ସ୍ୱାସ୍ଥ୍ୟ ମନ୍ତ୍ରୀ ହତ୍ୟାକାଣ୍ଡ ମାମଲା : ଆଜି ଅଭିଯୁକ୍ତର ନାର୍କୋ ଟେଷ୍ଟ, ଜାଣନ୍ତୁ ଗୋପାଳକୁ ପଚରା ଯିବାକୁ ଥିବା ସମ୍ଭାବ୍ୟ ପ୍ରଶ୍ନ….
![](https://thetruths.in/wp-content/uploads/2023/02/Gopal-Das-Narco-Test.jpg)
ଭୁବନେଶ୍ୱର : ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ୧୩ ଦିନ ପୁରିଲାଣି । ମାରାଥନ ଜେରା ପରେ ମଧ୍ୟ ହତ୍ୟାକାଣ୍ଡର ରହସ୍ୟ କ୍ରାଇମବ୍ରାଞ୍ଚ ଭେଦ କରିପାରି ନାହିଁ । ବିଭିନ୍ନ ଦିଗରୁ ଯାଞ୍ଚ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଅଭିଯୁକ୍ତ ଗୋପାଳ ଦାସ ଠାରୁ ସତ ବାହାର କରିବା ପାଇଁ ହେବ ନାର୍କୋ ଟେଷ୍ଟ । ଗୁଜରାଟ ଗାନ୍ଧୀନଗର ସ୍ଥିତ ଡିଏଫ୍ଏସରେ ହେବ ଏହି ପରୀକ୍ଷା । ଏହା ପୂର୍ବରୁ ଗତ ଗୁରୁବାର ତାଙ୍କର ପଲିଗ୍ରାଫ ଟେଷ୍ଟ ହୋଇଥିଲା ।
ଅଭିଯୁକ୍ତ ଗୋପାଳ ଦାସ ଠାରୁ ସତ ବାହାର କରିବା ପାଇଁ ନାର୍କୋ ଟେଷ୍ଟକୁ ଭରସା କରିଛି କ୍ରାଇମବ୍ରାଞ୍ଚ। ଅଭିଯୁକ୍ତ ଗୋପାଳ କାହିଁକି ନବ ଦାସଙ୍କୁ ଗୁଳି ମାରିଲେ, ତାହା ଏବେବି ରହସ୍ୟ ହୋଇରହିଯାଇଛି । ତେଣୁ ସତ ବାହାର କରିବା ପାଇଁ ଗୋପାଳଙ୍କ ନାର୍କୋ ଟେଷ୍ଟ କରିବାକୁ ଗୁଜରାଟ ଗାନ୍ଧୀନଗର ସ୍ଥିତ ଡିଏଫ୍ଏସକୁ ନିଆଯାଇଛି । ଆଶା କରାଯାଉଛି, ଏହି ପରୀକ୍ଷାରୁ ଗୁଳି ମାରିବା ପଛର ପ୍ରକୃତ କାରଣ ସାମ୍ନାକୁ ଆସିପାରେ । ଅନ୍ୟପଟେ ଆଜି ତୃତୀୟ ପର୍ଯ୍ୟାୟ ରିମାଣ୍ଡର ଦ୍ୱିତୀୟ ଦିନ । ତେବେ ଏହା ପୂର୍ବରୁ ଅଭିଯୁକ୍ତ ଗୋପାଳଙ୍କର ଏଲଭିଏ ପରୀକ୍ଷା କରାଯାଇଛି । ଯାହା ଝାରସୁଗୁଡାରେ ନୂଆଦିଲ୍ଲୀର ସିଏଫଏସଏଲ ଟିମ୍ ୬ ତାରିଖରେ ପରୀକ୍ଷା କରିଥିଲା ।
