ଆଇସିସି ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ମହମ୍ମଦ ରିଜୱାନ
![](https://thetruths.in/wp-content/uploads/2021/10/Mohammad-Rizwan-in-4th-place.jpg)
- ଖସିଲେ କୋହଲି ଏବଂ ରାହୁଲ
ନୂଆଦିଲ୍ଲୀ : ପାକିସ୍ତାନର କ୍ରିକେଟ ଟିମର ଓପନର ମହମ୍ମଦ ରିଜୱାନ ଆଇସିସି ଟି-୨୦ ରାଙ୍କିଂରେ ଜବରଦସ୍ତ ଫାଇଦା ମିଳିଛି । ବୁଧବାର ଜାରି କରାଯାଇଥିବା ଇଂଟରନେସନାଲ କ୍ରିକେଟ କାଉନସିଲ ବ୍ୟାଟ୍ସମ୍ୟାନ୍ ରାଙ୍କିଂ ତାଲିକାର ୪ର୍ଥ ସ୍ଥାନରେ ପହଂଚି ଯାଇଛନ୍ତି ପାକିସ୍ତାନ ଓପନର ମହମ୍ମଦ ରିଜୱାନ । ରିଜୱାନଙ୍କ ଟି-୨୦କ୍ୟାରିୟରର ଏହା ସର୍ବଶ୍ରେଷ୍ଠ ରାଙ୍କିଂ । ଟି-୨୦ ବିଶ୍ୱକପରେ ଭାରତ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିବା ଧମାକାଦାର ଇନିଂସ ବଳରେ ସେ ଆଇସିସି ରାଙ୍କିଂରେ ପଦୋନ୍ନତି ପାଇଛନ୍ତି । ଭାରତ ବିପକ୍ଷରେ ସେ ୭୯ ରନର ଅପରାଜିତ ଇନିଂସ ଖେଳିଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ୩୩ରନର ମ୍ୟାଚ ବିଜୟୀ ପାଳି ଖେଳିଥିଲେ।
ସେପଟେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲିଙ୍କ ରାଙ୍କ ଖସିଛି । ଚତୁର୍ଥ ସ୍ଥାନରୁ ୫ମ ସ୍ଥାନକୁ ଖସିଛନ୍ତି ବିରାଟ କୋହଲି । ପାକିସ୍ତାନ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିଲେ ସୁଦ୍ଧା ଆଇସିସି ଡି-୨୦ ରାଙ୍କିଂରେ ତଳକୁ ଖସିଛନ୍ତି କୋହଲି । ସେହିଭଳି ଭାରତର ଓପନିଂ ବ୍ୟାଟ୍ସମ୍ୟାନ ଲୋକେସ ରାହୁଲଙ୍କ ସ୍ଥାନ ମଧ୍ୟ ଖସିଛି । ସେ ୨ଟି ରାଙ୍କ ତଳକୁ ଖସି ୮ମ ସ୍ଥାନରେ ପହଂଚିଯାଇଛନ୍ତି । ଆଇସିସି ଦ୍ୱାରା ଜାରି କରାଯାଇଥିବା ଟି-୨୦ ବ୍ୟାଟ୍ସମ୍ୟାନ ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ଇଂଲଣ୍ଡର ଡେଭିଡ୍ ମଲାନ । ଦ୍ୱିତୀୟ ସ୍ଥାନରେ ପାକିସ୍ତାନର ବାବର ଆଜମ ରହିଥିବା ବେଳେ ତୃତୀୟ ସ୍ଥାନରେ ଏଡେନ୍ ମାର୍କରମ, ଚତୁର୍ଥ ସ୍ଥାନରେ ମହମ୍ମଦ ରିଜୱାନ, ୫ମ ବିରାଟ କୋହଲି, ଆରୋନ୍ ଫିଂଚ ୬ଷ୍ଠ, ଡେଭନ୍ କୋନୱେ ୭ମ, ଲୋକେସ ରାହୁଲ ୮ମ, ଇଭିନ୍ ଲୁଇସ୍ ୯୧ ଏବଂ ହଜାତୁଲ୍ଲା ୧୦ମ ସ୍ଥାନରେ ରହିଛନ୍ତି ।