ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ! ଆହତ ସମସ୍ୟା ବଢାଇଲା ଚିନ୍ତା, ଏମିତି ହୋଇପାରେ ଚୂଡାନ୍ତ ଏକାଦଶ
![](https://thetruths.in/wp-content/uploads/2022/06/India-vs-South-Africa-T-20-Series-1024x597.png)
ନୂଆଦିଲ୍ଲୀ : ଆଜି ଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଆରମ୍ଭ ହେବ। ଅରୁଣ ଜେଟ୍ଲି ଷ୍ଟାଡିୟମ୍ରେ ଖେଳାଯିବ ପ୍ରଥମ ମ୍ୟାଚ । ହେଲେ ଏହା ପୂର୍ବରୁ ଭାରତୀୟ ଦଳକୁ ଜୋରଦାର ଝଟକା ଲାଗିଛି। ଆହତ କାରଣରୁ ସିରିଜରୁ ବାଦ୍ ପଡିଛନ୍ତି କେଏଲ ରାହୁଲ ଏବଂ କୁଲଦୀପ ଯାଦବ। କେଏଲ ରାହୁଲ ଦଳର ଅଧିନାୟକ ଥିବା ବେଳେ କୁଲଦୀପଙ୍କ ଖେଳିବାର ସମ୍ଭାବନା ଥିଲା। ଦୁଇ ଖେଳାଳି ବାଦ୍ ପଡିବା ଦଳର ଚିନ୍ତା ବଢି ଯାଇଛି।
ଗତ ଆଇପିଏଲ୍ରେ ଚମତ୍କାର ଫର୍ମ ଦେଖାଇଥିବା ଅଧିନାୟକ କେଏଲ୍ ରାହୁଲ ଆହତ ଯୋଗୁଁ ମ୍ୟାଚ୍ର ଦିନକ ପୂର୍ବରୁ ପୂରା ଶୃଙ୍ଖଳାରୁ ବାଦ୍ ପଡ଼ିଛନ୍ତି। ନେଟ୍ସରେ ଅଭ୍ୟାସ ବେଳେ ବୁଧବାର ରାହୁଲ ଆହତ ହୋଇଛନ୍ତି। ତାଙ୍କ ସହିତ ଚାଇନାମ୍ୟାନ୍ ସ୍ପିନର କୁଲ୍ଦୀପ ଯାଦବ ମଧ୍ୟ ସମାନ କାରଣ ପାଇଁ ବାଦ୍ ପଡ଼ିଛନ୍ତି ବୋଲି ବିସିସିଆଇ ସୂଚନା ଦେଇଛି। ଉଭୟ ରାହୁଲ ଓ କୁଲ୍ଦୀପ ଏବେ ପୁନଃଥଇଥାନ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ବେଙ୍ଗାଲୁରୁସ୍ଥିନ ନ୍ୟାସ୍ନାଲ କ୍ରିକେଟ୍ ଏକାଡେମୀରେ ରିପୋର୍ଟ କରିବାକୁ କୁହାଯାଇଛି। ସେଠାରେ ଡାକ୍ତରୀ ଦଳ ସେମାନଙ୍କ ଆଘାତର ଆକଳନ କରିବା ପରେ ପରବର୍ତୀ ଚିକିତ୍ସା ସଂପର୍କରେ ସ୍ଥିର କରିବେ। ଉଭୟ ରାହୁଲ ଓ କୁଲ୍ଦୀପଙ୍କ ବଦଳ ଖେଳାଳି ନେଇ ବିସିସିଆଇ କୌଣସି ନିଷ୍ପତ୍ତି ନେଇନି। ବିଶେଷକରି ପ୍ରମୁଖ ଖେଳାଳି ଭାବେ ନୟମିତ ଅଧିନାୟକ ରୋହିତ ଶର୍ମା, ପୂର୍ବତନ ଅଧିନାୟକ ବିରାଟ କୋହଲି, ଦୁଇ ଦ୍ରୁତ ବୋଲର ଯଶ୍ପ୍ରୀତ୍ ବୁମ୍ରା ଏବଂ ମହମ୍ମଦ ସାମି ଦଳରୁ ବିଶ୍ରାମ ପାଇଥିଲା ବେଳେ ଏବେ ରାହୁଲ ଓ କୁଲ୍ଦୀପଙ୍କ ବାଦ୍ ପଡ଼ିବା ଭାରତର ଚିନ୍ତା ବଢ଼ାଇ ଦେଇଥିଲା ବେଳେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ଆଶ୍ବସ୍ତ କରିଛି। ତେବେ ବୁଧବାର ରାହୁଲ ଆହତ ଯୋଗୁଁ ବାଦ୍ ପଡ଼ିବା ପରେ ତାଙ୍କ ସ୍ଥାନରେ ଉପଅଧିନାୟକ ଋଷଭ ପନ୍ତ୍ଙ୍କୁ ନେତୃତ୍ବ ଭାର ଅର୍ପଣ କରାଯାଇଛି। ଅନ୍ୟପକ୍ଷରେ ପନ୍ତ୍ଙ୍କୁ ସହାୟତା କରିବା ପାଇଁ ଗତ ଆଇପିଏଲ୍ ବିଜେତା ଗୁଜରାଟ ଟାଇଟନ୍ସ ଅଧିନାୟକ ତଥା ଅଲ୍ରାଉଣ୍ଡର ହାର୍ଦିକ୍ ପାଣ୍ଡ୍ୟାଙ୍କୁ ଉପଅଧିନାୟକ ମନୋନୀତ କରାଯାଇଛି।
ଋଷଭ ପନ୍ତଙ୍କୁ ଦଳର ଅଧିନାୟକ କରାଯାଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ଏବେ ଦଳ ପ୍ରବନ୍ଧକଙ୍କୁ ବାକି ୧୬ ଖେଳାଳିଙ୍କ ମଧ୍ୟରୁ ଚୂଡାନ୍ତ ଏକାଦଶ ଚୟନ କରିବାକୁ ପଡିବ। ଏହି କାମ ମୁସ୍କିଲ ଏଥିପାଇଁ ଲାଗୁଛି କାରଣ ପ୍ରତିଟି ଖେଳାଳି ଲୟରେ ଅଛନ୍ତି। ତେଣୁ ଚୂଡାନ୍ତ ଏକାଦଶରେ କେଉଁ ଖେଳାଳିଙ୍କୁ ସୁଯୋଗ ଦିଆଯିବ ଏବଂ କାହାକୁ ବାହାରେ ରଖାଯିବ ତାକୁ ନେଇ ପ୍ରବନ୍ଧକଙ୍କୁ ଭାବି ଚିନ୍ତି ନିଷ୍ପତ୍ତି ନେବାକୁ ପଡିପାରେ। ସମ୍ଭାବ୍ୟ ଉପରେ ନଜର ପକାଇଲେ ଓପନର ଭାବେ ଋତୁରାଜ ଗାଏକଓ୍ଵାଡ ଏବଂ ଇଶାନ କିଷନଙ୍କୁ ଦଳରେ ସୁଯୋଗ ମିଳିପାରେ। ତିନି ନମ୍ବର ପାଇଁ ଶ୍ରେୟସ ଆୟର, ଚାରି ନମ୍ବରରେ ଅଧିନାୟକ ଋଷଭ ପନ୍ତ, ୫ ନମ୍ବରରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଷଷ୍ଠରେ ଦିନେଶ କାର୍ତ୍ତିକଙ୍କୁ ସୁଯୋଗ ଦିଆଯାଇପାରେ। ବୋଲିଂରେ ଅକ୍ଷର ପଟେଲ୍, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ଵର କୁମାର, ହର୍ଷଲ ପଟେଲ୍ ଏବଂ ଅର୍ଶଦୀପ ସିଂଙ୍କୁ ଦଳରେ ସ୍ଥାନ ମିଲିପାରେ। ଏହି ସ୍ଥିତିରେ ଦୀପକ ହୁଡ୍ଡା, ଭେଙ୍କଟେଶ ଆୟର, ରବି ବିଷ୍ଣୋଇ, ଅଭେଶ ଖାନ ଏବଂ ଉମରାନ ମଲିକଙ୍କୁ ବାହାରେ ବସିବାକୁ ପଡିପାରେ।
ଭାରତର ସମ୍ଭାବିତ ଚୂଡାନ୍ତ ଏକାଦଶ :
ଋତୁରାଜ ଗାଏକଓ୍ଵାଡ, ଇଶାନ କିଷନ, ଶ୍ରେୟସ ଆୟର, ଋଷଭ ପନ୍ତ(ଅଧିନାୟକ ଏବଂ ଓ୍ଵିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ଅକ୍ଷର ପଟେଲ୍, ଭୁବନେଶ୍ଵର କୁମାର, ହର୍ଷଲ ପଟେଲ୍, ଅର୍ଶଦୀପ ସିଂହ ଏବଂ ୟୁଜବେନ୍ଦ୍ର ଚହଲ।