ହାର୍ଦ୍ଦିକ ପାଣ୍ଡ୍ୟା ହୋଇପାରନ୍ତି ଅହମ୍ମଦାବାଦ ଟିମର କ୍ୟାପଟେନ
ନୂଆଦିଲ୍ଲୀ : ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିପାରେ ଅହମ୍ମଦାବାଦ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଫ୍ରାଞ୍ଚାଇଜର ନେତୃତ୍ବ । ଚୁଡାନ୍ତ ନିଷ୍ପତ୍ତି ହୋଇନଥିଲେ ମଧ୍ୟ ପାଣ୍ଡ୍ୟାଙ୍କୁ କ୍ୟାପଟେନ ରୋଲ୍ରେ ଦେଖିବାକୁ ମିଳିପାରେ ବୋଲି ସୂଚନା ରହିଛି । ୨୦୨୨ ମେଗା ନିଲାମ ଫେବୃଆରୀ ଦ୍ବିତୀୟ ସପ୍ତାହରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ । ଚୂଡାନ୍ତ ତାରିଖ ସ୍ଥିର ହୋଇନାହିଁ, ମାତ୍ର ଫେବୃଆରୀ ୧୧-୧୩ ମଧ୍ୟରେ ଅନୁଷ୍ଠିତ ହେବ ।
ଗତବର୍ଷ ନଭେମ୍ବରରେ ପୂର୍ବରୁ ଥିବା ୮ଟି ଆଇପିଏଲ ଫ୍ରାଞ୍ଚାଇଜ ମେଗା ନିଲାମ ପୂର୍ବରୁ ରିଟେନ କରିଥିବା ଖେଳାଳିଙ୍କ ତାଲିକା ଜାରି କରିଥିଲେ । ଅଲ-ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ରିଲିଜ କରିଥିଲା । ଫଳରେ ଆଇପିଏଲ ଟୁର୍ନାମେଣ୍ଟର ଆଗାମୀ ସଂସ୍କରଣରେ ନୂଆ ଫ୍ରାଞ୍ଚାଇଜ ଅହମ୍ମଦାବାଦର ନେତୃତ୍ବ ନେବେ ପାଣ୍ଡ୍ୟା । ମହେନ୍ଦ୍ର ସିଂହ ଧୋନି, ରୋହିତ ଶର୍ମା, ବିରାଟ କୋହଲି, ଜଶପ୍ରୀତ ବୁମରା, ସୁନୀଲ ନାରିନ, ଆନ୍ଦ୍ର ରସେଲ ଓ ଗ୍ଳେନ ମାକ୍ସୱେଲ ଭଳି ଷ୍ଟାର ଖେଳାଳିଙ୍କୁ ଆଇପିଏଲ ୨୦୨୨ ପାଇଁ ନିଜର ଫ୍ରାଞ୍ଚାଇଜ ରିଟେନ କରିଥିଲା । ଦୁଇ ନୂଆ ଆଇପିଏଲ ଫ୍ରାଞ୍ଚାଇଜ- ଲକ୍ଷ୍ନୌ ଓ ଅହମ୍ମଦାବାଦଙ୍କ ପାଖରେ ୩୩ କୋଟି ଟଙ୍କା ବଜେଟ ରହିଛି । ଯେଉଁଥିରେ ମେଗା ନିଲାମ ପୂର୍ବରୁ ୩ ଜଣ ଖେଳାଳିଙ୍କୁ ଚୟନ କରିବାର ସୁଯୋଗ ରହିଛି ।
୮ଟି ପୁରୁଣା ଫ୍ରାଞ୍ଚାଇଜ ପାଇଁ ନିୟମ ରହିଛି ଯେ ସେମାନେ, ୩ରୁ ଅଧିକ ଭାରତୀୟ ଖେଳାଳିଙ୍କୁ ରିଟେଲ କରିପାରିବେ ନାହିଁ । ସେହିପରି ଦୁଇଜଣରୁ ଅଧିକ ବିଦେଶୀ ଖେଳାଳି ଓ ଦୁଇଜଣରୁ ଅଧିକ ଅନକ୍ୟାପ୍ଡ ଭାରତୀୟ ଖେଳାଳିଙ୍କୁ ରିଟେଲ କରିପାରିବେ ନାହିଁ । ଦୁଇ ନୂଆ ଫ୍ରାଞ୍ଚାଇଜ ଲକ୍ଷ୍ନୌ ଓ ଅହମ୍ମଦାବାଦ ପାଇଁ ନିୟମ ରହିଛି ଯେ, ସେମାନେ ଦୁଇ ଜଣଙ୍କୁ ଅଧିକ ଭାରତୀୟ ଖେଳାଳିଙ୍କୁ ଚୟନ କରିପାରିବେ ନାହିଁ । ସେମାନେ ଜଣେ ବିଦେଶୀ ଖେଳାଳିରୁ ଅଧିକ କିମ୍ବା ଜଣେ ଭାରତୀୟ ଅନକ୍ୟାପ୍ଡ ଖେଳାଳିଙ୍କ ଠାରୁ ଅଧିକ ଚୟନ କରିପାରିବେ ନାହିଁ ।