ଆଇଆଇଟି ଜାମ ପ୍ରବେଶିକା ପରୀକ୍ଷା : କେନ୍ଦୁଝରର ପୁଅ ମହେଶ୍ୱର ସର୍ବଭାରତୀୟ ଟପ୍ପର
![](https://thetruths.in/wp-content/uploads/2023/03/Maheswar-Mahalik-1024x576.jpg)
ଧରଣୀଧର ବିଶ୍ବବିଦ୍ୟାଳୟର ୨୫ ଜଣ କୃତକାର୍ଯ୍ୟ
କେନ୍ଦୁଝର, (ବ୍ରଜକିଶୋର ରାୟ) : ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହେଉଥିବା ଆଇଆଇଟି ଜାମ ପ୍ରବେଶିକା ପରୀକ୍ଷା ଭୁତତ୍ୱ ବିଜ୍ଞାନରେ ସର୍ବ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି କେନ୍ଦୁଝରର ପୁଅ ମହେଶ୍ୱର ମହାଲିକ । ଏଥି ସହ ଧରଣୀଧର ବିଶ୍ବବିଦ୍ୟାଳୟର ଭୁତତ୍ୱ ବିଭାଗର ୨୪ ଜଣ ଛାତ୍ର ଛାତ୍ରୀ ଉକ୍ତ ପ୍ରବେଶିକା ପରୀକ୍ଷାରେ କୃତ କାର୍ଯ୍ୟ ହୋଇ କଲେଜ ପାଇଁ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି ।
ମଙ୍ଗଳବାର ଆଇଆଇଟି ଜାମ ପ୍ରବେଶିକା ପରୀକ୍ଷାଫଳ ପ୍ରକାଶ ପାଇଥିଲା । ଏଥିରେ କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ଟପ୍ପର ହୋଇଥିବାବେଳେ ଆଉଜଣେ ଛାତ୍ରୀ ତୃତୀୟ,ଜଣେ ନବମ ସ୍ଥାନ ଅଧିକାର କରିବା ସହିତ ୨୪ ଜଣ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଏକ ପ୍ରକାର ଇତିହାସ ରଚିଛନ୍ତି । ଉପରୋକ୍ତ ଛାତ୍ରଛାତ୍ରୀ ମାନେ ଚଳିତ ବର୍ଷ ଆଇଆଇଟିରେ ଭୂତତ୍ଵ ବିଭାଗର ସ୍ନାତକ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇ କେବଳ କଲେଜ ନୁହଁ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଏହାକୁ ନେଇ ସମଗ୍ର କଲେଜ ତଥା ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି। କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ୧ ନମ୍ବର ସ୍ଥାନ ପାଇଥିବା କେନ୍ଦୁଝର ହାଟଡିହିର ଜମ୍ବିରା ଗାଁର ଲକ୍ଷ୍ମୀଧର ମହାଲିକ ଏବଂ କମଳା ମହାଲିକଙ୍କ ପୁଅ ମହେଶ୍ଵର ମହାଲିକ ଭବିଷ୍ୟତରେ ଓଏନଜିସିରେ ଚାକିରୀ କରିବାର ଆଶା ରଖିଥିବା କହିଛନ୍ତି। ପରୀକ୍ଷାରେ କୃତକାର୍ଯ୍ୟ ହେବାପାଇଁ କଠିନ ପରିଶ୍ରମ କରିବାକୁ ଭବିଷ୍ୟତ ପିଢ଼ି ମାନଙ୍କ ନିମନ୍ତେ ବାର୍ତ୍ତା ଦେଇଛନ୍ତି।