ସେହିପରି ମନସ୍ତତ୍ୱବିତଙ୍କୁ ନେଇ ଗଠିତ ଏକ ମେଡିକାଲ ବୋର୍ଡ ମଧ୍ୟ ଗୋପାଳଙ୍କର ମାନସିକ ପରୀକ୍ଷା କରିଛି ।ଯାହାର ରିପୋର୍ଟ ଆସିବାକୁ ଅପେକ୍ଷା କରାଯାଇଛି । ଗୁଜରାଟ ଏସଏଫଏସଏଲ ଟିମ ଉପସ୍ଥିତିରେ କ୍ରାଇମବ୍ରାଞ୍ଚ ଟିମ୍ ୭ ତାରିଖ ଦିନ ସିନ୍ ରିକ୍ରିଏସନ କରାଇଥିବା ବେଳେ ଏହାର ରିପୋର୍ଟକୁ ଅନୁଧ୍ୟାନ କରାଯାଉଛି । ଅଭିଯୁକ୍ତଙ୍କ ଆର୍ଥିକ କାରବାର ଓ ତାଙ୍କ ପରିବାର ସମ୍ବନ୍ଧୀୟ ତଥ୍ୟକୁ ତଦନ୍ତକାରୀ ଟିମ୍ ଅନୁଧ୍ୟାନ କରାଯାଉଥିବା ନେଇ ସୂଚନା ରହିଛି । ହତ୍ୟାକାଣ୍ଡର କାରଣ ଜାଣିବା ପାଇଁ ବିଭିନ୍ନ ଟିମ୍ ଦ୍ୱାରା ସଂଗୃହୀତ ଦସ୍ତାବିଜ ଓ ପ୍ରମାଣକୁ ଯାଞ୍ଚ କରାଯାଉଛି ।
ନାର୍କୋ ଟେଷ୍ଟରେ ଗୋପାଳକୁ ପଚରା ଯିବାକୁ ଥିବା ସମ୍ଭାବ୍ୟ ପ୍ରଶ୍ନ :
କାହିଁକି ମନ୍ତ୍ରୀ ନବ ଦାସଙ୍କୁ ମାରିଲା ଅଭିଯୁକ୍ତ?
ମନ୍ତ୍ରୀଙ୍କ ହତ୍ୟା ପଛର କାରଣ କ’ଣ?
କେଉଁ କାରଣରୁ ନବ ଦାସଙ୍କ ଉପରେ ରାଗି ଯାଇଥିଲା ଗୋପାଳ?
କୌଣସି ବ୍ୟକ୍ତିଗତ ଶତ୍ରୁତା ଥିଲା କି?
ବ୍ୟକ୍ତିଗତ ଭାବେ ତା’ର କିମ୍ବା ତା’ ପରିବାରର କିଛି କ୍ଷତି କରିଥିଲେ କି ମନ୍ତ୍ରୀ?
ବ୍ୟକ୍ତିଗତ ଶତ୍ରୁତା ନା’ ଅନ୍ୟ କାରଣ ପାଇଁ ହତ୍ୟା କରିଥିଲା?
କୋଇଲା ମାଫିଆଙ୍କ ସହ ତା’ର ରହିଛି କି ସଂପର୍କ?
ବ୍ୟବସାୟିକ ଶତ୍ରୁତା କାରଣରୁ ହତ୍ୟା କରାଯାଇଛି କି?
ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ କିଏ ସୁପାରୀ ଦେଇଥିଲେ କି?
ହତ୍ୟାକାଣ୍ଡ ପାଇଁ କିଏ କିଏ ସହଯୋଗ କରିଛନ୍ତି?
ହତ୍ୟା ପଛରେ କୌଣସି ରାଜନୈତିକ କାରଣ ରହିଛି କି?
କେତେ ଦିନ ପୂର୍ବରୁ ହତ୍ୟା ଷଡ଼ଯନ୍ତ୍ର କରିଥିଲେ?
ମନ୍ତ୍ରୀଙ୍କୁ ଗୁଳି ମାରିବା ପରେ ପଶ୍ଚାତାପ କରୁଛନ୍ତି କି?
ମନ୍ତ୍ରୀଙ୍କ ମୃତ୍ୟୁ ଯୋଗୁଁ ତା’ର କି ଲାଭ ହେଲା?