ଭାରତ-ନ୍ୟୁଜିଲ୍ୟାଣ୍ଡ ତୃତୀୟ ଦିନିକିଆ : ସିରିଜ ବଞ୍ଚାଇବା ପାଇଁ ଶିଖର ଧାୱନଙ୍କୁ କରିବାକୁ ହେବ ଏହି କାମ, ଜାଣନ୍ତୁ କଣ
![](https://thetruths.in/wp-content/uploads/2022/10/Indian-Cricket-Team-1024x569.jpg)
ନୂଆଦିଲ୍ଲୀ : ବର୍ତ୍ତମାନ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଅଛି । ଏଠାରେ ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପ୍ରଥମେ ଟି-୨୦ ସିରିଜ ଖେଳ ସରିଛି। ଏବେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦିନିକିଆ ସିରିଜ ଚାଲିଛି । ଏହି ସିରିଜରେ ପ୍ରଥମ ଦିନିକିଆରେ ଭାରତୀୟ ଦଳକୁ ୭ ୱିକେଟରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ସେପଟେ ବର୍ଷା ଯୋଗୁଁ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ବାତିଲ କରାଯାଇଥିଲା । ଏହି ସିରିଜରେ ଟିମ୍ ଇଣ୍ଡିଆ ୦-୧ରେ ପଛରେ ରହିଛି । ଏଭଳି ପରିସ୍ଥିତିରେ ଭାରତୀୟ ଦଳକୁ ଯେକୌଣସି ମୂଲ୍ୟରେ ବୁଧବାର ଖେଳାଯିବାକୁ ଥିବା ତୃତୀୟ ଦିନିକିଆ ଜିତିବାକୁ ପଡ଼ିବ । ଏଥିପାଇଁ ଅଧିନାୟକ ଶିଖର ଧାୱନଙ୍କୁ ଖରାପ ଫର୍ମ ସହ ସଂଘର୍ଷ କରୁଥିବା ଅନେକ ଖେଳାଳିଙ୍କୁ ଦଳରୁ ବାହାରର ରାସ୍ତା ଦେଖାଇବାକୁ ପଡ଼ିବ ।
ପ୍ରଥମ ଦିନିକିଆରେ ୟୁଜବେନ୍ଦ୍ର ଚହଲ ନିଜ ନାମ ଅନୁଯାୟୀ ପ୍ରଦର୍ଶନ କରିପାରିନଥିଲେ । ସେ ନିଜ ୧୦ ଓଭରରେ ୬୭ ରନ୍ ଦେଇ ଗୋଟିଏ ୱିକେଟ୍ ମଧ୍ୟ ପାଇପାରିନଥିଲେ । ଏଭଳି ପରିସ୍ଥିତିରେ ଭାରତୀୟ ଅଧିନାୟକ ଶିଖର ଧାୱନ ୟୁଜବେନ୍ଦ୍ର ଚହଲଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ ଦେଇ ପାରନ୍ତି । କୁଲଦୀପ ଯାଦବଙ୍କୁ ତାଙ୍କ ସ୍ଥାନରେ ଏକ ସୁଯୋଗ ମିଳିପାରେ । କୁଲଦୀପ ଯାଦବ ଦଳରେ ସୁଯୋଗ ପାଇବାକୁ ଅପେକ୍ଷା କରି ବସିଛନ୍ତି । କୂଲଦୀପ ଯାଦବ ଭାରତ ପାଇଁ ୭୨ଟି ଦିନିକିଆରେ ୧୧୮ ୱିକେଟ୍ ନେଇଛନ୍ତି ।
ସେହିପରି ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ ଋଷଭ ପନ୍ତଙ୍କୁ ଯେତିକି ସୁଯୋଗ ମିଳିଛି, ସେତିକି ସୁଯୋଗ ସଞ୍ଜୁ ସାମସନଙ୍କୁ ମିଳିନାହିଁ । ସଞ୍ଜୁ ସାମସନ୍ ଦମଦାର୍ ଫର୍ମରେ ଅଛନ୍ତି । ଏଭଳି ପରିସ୍ଥିତିରେ ଟିମ୍ ଇଣ୍ଡିଆର ବ୍ୟାଟିଂ କ୍ରମକୁ ମଜବୁତ କରିବାକୁ ଅଧିନାୟକ ଶିଖର ଧାୱନ ସଞ୍ଜୁ ସାମସନଙ୍କୁ ସୁଯୋଗ ଦେଇପାରନ୍ତି । ସଞ୍ଜୁ ସାମସନଙ୍କର ଏପରି କ୍ଷମତା ଅଛି ଯେ ସେ ଯେକୌଣସି ବୋଲିଂ ଆକ୍ରମଣକୁ ଧ୍ୱସ୍ତ କରିପାରିବେ । ସେ ଭାରତ ପାଇଁ ୧୧ଟି ଦିନିକିଆ ମ୍ୟାଚରେ ୩୩୦ ରନ୍ ସଂଗ୍ରହ କରିଛନ୍ତି ।
ଏଠାରେ କହି ରଖୁଛୁ ଯେ, ଭାରତ ପାଇଁ ସିରିଜକୁ ବରାବର କରିବା ପାଇଁ ମ୍ୟାଚ୍ ଜିତିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଟିମ୍ ଇଣ୍ଡିଆ ପାଖରେ ଅନେକ ଷ୍ଟାର୍ ଖେଳାଳି ଅଛନ୍ତି ଯେଉଁମାନେ ମ୍ୟାଚ୍ ଜିତାଇ ପାରିବେ । ଶିଖର ଧାୱନଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଏପର୍ଯ୍ୟନ୍ତ ଗୋଟିଏ ଦିନିକିଆ ସିରିଜ ହାରି ନାହିଁ । ଏଭଳି ପରିସ୍ଥିତିରେ ତୃତୀୟ ଏକ ଦିବସୀୟରେ ଧାୱନଙ୍କ ବିଶ୍ୱସନୀୟତା ମଧ୍ୟ ବିପଦରେ ରହିଛି ।
ସମ୍ଭାବ୍ୟ ଭାରତୀୟ ଦଳ :
ଶିଖର ଧୱନ (ଅଧିନାୟକ), ଋଷଭ ପନ୍ତ (ଉପ-ଅଧିନାୟକ), ଶୁଭମାନ ଗିଲ, ଦୀପକ ହୁଡା, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ଶାହାବାଜ ଅହମ୍ମଦ, ୱାଶିଂଟନ ସୁନ୍ଦର, ଉମ୍ରାନ ମଲିକ, କୁଲଦୀପ ସେନ, ଶାର୍ଦ୍ଦୁଲ ଠାକୁର, ଦୀପକ ଚହର ।