ଶୈଳନିବାସ ଗାଙ୍ଗଟକ୍
ସିକିମର ରାଜଧାନୀ ଗାଙ୍ଗଟକ୍ ଭାରତର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ରଭାବେ ପରିଗଣିତ । ପ୍ରତିଦିନ ଲକ୍ଷାଧିକ ପର୍ଯ୍ୟଟକଙ୍କ ଆଗମନ ହୁଏ ହିମାଳୟର ଏହି ଛୋଟିଆ ରାଜ୍ୟରେ । ବର୍ତମାନ ଇଂଟରନେଟ୍ ଯୁଗରେ ବି ଏଠାରେ ଉଭୟ ପୁରାତନ ଓ ନୂତନ ଆକର୍ଷଣ ଅନୁଭୂତି ସାଉଁଟିପାରିବେ । ଚତୁଃପାଶ୍ୱର୍ର ସବୁଜିମାଭରା ପରିବେଶ ଓ ଉଚ୍ଚ ଶୃଙ୍ଗ ଆଦି ଏହାର ଶୋଭା ବର୍ଦ୍ଧନ କରୁଛି । ଏଥିସହ ଏଠାକାର ମନମତାଣିଆ ଜଳବାୟୁ ଦେଖଣାହାରୀଙ୍କୁ ବାନ୍ଧି ରଖେ । ଗାଙ୍ଗଟକ ପୂର୍ବ ହିମାଳୟ ରେଞ୍ଜର ସିୱାଲିକ୍ ପର୍ବତମାଳାରେ ଅବସ୍ଥିତ । ସମୁଦ୍ରପତନଠାରୁ ଏହାର ଉଚ୍ଚତା ୧୪୩୭ ମିଟର । ଏଠାରେ ବାସ କରୁଥିବା ମୋଟ ଜନ ସମୁଦାୟର ୩୦ ହଜାର ଲୋକ ନେପାଳୀ, ଲେପଚାସ ଓ ଭୁତିଆ ସମ୍ପ୍ରଦାୟର । ୧୮୪୦ ମସିହାରେ ଏନେଚ ବୌଦ୍ଧପୀଠର ସ୍ଥାପନା ପରେ ଏହା ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ରରେ ପରିବର୍ତିତ ହୋଇଥିଲା । ଅଧୁନା ଏହା ତିବ୍ଦତୀୟ ବୌଦ୍ଧ ଶିକ୍ଷା, ସଂସ୍କୃତିର ମୁଖ୍ୟକେନ୍ଦ୍ର ପାଲଟିଛି । ଏଠାରେ ରହିଛି ବହୁ ବୌଦ୍ଧପୀଠ ଓ ଧାର୍ମିକ ଅନୁଷ୍ଠାନ । ଗାଙ୍ଗ୍ଟକ ର ଅର୍ଥ ଏବେ ସୁଦ୍ଧା ଅସ୍ପଷ୍ଟ ହୋଇ ରହିଥିଲେ ମଧ୍ୟ ଏହା ପର୍ବତ ଶିଖର ବା ହିଲ୍ ଟପ୍କୁ ବୁଝାଏ । ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଏହା ଲାସା, ତିବ୍ଦତ ଓ କୋଲକାତା ପରି ସହର ମଧ୍ୟରେ ଚାଲୁଥିବା ବାଣିଜ୍ୟ ବ୍ୟବସାୟର ଅନ୍ୟତମ ମୁଖ୍ୟ ମାଧ୍ୟମ ଥିଲା ।
କେମିତି ଯିବେ
ଆକାଶପଥ: ନିକଟତମ ବିମାନବନ୍ଦର ବାଗଡୋଗ୍ରାଠାରେ ଅଛି । ଗାଙ୍ଗଟକ୍ଠାରୁ ଏହାର ଦୂରତା ୧୨୪ କିଲୋମିଟର । ଭାରତର ପ୍ରମୁଖ ବିମାନବନ୍ଦର ସହ ଏହାର ସଂଯୋଗ ରହିଛି ।
