ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆ : ସୂର୍ଯ୍ୟ, ଈଶାନ, ସଞ୍ଜୁ, ଚହଲଙ୍କ ଉପରେ ନଜର
ମୁମ୍ବାଇ : ଆଜିଠୁ ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍। ଏହି ସିରିଜ୍ ଆରମ୍ଭ ହେବା ସହ ଦିନିକିଆ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ଗୁରୁବାର ସନ୍ଧ୍ୟା ୭ଟାରେ ଖେଳାଯିବ ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆ ମ୍ୟାଚ। ଓ୍ୱେଷ୍ଟଇଣ୍ଡିଜ୍ର ବାର୍ବୋଡୋସ୍ରେ ଖେଳାଯିବ ଏହି ମୁକାବିଲା ।
ଏହି ୩ ମ୍ୟାଚ୍ର ଶୃଙ୍ଖଳା ଘରୋଇମାଟିରେ ଦିନିକିଆ ବିଶ୍ବକପ୍ ଲାଗି ଅଭ୍ୟାସ ଭାବେ ବ୍ୟବହାର କରିବ ଭାରତ। ଦୁର୍ଭାଗ୍ୟବଶତଃ ୱେଷ୍ଟଇଣ୍ଡିଜ୍ ପ୍ରଥମଥର ବିଶ୍ବକପ୍ ଖେଳିବ ନାହିଁ। ବିଶ୍ବକପ୍ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନିକିଆ ଉପରେ କ୍ରିକେଟ୍ପ୍ରେମୀଙ୍କ ନଜର ରହିବ। ଟେଷ୍ଟ ଶୃଙ୍ଖଳାରେ ପ୍ରାଧାନ୍ୟ ବିସ୍ତାର କରିବା ପରେ ଭାରତ ଦିନିକିଆ ଶୃଙ୍ଖଳା ଜିତିବାକୁ ମଧ୍ୟ ଫେଭରିଟ୍। ହେଲେ ଜିମ୍ବାୱେରେ ଆୟୋଜିତ ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟରେ କ’ଣ ତ୍ରୁଟି ରହିଲା; ତା’ର ବ୍ୟବଚ୍ଛେଦ କରିବ ୱେଷ୍ଟଇଣ୍ଡିଜ୍। ଜିମ୍ବାୱେ, ନେଦରଲାଣ୍ଡ୍ସ, ସ୍କଟ୍ଲାଣ୍ଡ ଓ ଶ୍ରୀଲଙ୍କାଠାରୁ ପରାସ୍ତହୋଇ ୨ ଥର ବିଶ୍ବ ଚମ୍ପିଆନ୍ ୱେଷ୍ଟଇଣ୍ଡିଜ୍ ବିଶ୍ବକପ୍ ଖେଳିବାରୁ ବଞ୍ଚିତ ହୋଇଛି।
ଚଳିତ ବର୍ଷ ଭାରତରେ ଆଇସିସି ଦିନିକିଆ ବିଶ୍ୱକପ୍ ୨୦୨୩ ଖେଳାଯିବ । ବିସିସିଆଇ ଏବଂ ଆଇସିସି ପକ୍ଷରୁ ଖେଳସୂଚୀ ଘୋଷଣା କରାଯାଇଛି । ଅକ୍ଟୋବର ୫ରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲା ଖେଳାଯିବାକୁ ଥିବା ବେଳେ ଅକ୍ଟୋବର ୮ରେ ଭାରତୀୟ ଟିମ୍ ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ । କିଛି ଦିନ ତଳେ ଭାରତ ଓ୍ୱେଷ୍ଟଇଣ୍ଡିଜ୍କୁ ୧-୦ରେ ଟେଷ୍ଟ ସିରିଜ୍ରେ ପରାସ୍ତ କରିଛି । ଦୁଇ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍କୁ କବ୍ଜା କରିଛି ଟିମ୍ ଇଣ୍ଡିଆ । ତେବେ ବିଶ୍ୱକପ୍ ପୂର୍ବରୁ ଭାରତୀୟ ଟିମ୍ ୧୨ଟି ଦିନିକିଆ ମ୍ୟାଚ୍ ଖେଳିବ । ଏଥିରୁ ୬ଟି ମ୍ୟାଚ୍ ଓ୍ୱେଷ୍ଟଇଣ୍ଡିଜ୍ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ ଭାରତ । ଏହାବାଦ୍ ଏସିଆ କପ୍ରେ ୬ଟି ମ୍ୟାଚ୍ ବି ଖେଳିବ । ତେଣୁ ଖେଳାଯିବାକୁ ଥିବା ଏହି ୧୨ଟି ମ୍ୟାଚ୍ ଜିତି ବିଶ୍ୱକପ୍ ପ୍ରସ୍ତୁତିକୁ ଜୋରଦାର କରିବାକୁ ଯୋଜନା କରିଛି ଟିମ୍ ଇଣ୍ଡିଆ ।
