ଆସନ୍ତାକାଲି ଠାରୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ, ଅଭ୍ୟାସ କଲେ ଭାରତୀୟ ଖେଳାଳି
![](https://thetruths.in/wp-content/uploads/2023/03/Team-India-2-1024x569.jpg)
ନୂଆଦିଲ୍ଲୀ : ଆସନ୍ତାକାଲି ଠାରୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ। ଚଳିତ ବର୍ଷ ଶେଷ ଭାଗରେ ଭାରତରେ ଦିନିକିଆ ବିଶ୍ୱକପ ଖେଳାଯିବାକୁ ଥିବା ବେଳେ ଉଭୟ ଦଳ ପାଇଁ ଏହି ସିରିଜ ବେଶ ଗୁରୁତ୍ୱପୂର୍ଣ୍ଣ। ମାତ୍ର ଅଧିନାୟକ ରୋହିତ ଶର୍ମା ପ୍ରଥମ ଦିନିକିଆ ଖେଳିବେ ନାହିଁ। ତେଣୁ ହାର୍ଦ୍ଦିକ ପାଣ୍ଡ୍ୟା ଟିମ ଇଣ୍ଡିଆର କମାଣ ସମ୍ଭାଳିବେ। ସେହିପରି ପାଟ କମିନ୍ସ ସ୍ୱଦେଶରୁ ଫେରି ନଥିବାରୁ ଷ୍ଟିଭ ସ୍ମିଥ ଅଷ୍ଟ୍ରେଲିଆ ଟିମର ନେତୃତ୍ୱ ନେବେ।
ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ଶୃଙ୍ଖଳାକୁ ଜିତିବା ପରେ ଦିନିକିଆରେ ଦମ୍ ଦେଖାଇବା ପାଇଁ ଭାରତୀୟ କ୍ରିକେଟ୍ ଦଳ ଅଭ୍ୟାସ ଆରମ୍ଭ କରିଛି। ମୁମ୍ବାଇର ୱାଙ୍ଖ୍ଡ଼େ ଷ୍ଟାଡିୟମ୍ରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳାଯିବ। ଏଥିପାଇଁ ବୁଧବାର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ୱାଙ୍ଖଡେରେ ସ୍ଥିତି ପରୀକ୍ଷା କରିଛି। ମେଘୁଆ ଆକାଶ ଓ ଖରାପ ପାଗ ମଧ୍ୟରେ ମାତ୍ର ୭-୮ ଜଣ ଭାରତୀୟ ଖେଳାଳି ଅଭ୍ୟାସ ପାଇଁ ଏଠାରେ ପହଞ୍ଚିଥିଲେ। ପାଗ ଏପରି ହୋଇଥିଲା ଯେ ଅଭ୍ୟାସ ପାଇଁ ଫ୍ଲଡ୍ ଲାଇଟ୍ ଲଗାଇବାକୁ ପଡ଼ିଥିଲା। ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଥୋଡ଼ ଓ ବୋଲିଂ ପ୍ରଶିକ୍ଷକ ପାରସ ମହାମ୍ବ୍ରେ ଖେଳାଳିମାନଙ୍କୁ ଝାଳବୁହା ପରିଶ୍ରମ କରାଇଥିଲେ।
ପାରିବାରିକ କାରଣରୁ ପ୍ରଥମ ମ୍ୟାଚ୍ରେ ରୋହିତ ଶର୍ମା ଖେଳିବେନି। ତେଣୁ ତାଙ୍କ ସ୍ଥାନରେ ହାର୍ଦ୍ଦିକ ଦଳର ନେତୃତ୍ବ ନେଉଛନ୍ତି। ବୁଧବାର ହାର୍ଦ୍ଦିକ ପଡ଼ିଆ କର୍ମଚାରୀଙ୍କ ସହ ବେଶ୍ କିଛି ସମୟ ଆଲୋଚନା କରିବା ଦେଖାଯାଇଥିଲା। ତେବେ ଅଭ୍ୟାସକୁ ବିରାଟ କୋହଲି, ଶୁବମନ ଗିଲ୍, କେଏଲ୍ ରାହୁଲ, ରବୀନ୍ଦ୍ର ଜାଦେଜା ଏବଂ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ୍ ଆସିନଥିଲେ। ପିଠିରେ ଯନ୍ତ୍ରଣା ଯୋଗୁଁ ଦିନିକିଆରୁ ଓହରି