ରେଳପଥ: ନିଉ ଜଲପାଇଗୁଡ଼ି ରେଳ ଷ୍ଟେସନ୍ଠାରୁ ଗାଙ୍ଗଟକର ଦୂରତା ହେଉଛି ୧୨୫ କିଲୋମିଟର । ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ସହ ଏହି ରେଳପଥ ସଂଯୁକ୍ତ ।
ସଡ଼କପଥ: ଡାର୍ଜିଲିଂ, କାଲିମପଙ୍ଗ ଓ ସିଲଗୁଡ଼ିକୁ ଜାତୀୟ ରାଜପଥରେ ସଂଯୋଗ କରୁଛି ଗାଙ୍ଗଟକ୍ । ସିକିମ୍, ସିଲଗୁଡ଼ି ଓ ଗ୍ୟାଙ୍ଗ୍ଟକ ମଧ୍ୟରେ ନିୟମିତ ବସ୍ସେବା ଉପଲବ୍ଧ । ଏତଦ୍ବ୍ୟତୀତ ଅନ୍ୟ ଘରୋଇ ପରିବହନ ସୁବିଧା ମଧ୍ୟ ଅଛି ।
ଜାଣିବା ଜରୁରୀ
ଅବସ୍ଥିତି: ଗାଙ୍ଗ୍ଟକ୍, ସିକିମ୍
କଥିତ ଭାଷା: ଭୁତିଆ, ଲେପଚା, ନେପାଳି, ଇଂରାଜୀ
ଭ୍ରମଣର ପ୍ରକୃଷ୍ଟ ସମୟ: ମାର୍ଚ୍ଚରୁ ଜୁନ୍ ଓ ସେପ୍ଟେମ୍ବରରୁ ଡିସେମ୍ବର
ଜଳବାୟୁ: ବର୍ଷସାରା ଏଠାକାର ଜଳବାୟୁ ବେଶ୍ ଆମୋଦଦାୟକ ଥାଏ । ବିଶେଷକରି ନଭେମ୍ବରରୁ ଫେବୃଆରୀ ମାସ ମଧ୍ୟରେ ଅତ୍ୟଧିକ ଶୀତ ଅନୁଭୂତ ହୋଇଥାଏ ।ଜାନୁଆରୀ-ଫେବୃଆରୀରେ ତାପମାତ୍ରା ପ୍ରାୟ ୪ ଡିଗ୍ରୀ ସେଣ୍ଟିଗ୍ରେଡ୍କୁ ଖସିଆସେ । ମେ’ରୁ ଅକ୍ଟୋବର ମାସ ମଧ୍ୟରେ ଏଠାରେ ପ୍ରକୃତ ଗ୍ରୀଷ୍ମଋତୁ ଅନୁଭବ ହୁଏ । ମୌସୁମୀରେ ଏଠାରେ ପ୍ରାୟ ଅନବରତ ବର୍ଷା ଲାଗିରହେବ ।
ଆଉ କ’ଣ ଦେଖିବେ
ଗଭର୍ଣ୍ଣମେଂଟ ଇନ୍ଷ୍ଟିଚ୍ୟୁଟ୍ ଅଫ୍ କଟେଜ୍ ହାଣ୍ଡିକ୍ରାଫ୍ଟସ (ଜିଆଇସିଆଇ): ସିକିମ୍ରେ ଚୋଗୟାଲ ରାଜବଂଶର ଶାସନ ସମୟରେ ଏହି ଅନୁଷ୍ଠାନର ସ୍ଥାପନା କରାଯାଇଥିଲା । ସିକିମୀୟ କଳା, ହସ୍ତଶିଳ୍ପ ତଥା ସ୍ଥାନୀୟ ଅଧିବାସୀ ଓ ଗ୍ରାମବାସୀଙ୍କ ପାରଦର୍ଶିତାର ସୁରକ୍ଷା ଜିଆଇସିଆଇ ପ୍ରତିଷ୍ଠା କରିବାର ପ୍ରମୁଖ ଉଦ୍ଦେଶ୍ୟ । ଜଣେ ଏଠାରେ ହାତତିଆରି କାର୍ପେଟ୍, ଆସବାବ ପତ୍ର, ହସ୍ତତନ୍ତ ଓ ଅନ୍ୟାନ୍ୟ ଉତ୍ପାଦ ଦେଖିପାରିବ । ଏଗୁଡ଼ିକ ଏଠାରେ ତିଆରି ହେବା ସହ ବିକ୍ରୟ ପାଇଁ ପ୍ରଦର୍ଶିତ ହୁଏ ।
DCIM\100MEDIA\DJI_0065.JPG
ସିକିମ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏସ୍ଆର୍ଆଇଟି): ଏହି ସଂସ୍ଥା ଆନ୍ତର୍ଜାତୀୟ ସ୍ତରରେ ତିବ୍ଦତୀୟ ଶିକ୍ଷା ଓ ଗବେଷଣା ପାଇଁ ଖ୍ୟାତି ଅର୍ଜନ କରିଛି । ବୌଦ୍ଧ ଧର୍ମ ସମ୍ପର୍କିତ ବିଭିନ୍ନ ବିରଳ ପୁସ୍ତକ, ପାଣ୍ଡୁଲିପି ଓ ୨୦୦ରୁ ଊର୍ଦ୍ଧ୍ୱ ସ୍ମାରକୀ ସ୍ଥାନ ପାଇଛି ଏହି ଗବେଷଣାଗାରରେ । ବୌଦ୍ଧ ଧର୍ମ ଓ ଏହାର ତତ୍ତ୍ୱ ସମ୍ପର୍କରେ ଜାଣିବାକୁ ଚାହୁଁଥିଲେ ଏଠାକୁ ବୁଲିଆସି ପାରିବେ ।
ହରିଣ ପାର୍କ: ପାରିପାଶ୍ୱର୍ିକ ମନୋରମ ଜଳବାୟୁ ସାଙ୍ଗକୁ ପାହାଡ଼ ପାଶ୍ୱର୍ରେ ଥିବା ଏହି ପାର୍କର ପ୍ରାକୃତିକ ଦୃଶ୍ୟରାଜି ଅତୀବ ମନମୁଗ୍ଧକର । ଏହାକୁ ରୁସ୍ତମଜି ପାର୍କ ମଧ୍ୟ କୁହାଯାଏ । ଏଠାରେ ବିଭିନ୍ନ ପ୍ରଜାତିର ହରିଣ ଦେଖିବାକୁ ମିଳେ ।
ରିଜ୍ ପାର୍କ: ଗାଙ୍ଗଟକ୍ର ମୁଖ୍ୟ ବଜାରଠାରୁ ୧୫ ମିନିଟ୍ର ଦୂରତା ଅତିକ୍ରମ କରିବା ପରେ ପଡ଼ିବ ଏହି ପାର୍କ । ଏହା ଉପରକୁ ଉଠିଥିବା ଦୁଇଟି ସମତଳ ଚଟାଣର ମିଳନଧାର ଯେଉଁଠି ଶୋଭାପାଉଛି ରଙ୍ଗବେରଙ୍ଗର ଭଳିକାଭଳି ଫୁଲ ଓ ଉଦ୍ଭିଦ ।
ତାଶି ଭିଉ ପଏଂଟ: ସିକିମ୍ର ପୂର୍ବତନ ରାଜା ତାଶି ନାମଗୟାଲଙ୍କ ଦ୍ୱାରା ନିର୍ମିତ ଏହି ସ୍ଥାନ ସହରଠାରୁ ମାତ୍ର ୪ କିଲୋମିଟର । ଜଣେ ବେଶ୍ ଆରାମରେ ଏଠାରୁ ସାମନା ପଟରେ ଥିବା କାଞ୍ଚନଜଙ୍ଗାର ଅପୂର୍ବ ଶୋଭା ବିମଣ୍ଡିତ ପ୍ରାକୃତିକ ଦୃଶ୍ୟ ଅବଲୋକନ କରିପାରିବ ।
ହିମାଳୟ ପ୍ରାଣୀ ଉଦ୍ୟାନ: ଗଣେଶ ରୋଡ଼ର ଅପର ପାଶ୍ୱର୍ରେ ଅବସ୍ଥିତ ଏହି ପାର୍କ ମୋଟ ୨୦୫ ହେକ୍ଟର ଜମିରେ ବିସ୍ତାରିତ । ଏଠାରେ ଲାଲ ପାଣ୍ଡା, ଭୁକିଲା ହରିଣ, ଭାଲୁ ଓ ଅନ୍ୟାନ୍ୟ ଜୀବଜନ୍ତୁ ଦେଖିବାକୁ ମିଳେ ।
ସପିଂ: ସପିଂ କରିବା ପାଇଁ ଏଠାରେ ରହିଛି ପୁରୁଣା ମାର୍କେଟ୍, ନୂଆ ମାର୍କେଟ୍ ଓ ଲାଲ ମାର୍କେଟ୍ । ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାରର ଖୋଦିତ ଆସବାବପତ୍ର, ହାତବୁଣା ବ୍ୟାଗ୍, କାର୍ପେଟ୍ ଆଦି କିଣିବାର ସୁଯୋଗ ରହିଛି । ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ବି କିଣିପାରିବେ ।