ବାତିଲ ହେବ ଭାରତ-ପାକିସ୍ତାନ ଟି-୨୦ ବିଶ୍ୱକପ ମ୍ୟାଚ୍
![](https://thetruths.in/wp-content/uploads/2021/10/Union-Minister-Giriraj-Singh-1024x538.jpg)
ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରେ ଗତ କିଛିଦିନ ହେଲା ଲଗାତାର ଭାବେ ଆତଙ୍କବାଦୀ ଆକ୍ରମଣ ଫଳରେ ୯ଜଣ ଭାରତୀୟ ସେନା ସହିଦ ହୋଇସାରିଲେଣି । ପାକିସ୍ତାନ ସମର୍ଥିତ ଆତଙ୍କବାଦୀମାନେ ବାରମ୍ବାର ଆକ୍ରମଣ କରୁଛନ୍ତି । ସୀମାପାର କରି ପାକିସ୍ତାନୀ ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ କରିବାରେ ଲାଗିଛନ୍ତି । ଏଥିପାଇଁ ସୀମାରେ ବାରମ୍ବାର ଗୁଳି ବିନିମୟ ହେଉଛି । ଏବେ ଜାମ୍ମୁ କାଶ୍ମୀରରେ ସାଧାରଣ ଜନତାଙ୍କୁ ଟାର୍ଗେଟ୍ କରୁଛନ୍ତି ଆତଙ୍କୀ । କିଛି ଦିନ ପୂର୍ବରୁ ଜାମ୍ମୁ କାଶ୍ମୀରର ବାଙ୍କା ଅଞ୍ଚଳରେ ଜଣେ ଗୁପ୍ଚୁପ୍ ବିକ୍ରେତାଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କବାଦୀ । ଏବେ ସେହି ମୃତକଙ୍କ ପରିବାର ଲୋକେ, ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପରେ ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ ରଦ୍ଦ କରିବାକୁ ଦାବି କରିଛନ୍ତି । ମୃତକଙ୍କ ପିତା କହିଛନ୍ତି, ଭାରତ-ପାକିସ୍ତାନ ମ୍ୟାଚ ରଦ୍ଦ ହେବା ଉଚିତ । ସରକାର ଏ ନେଇ ଆକ୍ସନ ନେବା ଆବଶ୍ୟକ । ଏହା ସହିତ ପୁଅର ମୃତ୍ୟୁ ପାଇଁ ଭାରତ ସରକାରଙ୍କ ଠାରୁ ୫୦ ଲକ୍ଷ ଟଙ୍କା ଦାବି କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଗିରିରାଜ୍ ସିଂହ ମଧ୍ୟ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ‘ଯଦି ୨ ଦେଶ ମଧ୍ୟରେ ସମ୍ପର୍କ ଠିକ୍ ନାହିଁ ତେବେ ଏ ବାବଦରେ ବିଚାର ବିମର୍ଷ କରାଯିବା ଉଚିତ । ପାକିସ୍ତାନର ଆତଙ୍କବାଦୀ ଚେହେରା ସାରା ବିଶ୍ବ ସାମ୍ନାକୁ ଆସିସାରିଛି । ଏହାର ପରିଣାମ ମଧ୍ୟ ପାକିସ୍ତାନକୁ ଭୋଗିବାକୁ ପଡିବ ।’ କେବଳ ଗିରିରାଜ ସିଂହ ନୁହେଁ, ପଞ୍ଜାବ ସରକାରରେ ମନ୍ତ୍ରୀ ଥିବା ପରଗଡ ସିଂହ ମଧ୍ୟ ଏ ନେଇ ମତ ଦେଇଛନ୍ତି । ସେ କହିଛନ୍ତି, ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ହେବା ଉଚିତ ନୁହେଁ କାରଣ ସୀମାରେ ସ୍ଥିତି ଠିକ୍ ନାହିଁ । ଉଭୟଙ୍କ ମଧ୍ୟରେ ଟକରାଟକରି ଜାରିରହିଛି । ତେଣୁ ଉଭୟ ଦେଶ ଶାନ୍ତି ବଜାୟ ରଖିବା ଦିଗରେ କାର୍ଯ୍ୟ କରିବା ଉଚିତ । ଆମେ ଅସ୍ତ୍ରଶସ୍ତ୍ରରେ ପ୍ରଚୁର ଟଙ୍କା ଖର୍ଚ୍ଚ କରୁଛେ ଯେଉଁଥିପାଇଁ ଆମେ ଆମ ପିଲାମାନଙ୍କୁ ଭଲ ଶିକ୍ଷା ଦେଇପାରିବା ନାହିଁ । ସେ କହିଛନ୍ତି ପାକିସ୍ତାନ ଆମ ପଡୋଶୀ ତେଣୁ ତାକୁ ପଡୋଶୀ ଭଳି ବ୍ୟବହାର କରାଯିବା ଉଚିତ । ସୂଚନାଯୋଗ୍ୟ, ଗତ କିଛି ଦିନ ହେଲା ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧିପାଇଛି । ବିଶେଷ କରି ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରୁଛନ୍ତି ପାକିସ୍ତାନୀ ଆତଙ୍କୀ । ବିଗତ କିଛି ଦିନ ମଧ୍ୟରେ ଅନେକ ସାଧାରଣ ଲୋକଙ୍କ ଜୀବନ ନେଲେଣି । ଭାରତୀୟ ସେନା ପକ୍ଷରୁ ଅପରେସନ ବେଳେ ଅନେକ ଆତଙ୍କବାଦୀ ମଧ୍ୟ ନିହତ ହେଲେଣି । ଗତ ସପ୍ତାହକ ମଧ୍ୟରେ ୯ ଜଣ ଯବାନ ସହିଦ ହୋଇଛନ୍ତି । ଏଥିପାଇଁ ପାକିସ୍ତାନକୁ ଟାର୍ଗେଟ୍ କରାଯାଇ ଭାରତ ବିପକ୍ଷରେ ହେବାକୁ ଥିବା ମ୍ୟାଚ୍ ବାତିଲ କରିବାକୁ ବିଭିନ୍ନ ମହଲରେ ଦାବି ଉଠୁଛି ।