ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଟି-୨୦ ମ୍ୟାଚ, ନେତୃତ୍ୱ ନେବେ ପାଣ୍ଡ୍ୟା
![](https://thetruths.in/wp-content/uploads/2023/08/India-vs-West-Indies-first-T20-1024x576.webp)
- ରାତି ୮ଟାରୁ ହେବ ସିଧାପ୍ରସାରଣ
- ଡେବ୍ୟୁ କରିପାରନ୍ତି ତିଲକ୍ ବର୍ମା
ତ୍ରିନିଦାଦ : ଓ୍ୱେଷ୍ଟଇଣ୍ଡିଜ୍ ଗସ୍ତରେ ଅଛି ଟିମ୍ ଇଣ୍ଡିଆ । ଟେଷ୍ଟ ସିରିଜ ଏବଂ ଦିନିକିଆ ସିରିଜ୍କୁ ନିଜ ନାଁରେ କବ୍ଜା କରିଥିବା ବେଳେ ଏବେ ନଜର ଟି-୨୦ ସିରିଜ୍ ଉପରେ । ଗୁରୁବାରଠୁ ଆରମ୍ଭ ହେବାକୁ ଯାଉଛି ଭାରତ-ଓ୍ୱିଷ୍ଟଇଣ୍ଡିଜ୍ ଟି-୨୦ ସିରିଜ୍ । ଏଥିପାଇଁ ଯୁବ ଦଳ ମଧ୍ୟ ପ୍ରସ୍ତୁତ ରହିଛନ୍ତି । ଘରୋଇ ଦଳ ମଧ୍ୟ ସମ୍ମାନ ବଞ୍ଚାଇବା ପାଇଁ ଟି-୨୦ ସିରିଜରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ବଦ୍ଧ ପରିକର ।
ଦିନିକିଆ ସିରିଜ ଜିତିବା ପରେ ଆଜିଠାରୁ ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚ୍ ଖେଳାଯିବ । ୫ଟି ମ୍ୟାଚ ବିଶିଷ୍ଟ ଟି-୨୦ ମ୍ୟାଚ୍ ପାଇଁ ଭାରତୀୟ ଟିମ୍ ପ୍ରସ୍ତୁତ ରହିଛି । ଆଜି ପ୍ରଥମ ଟି-୨୦ ମ୍ୟାଚ୍ ବ୍ରାଏନ ଲାରା ଷ୍ଟାଡିୟମରେ ଖେଳାଯିବ । ଭାରତୀୟ ସମୟାନୁସାରେ ଏହି ମ୍ୟାଚ ରାତି ୮ଟାରେ ହେବ । ଦିନିକିଆ ସିରିଜକୁ ୨-୧ରେ ଜିତିବା ପରେ ଏବେ ଟି-୨୦ ସିରିଜ ଉପରେ ଭାରତର ନଜର ରହିଛି । ଭାରତୀୟ ସମୟାନୁସାରେ ଆଜି ସନ୍ଧ୍ୟା ୭.୩୦ ମିନିଟରେ ଟସ୍ ପଡିବା ପରେ ରାତି ୮ଟାରୁ ଖେଳ ଆରମ୍ଭ ହେବ । ଟି-୨୦ ମ୍ୟାଚ ପ୍ରସାରଣ ଦୂରଦର୍ଶନରେ ଲାଇଭ ପ୍ରସାରଣ ହେବ । ଏହାଛଡା ଫ୍ୟାନକୋଡ ଆପ୍ ଏବଂ ୱେବସାଇଟ ଏବଂ ଜିଓ ସିନେମା ଜରିଆରେ ଦର୍ଶକ ଲାଇଭ ଷ୍ଟ୍ରିମ କରିହେବ । ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ୨୫ଟି ଟି-୨୦ ମ୍ୟାଚ୍ ଖେଳାଯାଇଛି । ସେଥିରୁ ୧୭ଟି ଭାରତ ଜିତିଥିବା ବେଳେ ୱେଷ୍ଟଇଣ୍ଡିଜ ମାତ୍ର ୭ଟି ଜିତିଛି। ଗୋଟିଏ ମ୍ୟାଚ ଡ୍ର ରହିଛି ।
ତେବେ ଟେଷ୍ଟ ଓ ଦିନିକିଆ ସିରିଜର ସଫଳତାକୁ ଦୋହରାଇବା ପାଇଁ ଭାରତୀୟ ଦଳ ତତ୍ପର । ରୋହିତ ଶର୍ମା, ବିରାଟ କୋହଲି, ରବିନ୍ଦ୍ର ଜାଡେଜା, ଜୟଦେବ ଉନାକତ, ମହମ୍ମଦ ସିରାଜ ପ୍ରମୁଖ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଯୁବ ଖେଳାଳିମାନେ ଦକ୍ଷତା ପ୍ରମାଣିତ କରିବାକୁ ପ୍ରୟାସ କରିବେ । ଅନ୍ୟପଟେ ଘରୋଇ ଦଳ କ୍ରିକେଟର ଏହି ଛୋଟ ଫର୍ମାଟ୍ରେ ବେଶ୍ ସଫଳ । ମାତ୍ର ଦୁର୍ଦ୍ଧର୍ଷ ବ୍ୟାଟରଙ୍କ ଅନୁପସ୍ଥିତି ଚିନ୍ତାର କାରଣ ହେବା ନିଶ୍ଚିତ । ବିଶ୍ୱର ସବୁ ଲିଗ୍ କ୍ରିକେଟ୍ରେ ଆତଙ୍କ ଖେଳାଇଥିବା ଆନ୍ଦ୍ରେ ରସେଲ, ନିକୋଲାସ ପୂରନଙ୍କ ଭଳି ଖେଳାଳି ଦଳରେ ନାହାନ୍ତି । ଅବଶ୍ୟ ବିସ୍ଫୋରକ ମଧ୍ୟକ୍ରମ ବ୍ୟାଟର ସିମରନ ହେତମାୟର ଓ ଦିନିକିଆ ଦଳର ଅଧିନାୟକ ସାଇ ହୋପ୍ ପ୍ରତ୍ୟାବର୍ତ୍ତନ କରିବା ଦଳ ପାଇଁ ଶୁଭ ସଂକେତ ।
ସେହିପରି ଭାରତୀୟ ଦଳର ବ୍ୟାଟିଂ ବିଭାଗ ଉପରେ ନଜର ରହିବ । ଓପନିଂ ବିଭାଗକୁ ନେଇ ଶୁଭମନ ଗିଲ, ଇଶାନ କିଷନ ଓ ଯଶସ୍ୱୀ ଜୈସ୍ୱାଲଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବା ନିଶ୍ଚିତ । ସୂର୍ଯ୍ୟକୁମାର ଯାଦବ, ପାଣ୍ଡ୍ୟା, ସଞ୍ଜୁ ସାମସନ ମଧ୍ୟକ୍ରମ ସମ୍ଭାଳିବେ । ତଥାପି ବାମ ହାତି ବ୍ୟାଟର ତିଳକ ବର୍ମାଙ୍କୁ ଏକାଦଶରେ ସାମିଲ କରିବା ପାଇଁ ଟିମ୍ ମ୍ୟାନେଜମେଣ୍ଟ ଯୋଜନା କରୁଛି । ମଧ୍ୟକ୍ରମରେ ଜଣେ ଦକ୍ଷ ବାମହାତୀ ବ୍ୟାଟରଙ୍କ ଅଭାବ ରହିଛି । ତେଣୁ ତିଳକଙ୍କୁ ସୁଯୋଗ ମିଳିପାରେ । ଅର୍ଶଦୀପ ସିଂହ ପେସ୍ ବୋଲିଂ ବିଭାଗର ନେତୃତ୍ୱ ନେବେ । ସ୍ପିନ ବିଭାଗକୁ ନେଇ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ । ଦଳରେ ୪ଜଣ ସ୍ପିନର ରହିଛନ୍ତି । ଜାଡେଜା ନଥିବାରୁ ଅକ୍ଷର ପଟେଲ ଖେଳିବା ନିଶ୍ଚିତ । ୱେଷ୍ଟ ଇଣ୍ଡିଜ୍ ବିପକ୍ଷରେ ଭାରତ ଶେଷ ୫ଟି ଟି-ଟ୍ୱେଣ୍ଟି ସିରିଜ ଜିତିଛି । ତେଣୁ ଗୁରୁବାର ମଧ୍ୟ ଭାରତର ପଲା ଭାରି ରହିବ ।
ଭାରତୀୟ ସାମ୍ଭାବ୍ୟ ଦଳ : ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ (ଉପ ଅଧିନାୟକ), ଇଶାନ କିଷନ, ଶୁଭମନ ଗିଲ୍, ଯଶସ୍ୱୀ ଜୈସ୍ୱାଲ, ତିଳକ ବର୍ମା, ସଞ୍ଜୁ ସାମସନ, ଅକ୍ଷର ପଟେଲ, ୟୁଝବେନ୍ଦ୍ର ଚହଲ, କୁଲଦୀପ ଯାଦବ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ଉମ୍ରାନ ମଲିକ, ଅଭେଶ ଖାନ, ମୁକେଶ କୁମାର ।
ୱେଷ୍ଟ ଇଣ୍ଡିଜ୍ ସାମ୍ଭାବ୍ୟ ଦଳ : ରୋଭମାନ ପାୱେଲ୍ (ଅଧିନାୟକ), କେଲି ମାୟର୍ସ, ଜନସନ ଚାର୍ଲ୍ସ, ରଷ୍ଟନ ଚେଜ, ସିମରନ ହେତମାୟର, ଜାସନ ହୋଲ୍ଡର, ସାଇ ହୋପ, ଅକିଲ୍ ହୋସେନ, ଅଲଜାରୀ ଜୋଶେଫ, ବ୍ରାଣ୍ଡନ କିଙ୍ଗ, ଓବେଡ୍ ମ୍ୟାକ୍କୟ, ନିକୋଲାସ ପୂରନ, ରୋମାରିଓ ସେପର୍ଡ, ଓଡିନ ସ୍ମିଥ୍, ଓସେନ ଥୋମାସ ।