ବିଦ୍ୟୁତ୍ ଆଘାତରେ ସ୍ୱାମୀ-ସ୍ତ୍ରୀ ଓ ଝିଅ ମୃତ
![](https://thetruths.in/wp-content/uploads/2021/10/Electric-Schock.jpg)
ଜଗତସିଂହପୁର : ଜଗତସିଂହପୁର ଜିଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଣିତୋ ଗାଁରେ ଅଘଟଣ । ବୁଧବାର ସନ୍ଧ୍ୟାରେ ଚାଳ ଘରେ ବିଦ୍ୟୁତ୍ ମରାମତି କରୁଥିବା ବେଳେ ବଡ଼ଧରଣର ଅଘଟଣ ଘଟିଛି । ବିଦ୍ୟୁତ୍ ସଂସ୍ପର୍ଶରେ ଆସି ସ୍ୱାମୀ-ସ୍ତ୍ରୀଙ୍କ ସମେତ ଝିଅର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ପିଣ୍ଟୁ ସ୍ୱାଇଁ (୩୨), କାମିନିବାଳା ସ୍ୱାଇଁ (୨୬) ଓ ପାପାଲି ସ୍ୱାଇଁ (୮)। ସେହିପରି ଜଣକୁ ଗୁରୁତର ଭାବେ ଜଗତସିଂହପୁର ଜିଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଯେ, ଚାଳ ଘରେ ବିଦ୍ୟୁତ ସଂଯୋଗ ଖରାପ ଥିଲା। ପିଣ୍ଟୁ ଏହାକୁ ସଜାଡୁ ଥିବା ବେଳେ ତାଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା। ତାଙ୍କ ପତ୍ନୀ ଓ ଝିଅ ପାଖରେ ଥିଲେ। ପିଣ୍ଟୁ ବିଦ୍ୟୁତ୍ ଆଘାତରେ ଛଟପଟ ହେଉଥିବା ବେଳେ କାମିନି ଓ ପାପାଲିଙ୍କ ମୁଣ୍ଡକୁ କୌଣସି ବୁଦ୍ଧି ଜୁଟି ନଥିଲା। ଉଭୟ ମା’ ଓ ଝିଅ ବ୍ୟସ୍ତ ହୋଇ ପଡ଼ିଥିଲେ। ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ କାମିନୀ ମଧ୍ୟ ବିଦ୍ୟୁତ ଆଘାତ ଖାଇଥିଲେ। ବାପା-ମା’ ବିଦ୍ୟୁତ୍ ଆଘାତ ଖାଇ ଚିତ୍କାର କରୁଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲା। ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ପଡିଶା ଘରେ ରହୁଥିବା କୁମରବର ସ୍ୱାଇଁ ତିନି ଜଣଙ୍କୁ ବଞ୍ଚାଇବାକୁ ଯାଇ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।