ବଦଳିଲା ଗୁଜୁରାଟର ଅଧିନାୟକ : ଟସ ପାଇଁ ଆସିଲେ ରଶିଦ ଖାନ୍, ଜାଣନ୍ତୁ ଏହା ପଛର କାରଣ
ନୂଆଦିଲ୍ଲୀ: ଆଜି ମୁହାଁମୁହିଁ ହୋଇଛନ୍ତି କୋଲକାତା ନାଇଟ୍ ରାଇଡର୍ସ ଏବଂ ଗୁଜୁରାଟ ଟାଇଟନ୍ସ। ଗୁଜୁରାଟ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ବୋଲିଂ କରୁଛି କୋଲକାତା। ପୂର୍ବ ଭଳି ଟିମରେ କ୍ରିକେଟରମାନେ ସମାନ ଥିଲେ ବି ଜିଟି ଠିକ ମ୍ୟାଚ୍ ପୂର୍ବରୁ ନିଜର ଅଧିନାୟକ ବଦଳାଇଛି। ଗୁଜୁରାଟ ଟାଇଟାନ୍ସ ମ୍ୟାଚ୍ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଜଣେ ନୂତନ ଖେଳାଳିଙ୍କୁ ଅଧିନାୟକତ୍ୱ ଦାୟିତ୍ବ ଦେଇଛି। ପୂର୍ବରୁ ଗୁଜୁରାଟର ଅଧିନାୟକ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଥିବା ବେଳେ ଆଜିର ମ୍ୟାଚରେ ଷ୍ଟାର ସ୍ପିନର ରଶିଦ ଖାନଙ୍କୁ ଅଧିନାୟକ କରାଯାଇଛି।
ହଠାତ୍ ଜିଟି ଏଭଳି ଅଧିନାୟକ ବଦଳାଇବାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିବା ବେଳେ ରଶିଦ ଖାନ୍ ଏହା ପଛର କାରଣ କହିଥିଲେ। ଟସ୍ ଜିତିବା ପରେ ସେ କହିଥିଲେ ଯେ, ହାର୍ଦ୍ଦିକଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିବାରୁ ମୋତେ ଦାୟିତ୍ବ ମିଳିଛି। ସ୍ବାସ୍ଥ୍ୟାବସ୍ଥା ଭଲ ନଥିବା ବେଳେ ମ୍ୟାଚ୍ ଖେଳିଲେ ଦଳ ଉପରେ ପ୍ରଭାବ ପଡ଼ିବ ବୋଲି ଭାବି ସେ ବିଶ୍ରାମ କରିବାକୁ ନିଷ୍ପତ୍ତି ନେଇଥିଲେ। ସ୍ବାସ୍ଥ୍ୟାବସ୍ଥା ସୁଧୁରିବା ପରେ ସେ ପୁଣି ଦାୟିତ୍ବ ନେବେ।
ସୂଚନା ଯେ, ଏହା ପୂର୍ବରୁ ଗୁଜୁରାଟ ଚଳିତ ଆଇପିଏଲରେ ୨ଟି ମ୍ୟାଚ୍ ଖେଳି ବିଜୟୀ ହୋଇଛି। ୨୦୨୨ରେ ପ୍ରଥମ କରି ଗୁଜୁରାଟ ନିଜର ଆଇପିଏଲ ଯାତ୍ରା ଆରମ୍ଭ କରିଥିବା ବେଳେ ବିଜୟୀ ହୋଇଥିଲା। ୨୦୨୩ରେ ମଧ୍ୟ ଜିଟିର ପ୍ରଦର୍ଶନ ଭଲ ଥିବାରୁ ଏ ବର୍ଷ ମଧ୍ୟ ଟ୍ରଫି ଜିଟି ହାତେଇବ ବୋଲି ଚର୍ଚ୍ଚା ହେଉଛି।