ଦ୍ୱିତୀୟ ଟି-୨୦ : ଟସ ଜିତି ଭାରତ ବିପକ୍ଷରେ ବୋଲିଂ ନିଷ୍ପତ୍ତି ନେଲା ଇଂଲଣ୍ଡ
ନୂଆଦିଲ୍ଲୀ : ଆଜି ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଦ୍ୱିତୀୟ ଟି-୨୦ ଖେଳାଯିବ। ଏହି ମ୍ୟାଚରେ ଟସ ଜିତି ଭାରତ ବିପକ୍ଷରେ ବୋଲିଂ ନିଷ୍ପତ୍ତି ନେଲା ଇଂଲଣ୍ଡ । ପ୍ରଥମ ମ୍ୟାଚ୍ରେ ଭାରତ ୫୦ ରନ୍ରେ ବିଶାଳ ବିଜୟ ହାସଲ କରିଥିଲା । ଆଜିର ମ୍ୟାଚ୍ରେ ବି ବିଜୟ ସହ ସିରିଜ ନିଶ୍ଚିତ କରିବାକୁ ଦଳ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ଜୋସ ବଟଲରଙ୍କ ଇଂଲଣ୍ଡ ଦଳ ଲଢୁଆ ଖେଳ ପ୍ରଦର୍ଶନ କରି ସିରିଜକୁ ଫେରିବାକୁ ଯୋଜନା ପ୍ରସ୍ତୁତ କରୁଛି ।
ପ୍ରଥମ ମ୍ୟାଚ୍ରେ ଭାରତ ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ହେଁ ଦୀପକ ହୁଡ଼ା ଓ ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଦର୍ଶନ ପ୍ରଭାବଶାଳୀ ରହିଥିଲା। ଚୂଡ଼ାନ୍ତ ଏକାଦଶ ବଦଳି ଯିବ । ପ୍ରଥମ ମ୍ୟାଚ୍ରୁ ବିଶ୍ରାମ ନେଇଥିବା ବିରାଟ କୋହଲି, ରିଷଭ ପନ୍ତ, ଶ୍ରେୟାସ ଆୟର, ରବିନ୍ଦ୍ର ଜାଡେଜା ଓ ଜଶପ୍ରୀତ ବୁମରା ଦଳକୁ ଫେରିଛନ୍ତି । ମ୍ୟାଚ୍ ପାଇଁ ଏକାଦଶ ଚୟନ ସହଜ ହେବ ନାହିଁ । ବିଶେଷ କରି ବ୍ୟାଟିଂ କ୍ରମର ୩ ଓ ୪ନଂ ସ୍ଥାନ ପାଇଁ କୋହଲି, ସୂର୍ଯ୍ୟକୁମାର, ହୁଡ଼ା, ଆୟରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ପନ୍ତ ୫, ପାଣ୍ଡ୍ୟା ୬ ଓ ଜାଡେଜା ୭ନଂ ସ୍ଥାନରେ ବ୍ୟାଟିଂ କରିବେ। ଅକ୍ଷର ପଟେଲ, ଦିନେଶ କାର୍ତ୍ତିକ, ଅର୍ଶଦୀପ ସିଂହ ଦଳରୁ ବାଦ ପଡିଛନ୍ତି। ଇଂଲଣ୍ଡ ଦଳରେ ପରିବର୍ତ୍ତନ ସମ୍ଭାବନା ନାହିଁ। ହେଲେ ବ୍ୟାଟିଂ ବିଭାଗରେ ଉନ୍ନତି କରିବାକୁ ଇଂଲଣ୍ଡ ପ୍ରାଥମିକତା ଦେବ। ବଟଲର, ଜାସନ ରୟ ଓ ଲାଏମ ଲିଭିଂଷ୍ଟୋନ ଦକ୍ଷତା ମୁତାବକ ପ୍ରଦର୍ଶନ କଲେ ଇଂଲଣ୍ଡ ସିରିଜକୁ ଫେରିପାରିବ। ଏଜବାଷ୍ଟନ ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ । ପ୍ରଥମେ ବ୍ୟାଟିଂ କରୁଥିବା ଦଳର ବିଜୟ ରେକର୍ଡ ସର୍ବାଧିକ ରହିଛି । ଏଠାରେ ଶେଷ ୮ଟି ମ୍ୟାଚ୍ରୁ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ବିଜୟୀ ହୋଇଛନ୍ତି । ଭାରତ ଓ ଇଂଲଣ୍ଡ ମଧ୍ୟରେ ଶେଷ ଟେଷ୍ଟ ଏହି ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଥିଲା । ତେଣୁ ଭାରତୀୟ ଖେଳାଳିମାନେ ଏଠାକାର ପିଚ୍ ସହ ପରିଚିତ ଅଛନ୍ତି ।
ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଇଶାନ କିଷନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ/ଦୀପକ ହୁଡ଼ା/ଶ୍ରେୟାସ ଆୟର, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ହର୍ଷଲ ପଟେଲ, ଭୁବନେଶ୍ୱର କୁମାର, ୟୁଝବେନ୍ଦ୍ର ଚହଲ, ଜଶପ୍ରୀତ ବୁମରା ।
ଇଂଲଣ୍ଡ ଦଳ: ଜୋସ ବଟଲର(ଅଧିନାୟକ), ଜାସନ ରୟ, ଦାୱିଦ ମଲାନ, ମୋଇନ ଅଲି, ଲାଏମ ଲିଭିଂଷ୍ଟୋନ, ହ୍ୟାରୀ ବ୍ରୁକ, ସାମ କୁରାନ, କ୍ରିସ ଜୋର୍ଡାନ, ଡେଭିଡ୍ ୱିଲି, ରିଚାର୍ଡ ଗ୍ଲିସନ, ମାଟ ପାର୍କିନସନ ।