ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ତାରିଖ ଘୋଷଣା କଲା ଆଇସିସି, ଜାଣନ୍ତୁ କେବେ
![](https://thetruths.in/wp-content/uploads/2023/02/WTC-Final-1024x683.jpg)
ନୂଆଦିଲ୍ଲୀ : ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପାଇଁ ତାରିଖ ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) । ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲର ଦ୍ୱିତୀୟ ସଂସ୍କରଣ ଲଣ୍ଡନ ସ୍ଥିତ ଦି ଓଭାଲ୍ରେ ଖେଳାଯିବ । ଆସନ୍ତା ଜୁନ ୭ରୁ ୧୧ ତାରିଖ ଯାଏଁ ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହେବା ନେଇ ବୁଧବାର ଘୋଷଣା କରିଛି ଆଇସିସି । ଏହା ସହିତ କୌଣସି ବାଧା ଉପୁଜିଲେ ସେଥିପାଇଁ ଗୋଟିଏ ଦିନ ରିଜର୍ଭ ଡେ’ ମଧ୍ୟ ରଖାଯାଇଛି । ଅର୍ଥାତ୍ ଜୁନ ୧୨ ତାରିଖକୁ ରିଜର୍ଭ ଡେ’ ଭାବେ ନିଆଯାଇଛି ।
ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ର ଉଦ୍ଘାଟନୀ ସଂସ୍କରଣରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା ନ୍ୟୁଜିଲାଣ୍ଡ । ସାଉଥଆମ୍ପଟନ୍ରେ ଭାରତକୁ ୮ ୱିକେଟରେ ପରାସ୍ତ କରି ବିଜୟୀ ହୋଇଥିଲା କିୱି ଟିମ୍ । ଚଳିତ ସିଜିନରେ କିନ୍ତୁ ଅଷ୍ଟ୍ରେଲିଆ ପଏଂଟ ଟେବୁଲ ଶୀର୍ଷରେ ରହିଛି । ତେଣୁ କଙ୍ଗାରୁ ଟିମ୍ ଡବ୍ଲ୍ୟୁଟିସି ଫାଇନାଲ ଖେଳିବ । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଫାଇନାଲ ଖେଳିବାର ସମ୍ଭାବନା ଅଧିକ ରହିଛି ସତ କିନ୍ତୁ ବର୍ଡର ଗାଭାସ୍କର ଟ୍ରଫି ଉପରେ ସବୁ କିଛି ନିର୍ଭର କରୁଛି । କାରଣ ଗୁରୁବାର ଠାରୁ ଆରମ୍ଭ ହେବାକୁ ଥିବା ବର୍ଡର ଗାଭାସ୍କର ଟ୍ରଫିରେ ଭାରତକୁ ଜିତିବା ନିହାତି ଆବଶ୍ୟକ । ତାହା ହେଲେ ଯାଇ ଦଳ ଫାଇନାଲ ଖେଳିପାରିବ । ନଚେତ୍ ଶ୍ରୀଲଙ୍କା ଫାଇନାଲ ପ୍ରବେଶ ଦୌଡରେ ରହିଛି । ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ପଏଂଟ ଟେବୁଲରେ ଅଷ୍ଟ୍ରେଲିଆ ୭୫.୫୬ ପଏଣଟ ସହ ଟେବୁଲ ଟପ୍ରେ ରହିଛି । ସେହିଭଳି ଭାରତ ୫୮.୯୩ ପଏଂଟ ସହ ଦ୍ୱିତୀୟ ଓ ଶ୍ରୀଲଙ୍କା ୫୩.୩୩ ପଏଂଟ ସହିତ ଫାଇନାଲ ଦୌଡରେ ରହିଛନ୍ତି । ଦକ୍ଷିଣ ଆଫ୍ରିକା ୪୮.୭୨% ସହ ୪ର୍ଥ ସ୍ଥାନରେ ରହିଛି । କିନ୍ତୁ ଫାଇନାଲ ଦୌଡରୁ ବାଦ୍ ପଡିଛି । ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ପ୍ରବେଶ କରିବାକୁ ହେଲେ ବର୍ଡର ଗାଭାସ୍କର ଟ୍ରଫିରେ ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ଅତି କମରେ ୨-୦ ରେ ପରାସ୍ତ କରିବାକୁ ହେବ । ଉଭୟ ଦଳ ମଧ୍ୟରେ ୪ଟିକିଆ ଟେଷ୍ଟ ଖେଳାଯିବ ।