ଆଜିଠୁ ହାଇକୋର୍ଟରେ ଦଶହରା ଛୁଟି, ୨୫ରେ ଖୋଲିବ
କଟକ : ଓଡିଶା ହାଇକୋର୍ଟରେ ଦୁର୍ଗାପୂଜା ଅବକାଶ ଆରମ୍ଭ ହୋଇଛି। ସୋମବାର ଠାରୁ ଅବକାଶ ଆରମ୍ଭ ହେଉଥିବା ବେଳେ ଆଜି ଥିଲା ହାଇକୋର୍ଟରେ ଶେଷ କାର୍ଯ୍ୟ ଦିବସ। ଅକ୍ଟୋବର ୨୫ରେ କୋର୍ଟ ଖୋଲିବ। ଅବକାଶ ସମୟରେ ଅକ୍ଟୋବର ୧୧, ୧୮ ଓ ୨୧ ତାରିଖରେ ଅବକାଶକାଳୀନ ଖଣ୍ଡପୀଠ ବସି ଜରୁରୀ ମାମଲା ଗୁଡିକର ଶୁଣାଣି କରିବେ। ଅକ୍ଟୋବର ୧୧ରେ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀ ଓ ଜଷ୍ଟିସ ସାବିତ୍ରୀ ରଥ ଅବକାଶକାଳୀନ ଖଣ୍ଡପୀଠରେ ବସି ମାମଲା ଶୁଣାଣି କରିବେ।
ସେହିଭଳି ଭାବେ ଅକ୍ଟୋବର ୧୮ରେ ଜଷ୍ଟିସ ବିଶ୍ବଜିତ ମହାନ୍ତି ଓ ଜଷ୍ଟିସ କେ.ଆର.ମହାପାତ୍ର ଏବଂ ଅକ୍ଟୋବର ୨୧ରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ୍ ବି.ପି.ରାଉତରାୟ ଅବକାଶକାଳୀନ ଖଣ୍ଡପୀଠରେ ବସି ମାମଲା ଶୁଣାଣି କରିବେ ବୋଲି ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଅବକାଶକାଳୀନ ଖଣ୍ଡପୀଠରେ ହାଇବ୍ରିଡ୍ ମୋଡ୍ରେ ମାମଲା ଶୁଣାଣି କରାଯିବ। ଦୁର୍ଗାପୂଜା ଅବକାଶ ସମୟରେ ଅକ୍ଟୋବର ୧୧, ୧୬, ୧୮, ୨୧ ଓ ୨୨ ତାରିଖରେ ହାଇକୋର୍ଟ କାର୍ଯ୍ୟାଳୟ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଖୋଲା ରହିବ।