ଯାଇଥିବା ଶ୍ରେୟସ ଆୟରଙ୍କ ବଦଳରେ ଇଶାନ କିଶନ ଓ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ମଧ୍ୟକ୍ରମ ବ୍ୟାଟିଂ ଭାର ନିର୍ଭର କରିବ। ତେଣୁ ଉଭୟ ଦୀର୍ଘ ସମୟ ପର୍ଯ୍ୟନ୍ତ ନେଟ୍ସରେ ବ୍ୟାଟିଂ କରିଥିଲେ। ଅକ୍ଷର ପଟେଲ୍ ପଡ଼ିଆକୁ ଆସିଥିଲେ ବି ବୋଲିଂ କରିବାକୁ ଯାଇନଥିଲେ। ତେବେ କୁଲଦୀପ ଯାଦବ ଓ ୟୁଝବେନ୍ଦ୍ର ଚହଲ ନେଟ୍ସରେ ସୂର୍ଯ୍ୟକୁମାର ଓ ଈଶାନଙ୍କୁ ବୋଲିଂ କରୁଥିବା ଦେଖାଯାଇଥିଲା। ୱାଙ୍ଖଡ଼େ ପିଚ୍ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପଞ୍ଚମ ଥର ପାଇଁ ମୁକାବିଲା ହେବାକୁ ଯାଉଛି। ଏଥିପୂର୍ବରୁ ଭ୍ରମଣକାରୀ ଦଳ ୩ ଥର ମ୍ୟାଚ୍ ଜିତିସାରିଛି।
ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାକୁ ୨-୧ରେ ଜିତି ନେଇଛି। ଟେଷ୍ଟ ପରେ ଏବେ ଦୁଇ ଦେଶ ମଧ୍ୟରେ ଖେଳାଯିବ ତିନି ମ୍ୟାଚ୍ର ଦିନିକିଆ ଶୃଙ୍ଖଳା। ପ୍ରଥମ ମୁକାବିଲା ମାର୍ଚ୍ଚ ୧୭ରେ ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ। ତେବେ ନିୟମିତ ଅଧିନାୟକ ରୋହିତ ଶର୍ମା ପ୍ରଥମ ଦିନିକିଆ ଖେଳିବେ ନାହିଁ। ଦିନିକିଆ ଦଳ ଘୋଷଣା ପୂର୍ବରୁ ବିସିସିଆଇ ସୂଚାଇ ଦେଇଥିଲା ଯେ, ପ୍ରଥମ ଦିନିକିଆରେ ରୋହିତ ଶର୍ମା ଦଳରେ ଉପଲବ୍ଧ ରହିବେ ନାହିଁ। ତେବେ ରୋହିତ ପ୍ରଥମ ମ୍ୟାଚ୍ କାହିଁକି ଖେଳିବେ ନାହିଁ ତାର ପ୍ରକୃତ କାରଣ ସାମ୍ନାକୁ ଆସିଛି। ରୋହିତ ନିଜ ପତ୍ନୀ ରିତିକା ସଜଦେହଙ୍କ ଭାଇ କୃଣାଲଙ୍କ ବିବାହ ସମାରୋହରେ ଯୋଗ ଦେଉଥିବାରୁ ସେଥିପାଇଁ ପ୍ରଥମ ଦିନିକିଆ ଖେଳିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି।
ରୋହିତଙ୍କ ଅନୁପସ୍ଥିତିରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଦଳର ନେତୃତ୍ଵ ନେବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଏହା ପୂର୍ବରୁ ହାର୍ଦ୍ଦିକ ଭାରତୀୟ ଟି-୨୦ ଦଳର ନେତୃତ୍ଵ ନେଇ ସାରିଛନ୍ତି। ଏହା ପରେ ଦ୍ଵିତୀୟ ଦିନିକିଆରେ ରୋହିତ ଶର୍ମା ଦଳକୁ ଫେରିବେ ଏବଂ ଅଧିନାୟକ ଦାୟିତ୍ଵ ସମ୍ଭାଳିବେ। ଏହି ମ୍ୟାଚ୍ ମାର୍ଚ୍ଚ ୧୯ରେ ବିଶାଖାପଟନମରେ ଖେଳାଯିବ। ଶୃଙ୍ଖଳାର ଶେଷ ମୁକାବିଲା ମାର୍ଚ୍ଚ ୨୨ରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ।