ଭୁବନେଶ୍ୱର ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ
![](https://thetruths.in/wp-content/uploads/2022/11/President-Draupadi-Murmu-Guard-of-Honor.jpg)
ଭୁବନେଶ୍ୱର : ଦୁଇ ଦିନିଆ ଓଡ଼ିଆ ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ ହୋଇଥିବାରୁ ସବୁଆଡ଼େ ଉତ୍ସାହ ଲାଗି ରହିଛି ।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ଆଜି ପୂର୍ବାହ୍ନ ୧୦ଟା୫୦ରେ ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେଠାରେ ତାଙ୍କୁ ସ୍ୱାଗତ ଜଣାଇ ପାଛୋଟି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲଙ୍କ ସମେତ ବିଭିନ୍ନ ଦଳର ନେତା ତଥା ବରିଷ୍ଠ ଅଧିକାରୀ ପହଞ୍ଚିଥିଲେ। ସେଠାରେ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଛି।
ଭୁବନେଶ୍ୱରରୁ ବିମାନବନ୍ଦରରୁ ବାୟୁସେନାର ସ୍ୱତନ୍ତ୍ର ଚପରରେ ସିଧାସଳଖ ପୁରୀ ଅଭିମୁଖେ ଯାଇଛନ୍ତି ରାଷ୍ଟ୍ରପତି ମୁର୍ମୁ। ରାଷ୍ଟ୍ରପତି ୧୧ଟା୪୦ରେ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିବେ। ସେଠାରୁ ଚପରରୁ ଓହ୍ଲାଇବା ପରେ ସଡ଼କପଥରେ ଶ୍ରୀମନ୍ଦିରକୁ ଯିବେ।ମଧ୍ୟାହ୍ନରେ ରାଷ୍ଟ୍ରପତି ଶ୍ରୀମନ୍ଦିରରେ ପହଞ୍ଚିବା ପରେ ସିଂହଦ୍ୱାର ନିକଟରେ ତାଙ୍କୁ ସ୍ୱାଗତ କରିବେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ପଟ୍ଟଚ୍ଚିତ୍ର ପ୍ରଦାନ କରାଯିବ। ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କର ପ୍ରାୟ ୧ ଘଣ୍ଟାର ଦର୍ଶନ କାର୍ଯ୍ୟକ୍ରମ ରହିଛି।ଏହାପରେ ରାଜଭବନକୁ ଯାଇ ସେ ମହାପ୍ରସାଦ ସେବନ କରିବେ। ପୁରୀରୁ ଅପରାହ୍ନରେ ଭୁବନେଶ୍ୱର ଫେରି, ରାଜଧାନୀର ୮ଟି ସ୍ଥାନରେ ସ୍ୱାଧୀନତା ସଂଗ୍ରାମୀ ଓ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ଦ୍ରୌପଦୀ ମୁର୍ମୁ। ରାଜଭବନରେ ତାଙ୍କର ରାତ୍ରିଯାପନ ବ୍ୟବସ୍ଥା ହୋଇଛି। ଗସ୍ତର ଦ୍ୱିତୀୟ ଦିନରେ ସ୍କୁଲ ପରିଦର୍ଶନ ପରେ ଦିନ ୧୧ଟାରେ ଶେଷ କାର୍ଯ୍ୟକ୍ରମ ରହିଛି ଜୟଦେବ ଭବନରେ। ଏହାପରେ ସେ ଦିଲ୍ଲୀ ବାହୁଡ଼ିଯିବେ।
ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଭୁବନେଶ୍ୱର ଓ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିମାନବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ୩୪ ପ୍ଲାଟୁନ୍ ଫୋର୍ସ ସହ ୨ ଶହ ସବ୍ଇନ୍ସପେର, ୬୨ ଜଣ ଏସିପି, ୨୨ ଏଡିସିପି ରାଙ୍କର ଅଫିସର ଓ ୪ ଡିସିପି ରାଙ୍କର ଅଫିସର ସୁରକ୍ଷା ଦାୟିତ୍ୱରେ ରହିଛନ୍ତି। ସେହିପରି ପୁରୀରେ ବି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୁରୀରେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ତାଳବଣିଆ ହେଲିପ୍ୟାଡକୁ କଡ଼ା ସୁରକ୍ଷାରେ ରଖାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ଯେପରି ସାଧାରଣ ଲୋକଙ୍କ ଅସୁବିଧା ହେବନି ସେ ନେଇ ମଧ୍ୟ ଦୃଷ୍ଟି ଦିଆଯାଇଛି।