ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ! ଖେଳିବେନି ରୋହିତ, ଟିମ ଇଣ୍ଡିଆର କମାଣ ସମ୍ଭାଳିବେ ପାଣ୍ଡ୍ୟା
![](https://thetruths.in/wp-content/uploads/2023/03/India-vs-Australia-1024x640.jpg)
ନୂଆଦିଲ୍ଲୀ : ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ । ଚଳିତ ବର୍ଷ ଶେଷ ଭାଗରେ ଭାରତରେ ଦିନିକିଆ ବିଶ୍ୱକପ ଖେଳାଯିବାକୁ ଥିବା ବେଳେ ଉଭୟ ଦଳ ପାଇଁ ଏହି ସିରିଜ ବେଶ ଗୁରୁତ୍ୱପୂର୍ଣ୍ଣ । ରୋହିତ ଶର୍ମା ପ୍ରଥମ ଦିନିକିଆ ଖେଳିବେ ନାହିଁ । ତେଣୁ ହାର୍ଦ୍ଦିକ ପାଣ୍ଡ୍ୟା ଟିମ ଇଣ୍ଡିଆର କମାଣ ସମ୍ଭାଳିବେ । ସେହିପରି ପାଟ କମିନ୍ସ ସ୍ୱଦେଶରୁ ଫେରି ନଥିବାରୁ ଷ୍ଟିଭ ସ୍ମିଥ ଅଷ୍ଟ୍ରେଲିଆ ଟିମର ନେତୃତ୍ୱ ନେବେ ।
ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ଶୃଙ୍ଖଳାକୁ ଜିତିବା ପରେ ଦିନିକିଆରେ ଦମ୍ ଦେଖାଇବା ପାଇଁ ଭାରତୀୟ କ୍ରିକେଟ୍ ଦଳ ଅଭ୍ୟାସ ଆରମ୍ଭ କରିଛି । ମୁମ୍ବାଇର ୱାଙ୍ଖ୍ଡ଼େ ଷ୍ଟାଡିୟମ୍ରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳାଯିବ । ଏଥିପାଇଁ ବୁଧବାର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ୱାଙ୍ଖଡେରେ ସ୍ଥିତି ପରୀକ୍ଷା କରିଛି । ମେଘୁଆ ଆକାଶ ଓ ଖରାପ ପାଗ ମଧ୍ୟରେ ମାତ୍ର ୭-୮ ଜଣ ଭାରତୀୟ ଖେଳାଳି ଅଭ୍ୟାସ ପାଇଁ ଏଠାରେ ପହଂଚିଥିଲେ । ପାଗ ଏପରି ହୋଇଥିଲା ଯେ ଅଭ୍ୟାସ ପାଇଁ ଫ୍ଲଡ୍ ଲାଇଟ୍ ଲଗାଇବାକୁ ପଡ଼ିଥିଲା । ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଥୋଡ଼ ଓ ବୋଲିଂ ପ୍ରଶିକ୍ଷକ ପାରସ ମହାମ୍ବ୍ରେ ଖେଳାଳିମାନଙ୍କୁ ଝାଳବୁହା ପରିଶ୍ରମ କରାଇଥିଲେ । ପାରିବାରିକ କାରଣରୁ ପ୍ରଥମ ମ୍ୟାଚ୍ରେ ରୋହିତ ଶର୍ମା ଖେଳିବେନି । ତେଣୁ ତାଙ୍କ ସ୍ଥାନରେ ହାର୍ଦ୍ଦିକ ଦଳର ନେତୃତ୍ୱ ନେଉଛନ୍ତି । ବୁଧବାର ହାର୍ଦ୍ଦିକ ପଡ଼ିଆ କର୍ମଚାରୀଙ୍କ ସହ ବେଶ୍ କିଛି ସମୟ ଆଲୋଚନା କରିବା ଦେଖାଯାଇଥିଲା । ତେବେ ଅଭ୍ୟାସକୁ ବିରାଟ କୋହଲି, ଶୁବମନ ଗିଲ୍, କେଏଲ୍ ରାହୁଲ, ରବୀନ୍ଦ୍ର ଜାଦେଜା ଏବଂ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ୍ ଆସିନଥିଲେ । ପିଠିରେ ଯନ୍ତ୍ରଣା ଯୋଗୁଁ ଦିନିକିଆରୁ ଓହରି ଯାଇଥିବା