ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର! ଅଗଷ୍ଟ ୧ରୁ ଖୋଲିବ ଭିତରକନିକା
![](https://thetruths.in/wp-content/uploads/2022/07/Bhitarakanika.jpg)
ପଟ୍ଟାମୁଣ୍ଡାଇ : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆସନ୍ତା ଅଗଷ୍ଟ ପହିଲାରୁ ଖୋଲିବ ବିଶ୍ୱପ୍ରସିଦ୍ଧ ଜାତୀୟ ଉଦ୍ୟାନ ଭିତରକନିକା । ଗତ ମେ ୧ ତାରିଖରୁ କୁମ୍ଭୀର ପ୍ରଜନନ ଋତୁ ପାଇଁ ବନ୍ଦ ରହିଥିଲା ଭିତରକନିକା । କିନ୍ତୁ ଏବେ ଭିତରକନିକା ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିବା ନେଇ ସୂଚନା ଦେଇଛନ୍ତି ରାଜନଗର ବନ ଖଣ୍ଡ ଅଧିକାରୀ ।
ଏଥିପାଇଁ ବନବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଭିତରକନିକା ମଧ୍ୟକୁ ପଲିଥିନ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ପୂର୍ବରୁ ଏହି କଟକଣା ଥିଲେ ମଧ୍ୟ କେତେକାଂଶରେ ପର୍ଯ୍ୟଟକ ପଲିଥିନ ଭିତରକୁ ନେଇ ଏଣେତେଣେ ଫୋପାଡିବା ସହ ନଦୀ ନାଳରେ ମଧ୍ୟ ଫିଙ୍ଗୁଥିଲେ। ପଲିଥିନ ଓ ପ୍ଲାଷ୍ଟିକ ଆବର୍ଜନା ଜୈବ ବିବିଧତା ସନ୍ତୁଳନ ରକ୍ଷା କରିବାରେ ବ୍ୟାଘାତ ସୃଷ୍ଟି କରୁଛି। ଏ ନେଇ ପର୍ଯ୍ୟଟକଙ୍କୁ ବନବିଭାଗ ପକ୍ଷରୁ ସଚେତନ କରାଯିବ। ଏଥିସହ ପର୍ଯ୍ୟଟକଙ୍କୁ ଶୁଦ୍ଧ ପାନୀୟଜଳ ଯୋଗାଇ ଦେବାକୁ ଭିତରକନିକାର ବିଭିନ୍ନ ସ୍ଥାନରେ ପାନୀୟ ଜଳର ବ୍ୟବସ୍ଥା କରାଯିବ। ସୁସ୍ଥ ପରିବେଶ ଓ ଭିତରକନିକା ଜୈବ ବିବିଧତାର ସୁରକ୍ଷା ପାଇଁ ପର୍ଯ୍ୟଟକମାନେ ଏହି ପଲିଥିନ ଓ ପ୍ଲାଷ୍ଟିକ ମୁକ୍ତ ଭିତରକନିକା ଗଢିବାରେ ସହଯୋଗର ହାତ ବଢେଇବାକୁ କନିକା ରେଞ୍ଜ ଅଫିସର ମାନସ କୁମାର ଦାସ ନିବେଦନ କରିଛନ୍ତି। ପଲିଥିନ ବଦଳରେ କପଡ଼ା, କାଗଜ ଓ ଝୋଟରେ ପ୍ରସ୍ତୁତ ବ୍ୟାଗରେ ବ୍ୟବହାର୍ଯ୍ୟ ସାମଗ୍ରୀ ଭିତରକନିକା ମଧ୍ୟକୁ ନେବାକୁ ଅନୁରୋଧ କରାଯାଇଛି।
ସୂଚନା ଯେ, କୁମ୍ଭୀରଙ୍କ ପ୍ରଜନନ ଋତୁ ପାଇଁ ପ୍ରତିବର୍ଷ ମଇ ୧ରୁ ଜୁଲାଇ ୩୧ ତାରିଖ ୩ ମାସ ଧରି ଭିତରକନିକା ବନ୍ଦ ରହିଥାଏ। ଏହି ସମୟରେ ଦେଶ ବିଦେଶର ପର୍ଯ୍ୟଟକଙ୍କ ଭିତରକନିକାରେ ପ୍ରବେଶ ଉପରେ କଟକଣା ଥାଏ।