ଏହି ଶୃଙ୍ଖଳା ଜରିଆରେ ବିଶ୍ବକପ୍କୁ ଦୃଷ୍ଟିରେ ରଖି ସୂର୍ଯ୍ୟକୁମାର ଯାଦବ, ଈଶାନ କିଶନ, ସଞ୍ଜୁ ସାମସନ୍ ଓ ୟୁଝବେନ୍ଦ୍ର ଚହଲଙ୍କ ପ୍ରଦର୍ଶନ ଉପରେ ଅଧିକ ନଜର ରହିବ। ସୂର୍ଯ୍ୟକୁମାର ଟ୍ବେଣ୍ଟି-୨୦ ପ୍ରଦର୍ଶନକୁ ଦିନିକିଆରେ ଦେଖାଇବାରେ ବିଫଳ ହୋଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାରେ ହ୍ୟାଟ୍ରିକ୍ ‘ଶୂନ’ କରିବାରେ ବିରଳ ରେକର୍ଡ କରିଥିଲେ। ତେବେ ଶ୍ରେୟସ ଆୟରଙ୍କ ଅନୁପସ୍ଥିତିରେ ୪ ନମ୍ବର ସ୍ଥାନରେ ତାଙ୍କୁ ଖେଳାଯିବା ସମ୍ଭାବନା ରହିଛି। ସେହିପରି ଅସ୍ତ୍ରୋପଚାର ପରଠୁ ଥଇଥାନ ପର୍ଯ୍ୟାୟରେ ଥିବା କେଏଲ୍ ରାହୁଲଙ୍କ ସ୍ଥାନରେ ୱିକେଟ୍ କିପିଂ ଦାୟିତ୍ବ କାହାକୁ ମିଳିବ ତାହା ମଧ୍ୟ ବଡ଼ ପ୍ରସଙ୍ଗ ରହିଛି। ଉଭୟ କିଶନ ଓ ସାମସନ୍ ଭାରତର ବିଶ୍ବକପ୍ ଦଳରେ ଦ୍ବିତୀୟ କିପର ସ୍ଥାନ ପାଇଁ ଲଢ଼େଇ କରିବେ। ଭାରତୀୟ ଦଳରେ ସାମସନ୍ଙ୍କ ଯିବା ଆସିବା ଲାଗି ରହିଥିଲା ବେଳେ କିଶନ ଟେଷ୍ଟରେ ଭଲ ପ୍ରଦର୍ଶନ ଦେଇଛନ୍ତି। ରୋହିତ ଶର୍ମା ଓ ଶୁବମନ ଗିଲ୍ ପାଳି ଆରମ୍ଭ କରିପାରନ୍ତି। ଏପରି ହେଲେ ଋତୁରାଜ ଗାଏକ୍ବାଡଙ୍କୁ ଅଧିକ ସମୟ ବେଞ୍ଚରେ ବସିବାକୁ ପଡ଼ିପାରେ। ବୋଲିଂ ବିଭାଗରେ ଯୁବ ଦ୍ରୁତ ବୋଲର ଉମ୍ରାନ ମଲ୍ଲିକଙ୍କ ପାଖରେ ବଡ଼ ସୁଯୋଗ ରହିବ। ଯଦିଓ ସେ ସାମାନ୍ୟ ରନ୍ ବ୍ୟୟ କରୁଛନ୍ତି, କିନ୍ତୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅଧିକ ୱିକେଟ୍ ପାଇପାରିଲେ ଆତ୍ମବିଶ୍ବାସ ବଢ଼ିବ। ମହମ୍ମଦ ସିରାଜଙ୍କ ନେତୃତ୍ବାଧିନ ବୋଲିଂ କ୍ରମରେ ଜୟଦେବ ଉନାଦକଟ୍, ମୁକେଶ କୁମାର, ଶାର୍ଦୁଳ ଠାକୁର ଅନ୍ୟତମ ବିକଳ୍ପ ରହିଛନ୍ତି। ସ୍ପିନରଙ୍କ ମଧ୍ୟରେ ଚହଲ ଓ କୁଲଦୀପ ଯାଦବଙ୍କ ମଧ୍ୟରୁ ଦ୍ବିତୀୟ ଜଣଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରାଧାନ୍ୟ ଦିଆଯାଇଥିଲା। ତେଣୁ ଚହଲ ସୁଯୋଗ ପାଇବା ପାଇଁ ବ୍ୟାକୁଳ ଅଛନ୍ତି।
ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍ :-
ଜୁଲାଇ ୨୭ : ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆ – କେନ୍ସିଙ୍ଗଟୋନ୍ ଓଭାଲ, ବାର୍ବୋଡସ
ଜୁଲାଇ ୨୯ : ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ୨ୟ ଦିନିକିଆ – କେନ୍ସିଙ୍ଗଟୋନ୍ ଓଭାଲ, ବାର୍ବୋଡସ
ଅଗଷ୍ଟ ୧ : ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ୩ୟ ଦିନିକିଆ –କୁଇନ୍ସ ପାର୍କ, ଓଭାଲ, ତ୍ରିନିବାଦ୍
ଭାରତ ସମ୍ଭାବ୍ୟ ଦଳ : ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ସଞ୍ଜୁ ସାମସନ/ଇଶାନ କିଷନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଉମ୍ରାନ ମଲିକ/ମୁକେଶ କୁମାର ।
ୱେଷ୍ଟ ଇଣ୍ଡିଜ୍ ସମ୍ଭାବ୍ୟ ଦଳ : ବ୍ରାଣ୍ଡନ କିଙ୍ଗ୍, କେଲି ମାୟର୍ସ, କେସି କାର୍ଟି, ସାଇ ହୋପ୍(ଅଧିନାୟକ), ସିମରନ ହେତମାୟର, ରୋଭମାନ ପାୱେଲ୍, ରୋମାରିଓ ସେପର୍ଡ, କେଭିନ ସିନକ୍ଲେୟାର, ଅଲଜାରୀ ଜୋଶେଫ, ଗୁଦାକେଶ ମୋତି/ଓସେନ ଥୋମାସ, ଜେଡେନ ସିଲ୍ସ ।