ଶ୍ରମିକଙ୍କ ଅସ୍ଥାୟୀ ଶିବିର ଉପରେ ଉପରେ ମାଡିଗଲା ହାଇୱା : ୨ ମୃତ ଓ ଜଣେ ଆହତ
ଭଦ୍ରକ : ଭଦ୍ରକ ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ରାଜପଥର ସାଈରେଣୁ ଇଣ୍ଡେନ କାର୍ଯ୍ୟାଳୟ ସମ୍ମୁଖରେ ରାଜପଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କ ଅସ୍ଥାୟୀ ଶିବିର ଉପରେ ମଙ୍ଗଳବାର ପ୍ରତ୍ୟୁଷରେ ହାଇୱା ମାଡିଯିବା ଫଳରେ ୨ ଶ୍ରମିକ ମୃତ୍ୟୁବରଣ କରିଥିବା ବେଳେ ଜଣେ ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାଯାଇଛି । ରାଜପଥ ନିର୍ମାଣକାରୀ ଠିକାସଂସ୍ଥା ଡି.ବି.ଏଲ. କମ୍ପାନୀର ୧୦ ଜଣ ଶ୍ରମିକ ଅସ୍ଥାୟୀ ରାଜପଥ ପାଶ୍ୱର୍ ଅସ୍ଥାୟୀ ଶିବିରରେ ରାତ୍ରଯାପନ କରୁଥିଲେ ।
ମଙ୍ଗଳବାର ସକାଳ ପ୍ରାୟ ୫.୧୫ମି. ସମୟରେ ଆଖୁଆପଦା ଆଡୁ ଓଡି ୦୧ ଏ ପି ୦୦୭୮ ବାଲିବୋଝେଇ ହାଇୱା ମାଡିଯାଇଥିଲା । ଟିଣ ଚଦରରେ ନିର୍ମିତ ଶିବିରଟି ଚୁରମାର ହୋଇଯାଇଥିଲା । ଶିବିରରେ ଥିବା ୭ଜଣ ଶ୍ରମିକ କୌଣସିମାନେ ବାହାରକୁ ବାହାରି ଆସିଥିଲେ । ୩ ଜଣ ଶ୍ରମିକ ରହିଯାଇଥିଲେ । ଖବର ପାଇ ସ୍ଥାନୀୟ ଲୋକେ, ପୁଲିସ ଓ ଦମକଳବାହିନୀ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ । ଜେସିବି ମେସିନ ସହାୟତରେ ବାଲି ଖଲାସ କରାଯାଇ ହାଇୱାକୁ ଅଡାଯିବା ପରେ ୨ ଜଣ ଶ୍ରମିକଙ୍କୁ ଆହତ ଅବସ୍ଥାରେ ଭଣ୍ଡାରିପୋଖରୀ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଥିଲା । ସେଥିମଧ୍ୟରୁ ଜଣେ ଶ୍ରମିକ ଗୁରୁତର ଥିବାରୁ ତାଙ୍କୁ ଭଦ୍ରକ ପଠାଯାଇଥିଲା । ଘଟଣାସ୍ଥଳରେ ଜଣେ ଶ୍ରମିକ ହାଇୱା ଚକାତଳେ ଚାପି ହୋଇ ବିଭତ୍ସ ଭାବେ ମୃତ୍ୟୁବରଣ କରିଥିଲା । ମୃତକଙ୍କୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ନିମନ୍ତେ ଭଦ୍ରକ ମେଡିକାଲକୁ ପଠାଯାଇଥିଲା । ଚିକିତ୍ସାଧିନ ଥିବା ଜଣେ ଶ୍ରମିକ ମଧ୍ୟ ଭଦ୍ରକରେ ମୃତ୍ୟୁବରଣ କରିଥିଲେ । ମୃତ ଶ୍ରମିକମାନେ ହେଲେ ମଧ୍ୟପ୍ରଦେଶରେ ମହମ୍ମଦ ଅଲଫଜ (୩୨) ଓ ଝାଡଖଣ୍ଡର ପ୍ରମୋଦ ସାହା(୪୦) । ଆହତ ଶ୍ରମିକ ହେଲେ ଝାଡଖଣ୍ଡ ପାଲାମୁ ଅଂଚଳର ମହେନ୍ଦ୍ର ସାହା(୫୦) । ଡି.ବି.ଏଲ. କମ୍ପାନୀର ପରିଚାଳକ ମେହେମୁଦ ମହମ୍ମଦଙ୍କ ଅଭିଯୋଗ କ୍ରମେ ଥାନାରେ ମାମଲା ଋଜୁ କରାଯାଇ ଚାଳକ ଜଳେଶ୍ୱର ଅଂଚଳର ପ୍ରକାଶ ସାହୁ(୪୦)ଙ୍କୁ ଗିରଫ କରାଯାଇଛି । ସକାଳେ ନିଦ ଲାଗିଯିବାରୁ ଏଭଳି ଘଟଣା ଘଟିଛି ବୋଲି ଗିରଫ ଚାଳକ ପ୍ରକାଶ କରିଛି । ଏହି ଘଟଣା ସ୍ଥାନୀୟ ଅଂଚଳରେ ଆଲୋଡନ ସୃଷ୍ଟି କରିଛି ।