ଅଧା ରହିଗଲା ସ୍ୱପ୍ନ ! ଟି-୨୦ ବିଶ୍ୱକପରୁ ବିଦା ହେଲା ଭାରତ, ଫାଇନାଲରେ ଇଂଲଣ୍ଡ
ଆଡିଲେଡ : ଅଧା ରହିଗଲା ସ୍ୱପ୍ନ । ଟି-୨୦ ବିଶ୍ୱକପରୁ ବିଦା ହେଲା ଭାରତ । ଦ୍ଵିତୀୟ ସେମି ଫାଇନାଲରେ ଇଂଲଣ୍ଡ ଠାରୁ ୧୦ ୱିକେଟରେ ହାରି ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି ଭାରତ । ୧୫ ବର୍ଷ ତଳେ ଅର୍ଥାତ ୨୦୦୭ରେ ଭାରତ ଟି-୨୦ ବିଶ୍ୱକପ ଜିତିଥିଲା। ଲାଗୁଥିଲା ଏଥର ୧୫ ବର୍ଷ ଧରି ଭାରତୀୟ ଫ୍ୟାନ୍ସଙ୍କ ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପଡ଼ିବ। ଅଷ୍ଟ୍ରେଲିଆରେ ଟ୍ରଫି କବଜା କରିବ ଭାରତ। ହେଲେ ଭାରତୀୟ ଫ୍ୟାନ୍ସଙ୍କୁ ନିରାଶ କରିଛନ୍ତି ରୋହିତ ଶର୍ମା ଆଣ୍ଡ କୋ। ସେମି ଫାଇନାଲରେ ଇଂଲଣ୍ଡ ଠାରୁ ୧୦ ୱିକେଟରେ ହାରି ଭାରତ ବିଶ୍ୱକପରୁ ବିଦା ହୋଇଯାଇଛି।
ଆଶା କରାଯାଉଥିଲା ଚଳିତ ଟି-୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଫାଇନାଲ୍ ମୁକାବିଲା ହେବ । ପାକିସ୍ତାନ ଫାଇନାଲ୍ରେ ପହଞ୍ଚି ସାରିଥିବା ବେଳେ ସେମିରେ ଝୁଣ୍ଟିଲା ଭାରତ। ବଟଲର ଏବଂ ହେଲ୍ସ ସାମ୍ନାରେ ଫିକା ପଡିଲା ରୋହିତ ବାହିନୀ। ଭାରତୀୟ ବୋଲରଙ୍କ ଦୟନୀୟ ପ୍ରଦର୍ଶନ ସହିତ ଇଂରେଜ ଦଳର ଅଧିନାୟକ ଜୋସ୍ ଟବଲର ଏବଂ ଆଲେକ୍ସ ହେଲ୍ସଙ୍କ ବିସ୍ଫୋରକ ଚମତ୍କାର ଅର୍ଦ୍ଧଶତକୀୟ ଇନିଂସ ବଳରେ ଆଡିଲେଡ୍ରେ ଖେଳାଯାଇଥିବା ଦ୍ଵିତୀୟ ସେମି ଫାଇନାଲ୍ରେ ଇଂଲଣ୍ଡ ଭାରତକୁ ୧୦ ଓ୍ଵିକେଟ୍ରେ ହରାଇଛି। ଏଥିସହ ଦ୍ଵିତୀୟ ଦଳ ଭାବେ ଟି-୨୦ ବିଶ୍ଵ କପ୍ ୨୦୨୨ର ଫାଇନାଲ୍ରେ ପ୍ରବେଶ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୬୩ ରନ ଏବଂ ବିରାଟ କୋହଲିଙ୍କ ୫୦ ରନ ବଳରେ ୬ ଓ୍ଵିକେଟ୍ ହରାଇ ୧୬୮ ରନ କରିଥିଲା। ଜବାବରେ ଇଂଲଣ୍ଡ ଆଲେକ୍ସ ହେଲ୍ସଙ୍କ ଅପରାଜିତ ୮୬ ଏବଂ ବଟଲରଙ୍କ ଅପରାଜିତ ୮୦ ରନର ଦମଦାର ଇନିଂସ ବଳରେ ମାତ୍ର ୧୬ ଓଭରରେ ବିନା ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ନଭେମ୍ବର ୧୩ରେ ଫାଇନାଲ୍ରେ ଇଂଲଣ୍ଡ ପାକିସ୍ତାନକୁ ଭେଟିବ। ଉଭୟ ପାକିସ୍ତାନ ଓ ଇଂଲଣ୍ଡ ଗ୍ରୁପ ପର୍ଯ୍ୟାୟରୁ ବିଶ୍ୱକପରୁ ବିଦା ହେବା ସ୍ଥିତିରେ ଥିଲେ। ପାକିସ୍ତାନ ପ୍ରତିପକ୍ଷ ଜିମ୍ବାୱେ ଓ ଇଂଲଣ୍ଡ ସୁପର ୧୨ରେ ଆୟର୍ଲ୍ୟାଣ୍ତ ଠାରୁ ହାରିଥିଲା। କିନ୍ତୁ ଏବେ ଦୁଇ ଦଳ ଫାଇନାଲରେ ପହଞ୍ଚିବା ସହ ଟ୍ରଫି ପାଇଁ ମୁହାଁମୁହିଁ ହେବେ। ପାକିସ୍ତାନ ବୁଧବାର ନ୍ୟୁଜିଲ୍ୟାଣ୍ଡକୁ ହରାଇଥିବା ବେଳେ ଇଂଲଣ୍ଡ ଆଜି ଭାରତକୁ ହରାଇଛି।
ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲେ ଟିମ୍ ଇଣ୍ଡିଆ ଓପନ୍ର । ରୋହିତ ଓ ରାହୁଲ ଅଧିକ ସମୟ ଧରି କ୍ରିଜ୍ରେ ରହିପାରିନଥିଲେ। ଦଳୀୟ ସ୍କୋର ୯ ରନ୍ ହୋଇଥିବା ରାହୁଲଙ୍କ ରୂପେ ଭାରତକୁ ଲାଗିଥିଲା ପ୍ରଥମ ଝଟକା। ଓପନର କେଏଲ୍ ରାହୁଲ୍ ବ୍ୟକ୍ତିଗତ ଭାବେ ୫ ରନ୍ କରି ଆଉଟ ହୋଇଥିଲେ । ରୋହିତ ବି ୨୭ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ତେବେ ସୂର୍ଯ୍ୟକୁମାର ଯାଦବ(୧୪) ଆଉଟ୍ ହେବା ଭାରତକୁ ମହଙ୍ଗା ପଡିଥିଲା। ଏହାପରେ ବିରାଟ ଓ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ଇନିଂସ ସମ୍ଭାଳିଥିଲେ। ଦୁଇ ବ୍ୟାଟସମ୍ୟାନ କ୍ରମାନ୍ଵୟରେ ଅର୍ଦ୍ଧଶତକ ହାସଲ କରିଥିଲେ । ବିରାଟ ୪୦ ବଲ୍ରେ ୫୦ ରନ୍ ହାସଲ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୬୩ ରନ୍ କରିବାରେ ସକ୍ଷମ ହୋଇଥିଲେ। ଫଳରେ ଭାରତ ମୋଟ ୨୦ ଓଭରରେ ୬ ଓ୍ୱିକେଟ୍ ହରାଇ ୧୬୮ ରନ୍ କରିବାରେ ସକ୍ଷମ ହୋଇଥିଲା। ଇଂଲଣ୍ଡ ପକ୍ଷରୁ କ୍ରିସ୍ ଜୋର୍ଡାନ ୪ ଓଭର ବୋଲିଂ କରି ୪୩ ରନ୍ ଦେଇ ୪ଟି ଓ୍ୱିକେଟ୍ ନେଇଥିବା ବେଳେ ଆଦିଲ ରାସିଦ ଓ କ୍ରିସ୍ ଓ୍ଵକ୍ସ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଛନ୍ତି ।
୧୬୯ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଇଂଲଣ୍ଡ ଦଳର ଦୁଇ ଓପନର ଆଲେକ୍ସ ହେଲ୍ସ ଏବଂ ଅଧିନାୟକ ଜୋସ୍ ବଟଲର ଦୃଢତାର ସହ ବ୍ୟାଟିଂ ଆରମ୍ଭ କରିଥିଲା। ନିଜର ଖ୍ୟାତି ଅନୁସାରେ ବ୍ୟାଟିଂ କରି ଦୁଇ ବ୍ୟାଟସମ୍ୟାନ ଭାରତୀୟ ବୋଲରଙ୍କୁ ଆରମ୍ଭରୁ ନିର୍ମମ ପ୍ରହାର କରିଥିଲେ। ଏପରିକି ପ୍ରତିପକ୍ଷ ବୋଲରଙ୍କୁ କୌଣସି ସୁଯୋଗ ବି ଦେଇନଥିଲେ। ପ୍ରଥମେ ଅର୍ଦ୍ଧଶତକୀୟ, ପୁଣି ଶତକୀୟ ଭାଗିଦାରୀ ଯୋଡି ହେଲ୍ସ ଏବଂ ବଟଲର ଇଂଲଣ୍ଡର ବିଜୟକୁ ସହଜ କରିଥିଲେ। ଏହି କ୍ରମରେ ଦୁଇ ବ୍ୟାଟସମ୍ୟାନ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଭାରତୀୟ ବୋଲର ଏମିତି ଦୟନୀୟ ବୋଲିଂ କରିଥିଲେ ଯେ, ବିରୋଧୀ ଦଳର ଗୋଟିଏ ହେଲେ ଓ୍ଵିକେଟ୍ ହାସଲ କରିପାରିନଥିଲେ। ସମସ୍ତ ବୋଲର ଇଂରେଜର ଦୁଇ ଓପନଙ୍କ ସମ୍ମୁଖରେ ସଂପୂର୍ଣ୍ଣ ଫିକା ପଡି ଯାଇଥିଲେ। ପରିଶେଷରେ ଇଂଲଣ୍ଡ ୧୬ ଓଭରରେ କୌଣସି ଓ୍ଵିକେଟ୍ ନହରାଇ ଅନାୟସରେ ୧୬୯ ରନର ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଅଧିନାୟକ ବଟଲର ୪୯ ବଲ୍ରୁ ୯ ଚୌକା ଏବଂ ୩ ଛକା ବଳରେ ୮୦ ରନ ଏବଂ ଆଲେକ୍ସ ହେଲ୍ସ ୪୭ ବଲ୍ରୁ ୪ ଚୌକା ଏବଂ ୭ ଛକା ସହ ୮୬ ରନର ଅପରାଜିତ ଇନିଂସ ଖେଳି ଦଳକୁ ଅବିଶ୍ଵସନୀୟ ବିଜୟ ଦେଇଛନ୍ତି। ଦୁଇ ବ୍ୟାଟସମ୍ୟାନ ଅବିଭାଜିତ ପ୍ରଥମ ଓ୍ଵିକେଟ୍ରେ ୧୭୦ ରନ ଯୋଡିଛନ୍ତି।