ଏଣିକି ଗଞ୍ଜାମରେ ବାହାଘର ପୂର୍ବରୁ ପରିବାର ସଦସ୍ୟଙ୍କ କରୋନା ଟେଷ୍ଟ
- ପଜିଟିଭ ଆସିଲେ ଆୟୋଜନ ପାଇଁ ମିଳିବ ନାହିଁ ଅନୁମତି
ବ୍ରହ୍ମପୁର : ଗଞ୍ଜାମରେ ବାହାଘର ପାଇଁ ନୂଆ ନିୟମ । ଜିଲ୍ଲାରେ ଏଣିକି ବିବାହ ଆୟୋଜନ କଲେ ପରିବାର ସଦସ୍ୟଙ୍କ ହେବ କରୋନା ଟେଷ୍ଟ। ଏପରିକି ପଜିଟିଭ ଆସିଲେ ବିବାହ ଆୟୋଜନ ପାଇଁ ମିଳିବ ନାହିଁ ଅନୁମତି । କରୋନା ସଂକ୍ରମଣ ବଢୁଥିବାରୁ କଟକଣା ଭିତରେ ବିବାହ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସରକାର ଅନୁମତି ଦେଇଛନ୍ତି । ସେହିପରି ବିବାହରେ ସର୍ବାଧିକ ୫୦ ଜଣ ସାମିଲ ହୋଇପାରିବେ ବୋଲି ଅନୁମତି ରହିଛି । ହେଲେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଅଧିକ ସତର୍କ ହୋଇଛନ୍ତି । ବିବାହ ଆୟୋଜନ କରୁଥିବା ପରିବାର ସଦସ୍ୟଙ୍କ ଆଣ୍ଟିଜେନ ଟେଷ୍ଟ କରିବା ସହ ପଜିଟିଭ ଚିହ୍ନଟ ହେଲେ ବିବାହ ଆୟୋଜନ ପାଇଁ ଅନୁମତି ମିଳିବ ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ସେହିପରି ବିବାହ ବେଳେ କୋଭିଡ ଗାଇଡଲାଇନକୁ ଉଲ୍ଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦିଆଯାଇଛି। ସ୍ଥାନୀୟ ପ୍ରଶାସନ ପାଖରୁ ଅନୁମତି ଆଣିବା ବେଳେ କେଉଁମାନେ ବିବାହରେ ସାମିଲ ହେବେ ସେମାନଙ୍କ ତାଲିକା ଦେବେ ଆୟୋଜକ । ନିୟମର ଉଲ୍ଲଂଘନ କଲେ କଠୋର କାର୍ୟ୍ୟାନୁଷ୍ଠାନ ହେବ । ତେବେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପରି ନିଷ୍ପତି ନିଆଯାଇଥିବା ସୁଚନା ମିଳିଛି ।
ସୂଚନା ଯେ, ରାଜ୍ୟରେ ଗତ ୨୪ ଘଣ୍ଟାରେ ନୂଆ ୧୧,୭୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୭୧୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରୁ ୨୫୯ ଚିହ୍ନଟ ହୋଇଛନ୍ତି । ତେବେ ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ନୁଆ ନିୟମ ଆଣିଛନ୍ତି