ଶ୍ରେୟସ ଆୟରଙ୍କ ବଦଳରେ ଇଶାନ କିଶନ ଓ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ମଧ୍ୟକ୍ରମ ବ୍ୟାଟିଂ ଭାର ନିର୍ଭର କରିବ । ତେଣୁ ଉଭୟ ଦୀର୍ଘ ସମୟ ପର୍ଯ୍ୟନ୍ତ ନେଟ୍ସରେ ବ୍ୟାଟିଂ କରିଥିଲେ । ଅକ୍ଷର ପଟେଲ୍ ପଡ଼ିଆକୁ ଆସିଥିଲେ ବି ବୋଲିଂ କରିବାକୁ ଯାଇନଥିଲେ । ତେବେ କୁଲଦୀପ ଯାଦବ ଓ ୟୁଝବେନ୍ଦ୍ର ଚହଲ ନେଟ୍ସରେ ସୂର୍ଯ୍ୟକୁମାର ଓ ଈଶାନଙ୍କୁ ବୋଲିଂ କରୁଥିବା ଦେଖାଯାଇଥିଲା । ୱାଙ୍ଖଡ଼େ ପିଚ୍ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପଂଚମ ଥର ପାଇଁ ମୁକାବିଲା ହେବାକୁ ଯାଉଛି । ଏଥିପୂର୍ବରୁ ଭ୍ରମଣକାରୀ ଦଳ ୩ ଥର ମ୍ୟାଚ୍ ଜିତିସାରିଛି ।
ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାକୁ ୨-୧ରେ ଜିତି ନେଇଛି । ଟେଷ୍ଟ ପରେ ଏବେ ଦୁଇ ଦେଶ ମଧ୍ୟରେ ଖେଳାଯିବ ତିନି ମ୍ୟାଚ୍ର ଦିନିକିଆ ଶୃଙ୍ଖଳା । ପ୍ରଥମ ମୁକାବିଲା ମାର୍ଚ୍ଚ ୧୭ରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ । ତେବେ ନିୟମିତ ଅଧିନାୟକ ରୋହିତ ଶର୍ମା ପ୍ରଥମ ଦିନିକିଆ ଖେଳିବେ ନାହିଁ । ଦିନିକିଆ ଦଳ ଘୋଷଣା ପୂର୍ବରୁ ବିସିସିଆଇ ସୂଚାଇ ଦେଇଥିଲା ଯେ, ପ୍ରଥମ ଦିନିକିଆରେ ରୋହିତ ଶର୍ମା ଦଳରେ ଉପଲବ୍ଧ ରହିବେ ନାହିଁ । ତେବେ ରୋହିତ ପ୍ରଥମ ମ୍ୟାଚ୍ କାହିଁକି ଖେଳିବେ ନାହିଁ ତାର ପ୍ରକୃତ କାରଣ ସାମ୍ନାକୁ ଆସିଛି । ରୋହିତ ନିଜ ପତ୍ନୀ ରିତିକା ସଜଦେହଙ୍କ ଭାଇ କୃଣାଲଙ୍କ ବିବାହ ସମାରୋହରେ ଯୋଗ ଦେଉଥିବାରୁ ସେଥିପାଇଁ ପ୍ରଥମ ଦିନିକିଆ ଖେଳିବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି । ରୋହିତଙ୍କ ଅନୁପସ୍ଥିତିରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଦଳର ନେତୃତ୍ୱ ନେବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଏହା ପୂର୍ବରୁ ହାର୍ଦ୍ଦିକ ଭାରତୀୟ ଟି-୨୦ ଦଳର ନେତୃତ୍ୱ ନେଇ ସାରିଛନ୍ତି । ଏହା ପରେ ଦ୍ୱିତୀୟ ଦିନିକିଆରେ ରୋହିତ ଶର୍ମା ଦଳକୁ ଫେରିବେ ଏବଂ ଅଧିନାୟକ ଦାୟିତ୍ୱ ସମ୍ଭାଳିବେ । ଏହି ମ୍ୟାଚ୍ ମାର୍ଚ୍ଚ ୧୯ରେ ବିଶାଖାପଟନମରେ ଖେଳାଯିବ । ଶୃଙ୍ଖଳାର ଶେଷ ମୁକାବିଲା ମାର୍ଚ୍ଚ ୨୨ରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ ।