ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ମୋହାଲିରେ ଖେଳାଯିବ ପ୍ରଥମ ଦିନିକିଆ
![](https://thetruths.in/wp-content/uploads/2023/09/india-australia-one-day-match-from-tomorrow.webp)
ନୂଆଦିଲ୍ଲୀ : ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍ । ବିଶ୍ବକପ୍ ପୂର୍ବରୁ ଭାରତ ଖେଳିବ ଶେଷ ୱାନ୍ ଡେ ସିରିଜ୍ । ଆଉ ଯେଉଁ ଦଳ ସହ ଭାରତ ଅକ୍ଟୋବର ୮ ତାରିଖରେ ଖେଳି ବିଶ୍ବକପ୍ ଅଭିଯାନ ଆରମ୍ଭ କରିବ ସେହି ପ୍ରତିଦ୍ବନ୍ଦ୍ବୀ ଅଷ୍ଟ୍ରେଲିଆ ସହ ଶୁକ୍ରବାର ଠାରୁ ୩ ମ୍ୟାଚ୍ ଦିନିକିଆ ଶୃଙ୍ଖଳା ଖେଳି ରିହରସଲ୍ କରିବ। ଶୁକ୍ରବାର ମୋହାଲିରେ ଖେଳାଯିବ ପ୍ରଥମ ଦିନିକିଆ । ପ୍ରଥମ ଦୁଇଟି ମ୍ୟାଚ ଖେଳିବେନି ରୋହିତ ଶର୍ମା, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, କୁଳଦୀପ ଯାଦବ । ଲୋକେଶ ରାହୁଲଙ୍କ ନେତୃତ୍ବରେ ପ୍ରଥମ ଦୁଇଟି ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ । ଉପଅଧିନାୟକ ରହିବେ ରବୀନ୍ଦ୍ର ଜାଡେଜା । ସ୍କ୍ବାଡକୁ ଫେରିଛନ୍ତି ଭେଟରାନ ଅଫ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଓ ବ୍ୟାଟର ଋତୁରାଜ ଗାଏକୱାଡ୍ । ବ୍ୟାଟିଂ ଭାର ସମ୍ଭାଳିବେ ଋତୁରାଜଙ୍କ ସହ ଫର୍ମରେ ଥିବା ଶୁଭମନ ଗିଲ୍ ଏବଂ ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ଇଶାନ କିଶାନ ।
ସେହିପରି ଅଲରାଉଣ୍ଡର ଦାୟିତ୍ବରେ ରହିବେ ରବୀନ୍ଦ୍ର ଜାଡେଜା ୱାଶିଂଟନ୍ ସୁନ୍ଦର ଓ ସାର୍ଦ୍ଦୁଲ ଠାକୁର । ଦ୍ରୁତ ବୋଲିଂ ସମ୍ଭାଳିବେ ବୁମରାହ, ମହମ୍ମଦ ସାମି, ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣା । ଶେଷ ଦିନିକିଆର ନେତୃତ୍ବ ନେବେ ରୋହିତ ଶର୍ମା। ଆଜିର ମ୍ୟାଚ୍ ଜିତିବା ସହ ଆଇସିସି ଦିନିକିଆରେ ଏକ ନମ୍ବର ସ୍ଥାନ ଅକ୍ତିଆର କରିବାକୁ ଟାର୍ଗେଟ ରଖିଛି ଟିମ୍ ଇଣ୍ଡିଆ । ଏବେ ପାକିସ୍ତାନ ୧୧୫ ପଏଣ୍ଟ ସହ ୧ନମ୍ବର ସ୍ଥାନରେ ରହିଥିବା ବେଳେ ସମାନ ୧୧୫ ପଏଣ୍ଟ ସହ ଭାରତ ଦ୍ବିତୀୟ ସ୍ଥାନରେ ରହିଛି । ୧୧୩ ପଏଣ୍ଟ ସହ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନରେ ରହିଛି । ଆଜିର ମ୍ୟାଚ୍ ଜିତିଲେ ଭାରତ ଶୀର୍ଷ ସ୍ଥାନକୁ ଉନ୍ନୀତ ହେବ । ଏବେ ଭାରତ ଟେଷ୍ଟ ଓ ଟି-ଟ୍ବେଣ୍ଟି ରାଙ୍କିଂରେ ଏକ ନମ୍ବର ସ୍ଥାନରେ ରହିଛି ।
ସଦ୍ୟ ଏସିଆ କପ୍ ଜିତିଥିବା ଭାରତ ଆତ୍ମବିଶ୍ବାସରେ ରହିଛି। ଅକ୍ଷର ପଟେଲଙ୍କ ଆହତ ସମସ୍ୟା ଭେଟେରାନ୍ ଆର୍ ଅଶ୍ବିନଙ୍କ ପ୍ରତ୍ୟାବର୍ତ୍ତନ ସୁଯୋଗ ଆଣିଛି। ରୋହିତଙ୍କ ଅନୁପସ୍ଥିତିରେ କିନ୍ତୁ ଈଶାନ କିଶନ ଓ ଶୁବମନ ଗିଲ୍ଙ୍କୁ ଏକାଠି ଖେଳିବାର ମଧ୍ୟ ଆଉ ଏକ ସୁଯୋଗ ଦେଇଛି। ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଶ୍ରେୟସ ଆୟର କେତେ ଫାଇଦା ଉଠାଇବେ ମଧ୍ୟ ଦେଖିବାକୁ ପଡ଼ିବ। ବୋଲିଂରେ କିନ୍ତୁ କାର୍ଯ୍ୟଭାର ସମ୍ଭାଳିବାକୁ ପଡ଼ିବ ଯଶପ୍ରୀତ୍ ବୁମରା ଓ ମହମ୍ମଦ ସାମିଙ୍କୁ। ୫ ଦିନ ଭିତରେ ୩ଟି ୫୦ ଓଭରିଆ ମ୍ୟାଚ୍ ସହ ଭ୍ରମଣ ସୂଚୀ ମଧ୍ୟ ଏମାନଙ୍କୁ ଫୁରସତ ଦେବ ନାହିଁ। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଶେଷ ୩ ମ୍ୟାଚ୍ରେ ପରାଜୟ ସହିତ ଅଷ୍ଟ୍ରେଲିଆ ୨-୩ରେ ଶୃଙ୍ଖଳା ହାରି ଭାରତ ଆସିଛି। କିନ୍ତୁ ଆହତ ତାଲିକାରୁ ଫିଟ୍ ହୋଇ ଫେରିଥିବା ଷ୍ଟିଭେନ୍ ସ୍ମିଥ୍ ଓ ମାର୍ନସ ଲବୁସାନ୍ ନିଶ୍ଚୟ ଦଳର ମନୋବଳ ବଢ଼ାଇଛନ୍ତି। ଟ୍ରାଭିସ୍ ହେଡ୍ ମଧ୍ୟ ଦଳରେ ନାହାନ୍ତି। ଷ୍ଟିଭେନ୍ ସ୍ମିଥ୍ ଶୁକ୍ରବାର ୬୧ ରନ୍ କରିପାରିଲେ ଦିନିକିଆରେ ୫୦୦୦ ରନ୍ କ୍ଲବରେ ସାମିଲ ହୋଇପାରିବେ।
ଭାରତ ସମ୍ଭାବ୍ୟ ଏକାଦଶ : ଈଶାନ କିଶନ, ଶୁବମନ ଗିଲ୍, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, କେଏଲ୍ ରାହୁଲ୍ (ଅଧିନାୟକ, ୱିକେଟରକ୍ଷକ), ରବୀନ୍ଦ୍ର ଜାଦେଜା, ୱାସିଂଟନ୍ ସୁନ୍ଦର, ଆର୍ ଅଶ୍ବିନ୍, ମହମ୍ମଦ ସାମି, ମହମ୍ମଦ ସିରାଜ/ଶାର୍ଦୁଳ ଠାକୁର, ଯଶପ୍ରୀତ ବୁମରା।
ଅଷ୍ଟ୍ରେଲିଆ ସମ୍ଭାବ୍ୟ ଏକାଦଶ : ଡେଭିଡ୍ ୱାର୍ଣ୍ଣର, ମିଚେଲ୍ ମାର୍ସ, ଷ୍ଟିଭେନ୍ ସ୍ମିଥ୍, ମାର୍ନସ ଲବୁସାନ୍, ଆଲେକ୍ସ କ୍ୟାରି (ୱିକେଟରକ୍ଷକ), କାମେରନ୍ ଗ୍ରିନ୍, ମାର୍କସ ଷ୍ଟୋଇନିସ୍, ପ୍ୟାଟ୍ କମିନ୍ସ (ଅଧିନାୟକ), ସ୍ପେନସର୍ ଜନ୍ସନ୍/ତନଭୀର ସାଙ୍ଗା, ଆଦାମ ଜାମ୍ପା, ଜୋସ୍ ହାଜେଲଉଡ୍।