ବ୍ରଜରାଜନଗରବାସୀଙ୍କ ସହ ମୋର ସମ୍ପର୍କ ନିବିଡ଼ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ବ୍ରଜରାଜନଗର : ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ଲକ୍ଷନପୁର ବ୍ଲକର ବାଘମୁଣ୍ଡା ପଂଚାୟତରେ ଜନ ସମାବେଶରେ ସାମିଲ ହୋଇ ସେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ପାଇଁ ଭୋଟ ମାଗିବା ସହ ରାଜ୍ୟ ସରକାରଙ୍କ ଉପରେ ବେକାରୀ ସମସ୍ୟାକୁ ନେଇ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ୨୨ବର୍ଷ ସରକାରରେ ଥିବା ବିଜୁ ଜନତା ଦଳ ସରକାର ରୋଜଗାର ଦେବାରେ ବିଫଳ ହୋଇଛି । ଓଡିଆ ପୁଅ ରାଜ୍ୟରେ କାମ ଧନ୍ଦା ନ ପାଇ ଦାଦନ ଖଟିବାକୁ ତାମିଲନାଡୁ ଯାଉଛି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଠାରେ ଦଳୀୟ କାର୍ଯ୍ୟକତ୍ତର୍ତାମାନେ ସ୍ୱାଗତ କରଥିଲେ । ଶ୍ରୀ ପ୍ରଧାନ ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳିର ରମ୍ପେଲା, ଦଳଗାଁ, ଚାରପାଲି, ଅଢାପରା ଓ ବାଗମୁଣ୍ଡା ଠାରେ ବିଧାୟିକା ପ୍ରାର୍ôଥନୀ ରାଧାରାଣୀ ପଣ୍ଡାଙ୍କ ସମର୍ଥନରେ ନିର୍ବାଚନ ପ୍ରଚାର କରିବା ସହ ଲଖନପୁର ଠାରେ ଆୟୋଜିତ ବିଶାଳ ଜନ ସମାବେଶରେ ଯୋଗ ଦେଇଥିଲେ । ଏହି ଅବସରରେ ବିଜେଡ଼ି ଜିଲ୍ଲା ସାଧାରଣ ସମ୍ପାଦକ ପିତାମ୍ବର ମିଶ୍ର, ତାଙ୍କ ଧର୍ମପତ୍ନୀ ଏବଂ ଅନେକ ସମର୍ଥକ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ତିତିରେ ବିଜେପିରେ ଯୋଗ ଦେଇଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଓ କୃତିତ୍ୱକୁ ସ୍ୱୀକାର କରି ଦଳରେ ମିଶିଥିବାରୁ ଧନ୍ୟବାଦ ଜଣାଇଥିଲେ । ସେ କହିଥିଲେ ଯେ ସମସ୍ତଙ୍କ ଯୋଗଦାନ ବିଜେପିକୁ ଅଧିକ ସୁଦୃଢ଼ କରିବ । ଉପସ୍ଥିତ ଜନସମାବେଶକୁ ଉଦବୋଧନ ଦେଇ ଶ୍ରୀ ପ୍ରଧାନ କହିଥିଲେ ଯେ ଲଖନପୁର ଓ ବ୍ରଜରାଜନଗର ଅଂଚଳ ପ୍ରତି ମୋର ବିଶେଷ ଶ୍ରଦ୍ଧା ରହିଛି । ସ୍ଥାନୀୟ ଅଧିବାସୀ ଦୀର୍ଘ ବର୍ଷ ଧରି ବିଜେପିକୁ ଆଶୀର୍ବାଦ କରି ଆସିଛନ୍ତି । ସେ କହିଥିଲେ, ଗଣତନ୍ତ୍ରରେ ହକ୍, ଅଧିକାର ଓ ନ୍ୟାୟର ଲଢ଼େଇ ପାଇଁ ନେତୃତ୍ୱ ଚୟନ ହୁଏ । ବ୍ରଜରାଜନଗରବାସୀ ଆମ ଦଳର ନେତ୍ରୀଙ୍କୁ ପଦ୍ମ ଫୁଲରେ ଭୋଟ ଦେଇ ନିଶ୍ଚୟ ଜୟଯୁକ୍ତ କରିବେ । ସେ ବିଜେଡି ସରକାରକୁ ଟାର୍ଗେଟ କରି କହିଥିଲେ ଯେ ଖଣି ସମୃଦ୍ଧ ଅଂଚଳ ବ୍ରଜରାଜନଗର ଓ ଲଖନପୁର ଅଧିବାସୀଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଜିଲ୍ଲା ଖଣିଜ ପାଣ୍ଠିର ବ୍ୟବସ୍ଥା କଲେ । ରାଜ୍ୟ ସରକାର ଡ଼ିଏମଏଫ ପାଣ୍ଠିରୁ ବିପୁଳ ଅର୍ଥ ପାଇବା ସତ୍ତେତ୍ୱ ଏଠାରେ ବିନା ଟେଣ୍ଡରରେ କାମ ହେଉଛି । ପ୍ରଧାନମନ୍ତ୍ରୀ ଦିଲ୍ଲୀରୁ ପଠାଉଥିବା ଟଙ୍କାକୁ ଦଳୀୟ ଆଧାରରେ ବଂଟା ଯାଉଛି । ଏ ସବୁ ଆଜି ମୁଖ୍ୟ ପ୍ରସଙ୍ଗ ହୋଇଥିବା ବେଳେ ଚଳିତ ଉପ-ନିର୍ବାଚନରେ ବ୍ରଜରାଜନଗର ବାସୀ ଏହାର ଉଚିତ୍ ଜବାବ ଦେବେ ବୋଲି ସେ କହିଥିଲେ ।