କେପ୍ଟାଉନ୍ ଟେଷ୍ଟ : ୭୦ ରନ୍ରେ ଭାରତ ଆଗୁଆ
କେପ୍ଟାଉନ୍ : ଭାରତ ଓ ସାଉଥ୍ ଆଫ୍ରିକା ମଧ୍ୟରେ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନ ଷ୍ଟମ୍ପ୍ ଅପସାରଣ ବେଳକୁ ଭାରତ ଦ୍ୱିତୀୟ ଇନିଂସ୍ରେ ୨ ୱିକେଟ୍ ବିନିମୟରେ ୫୭ ରନ୍ କରିଛି। ଷ୍ଟମ୍ପ୍ସ ବେଳକୁ କ୍ୟାପ୍ଟେନ୍ ବିରାଟ କୋହଲି ୧୪ ଓ ଚେତେଶ୍ୱର ପୂଜାରା ୯ ରନ୍ରେ ବ୍ୟାଟିଂ କରୁଥିଲେ। ଫଳରେ ଭାରତ ଏବେ ୭୦ ରନ୍ରେ ଆଗୁଆ ରହିଛି।
ବୁଧବାର ୧୭/୧ରୁ ଅସମାପ୍ତ ପ୍ରଥମ ଇନିଂସ୍ ଆରମ୍ଭ କରିଥିବା ସାଉଥ୍ ଆଫ୍ରିକା ୨୧୦ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଦିନର ପ୍ରଥମ ଓଭର୍ ବୋଲିଂ କରୁଥିବା ଜସ୍ପ୍ରୀତ ବୁମ୍ରା ଦ୍ୱିତୀୟ ବଲ୍ରେ ଆଇଦେନ୍ ମାର୍କରମ୍ (୮)ଙ୍କୁ ଆଉଟ୍ କରି ଟିମ୍କୁ ପ୍ରଥମ ଝଟ୍କା ଦେଇଥିଲେ। କିଗାନ୍ ପିଟର୍ସନ୍ ଇନିଂସ୍ ସମ୍ଭାଳି କେଶବ ମହାରାଜ (୨୫)ଙ୍କ ସହ ୩ୟ ୱିକେଟ୍ ପାଇଁ ୨୮ ରନ୍, ଭାନ୍ ଡର୍ ଡୁସେନ୍ (୨୧)ଙ୍କ ସହ ୪ର୍ଥ ୱିକେଟ୍ ପାଇଁ ୬୭ ଓ ଟେମ୍ବା ବାଭୁମା (୨୮)ଙ୍କ ସହ ୫ମ ୱିକେଟ୍ ପାଇଁ ୪୭ ରନ୍ର ପାର୍ଟନର୍ଶିପ୍ କରିଥିଲେ। ତେବେ ପୂଜାରାଙ୍କ ଦ୍ୱାରା ପିଟର୍ସନ୍ଙ୍କୁ କ୍ୟାଚ୍ ଆଉଟ୍ କରାଇ ବୁମ୍ରା ତାଙ୍କ ଇନିଂସ୍ରେ ପୂର୍ଣ୍ଣଛେଦ ପକାଇଥିଲେ। ପିଟର୍ସନ୍ ୧୬୬ ବଲ୍ର ସମ୍ମୁଖୀନ ହୋଇ ୯ ଚୌକା ସହ ୭୨ ରନ୍ର ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିଲେ। ପୂର୍ବରୁ ଉମେଶ ଯାଦବ ଭାନ୍ ଡର୍ ଡୁସେନ୍ଙ୍କୁ କୋହଲିଙ୍କ ଦ୍ୱାରା କ୍ୟାଚ୍ କରାଇ ଏକ ସମ୍ଭାଳିତ ବଡ଼ ପାର୍ଟନର୍ଶିପ୍ରେ ବ୍ରେକ୍ ଲଗାଇଥିଲେ। ପିଟର୍ସନ୍ଙ୍କ ଆଉଟ୍ ପରେ ସାଉଥ୍ ଆଫ୍ରିକା ଇନିଂସ୍ରେ ଆଉ ମାତ୍ର ୩୧ ରନ୍ ଯୋଗ ହୋଇଥିଲା। ରବାଡା ୧୫ ରନ୍ କରିଥିବା ବେଳେ ଓଲିଭିୟର୍ ୧୦ ରନ୍ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ବୁମ୍ରା ୪୨ ରନ୍ ଦେଇ ୫ ୱିକେଟ୍ ନେଇଥିବା ବେଳେ ଉମେଶ ଯାଦବ ଓ ମହମ୍ମଦ ଶମୀଙ୍କୁ ୨ଟି ଲେଖାଏଁ ସଫଳତା ମିଳିଥିଲା। ଶାର୍ଦ୍ଦୁଲ୍ ଠାକୁର ଗୋଟିଏ ୱିକେଟ୍ ପାଇଥିଲେ।
Stumps on Day 2!
— ICC (@ICC) January 12, 2022
An enthralling day of Test cricket ends with India going in at 57/2, a lead of 70.
Watch #SAvIND live on https://t.co/CPDKNxpgZ3 (in select regions)#WTC23 | https://t.co/Wbb1FE2mW1 pic.twitter.com/w3qrs6YkLZ
ପ୍ରଥମ ଇନିଂସ୍ରେ ୧୩ ରନ୍ରେ ଆଗୁଆ ଥାଇ ଦ୍ୱିତୀୟ ଇନିଂସ୍ ଆରମ୍ଭ କରିଥିବା ଭାରତର ପ୍ରଦର୍ଶନ ଭଲ ନଥିଲା। ଦଳୀୟ ସ୍କୋର୍ ୨୦ ରନ୍ ଥିବାବେଳେ ମୟଙ୍କ ଅଗରୱାଲ୍ (୭) ରବାଡାଙ୍କ ବଲ୍ରେ ଏଲ୍ଗାର୍ଙ୍କୁ କ୍ୟାଚ୍ ଦେଇ ପ୍ୟାଭିଲିଅନ୍ ଫେରିଥିଲେ। ଆଉ ୪ ରନ୍ ଯୋଗ ପରେ କେଏଲ୍ ରାହୁଲ ମଧ୍ୟ ମାର୍କୋ ଜାନ୍ସନ୍ଙ୍କ ବଲ୍ରେ ମାର୍କରମ୍ଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ପରେ ଚେତେଶ୍ୱର ପୂଜାରା ଓ କ୍ୟାପ୍ଟେନ୍ ବିରାଟ କୋହଲି ଇନିଂସ୍ ସମ୍ଭାଳି ଅବିଭାଜିତ ୩ୟ ୱିକେଟ୍ ପାଇଁ ୩୩ ରନ୍ ଯୋଡ଼ିଥିଲେ। କୋହଲି ୩୯ ବଲ୍ରେ ଦୁଇଟି ଚୌକା ସହ ୧୪ ରନ୍ରେ ଏବଂ ପୂଜାରା ୩୧ ବଲ୍ରେ ଦୁଇଟି ଚୌକା ସହ ୯ ରନ୍ କରି ଅପରାଜିତ ଥିଲେ।