କ୍ଷେତ୍ର ପରିଦର୍ଶନରୁ ଧରାପଡ଼ିଲା ଜାଲିଆତି : ମିଛ ଚାଷୀ, ମିଛ ଜମି
![](https://thetruths.in/wp-content/uploads/2022/12/Micho-Chasi-Micho-Jomi-Keonjhar.jpg)
କେନ୍ଦୁଝର : ମିଛ ଜମିରେ ମିଛିମିଛିକା ଚାଷ । କେଉଁଠି ଖେଳପଡ଼ିଆ ତ ଆଉ କେଉଁଠି ପୋଖରୀକୁ ଧାନକ୍ଷେତ ବୋଲି ଦର୍ଶାଇଥିଲେ । ଏପରି ଗୋଟିଏ କି ଦୁଇଟି ନୁହେଁ ୫୪ ହଜାର ୭୩୬ଟି ପ୍ଲଟ୍ରେ ଧାନଚାଷ ହୋଇଛି ବୋଲି ଦର୍ଶାଇ ବହୁ ନକଲି ଚାଷୀ ଓ ଦଲାଲ ଧାନ ବିକ୍ରି କରିବାକୁ ମସୁଧା କରିଥିଲେ । ହେଲେ, ସାଟେଲାଇଟ୍ ସର୍ଭେ ବେଳେ ଏସବୁ ପ୍ଲଟ୍ ଗୁଡ଼ିକୁ ନେଇ ସନ୍ଦେହ ହେବାରୁ ରାଜସ୍ୱ ଏବଂ ସମବାୟ ବିଭାଗ କର୍ମଚାରୀମାନେ କ୍ଷେତ୍ର ପରିଦର୍ଶନ କରିଥିଲେ । କ୍ଷେତ୍ର ପରିଦର୍ଶନ ବେଳେ ମିଛ ଧରାପଡ଼ିବା ସହ ଏମ୍ଏସ୍ପି ହଡ଼ପ ଷଡ଼୍ଯନ୍ତ୍ର ଫସର ଫାଟିଯାଇଛି । କେନ୍ଦୁଝର ଜିଲ୍ଲାରେ ମୋଟ ୧ ଲକ୍ଷ ୬୦ ହଜାର ୩୯୦ ହେକ୍ଟର ଜମିରେ ଧାନଚାଷ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା । ଏସବୁ ଜମିରୁ ଅମଳ ହେବାକୁ ଥିବା ଧାନ ବିକ୍ରି କରିବା ପାଇଁ ଏବର୍ଷ ମୋଟ ୬୪ ହଜାର ୬୦ଜଣ ଚାଷୀ ନିଜ ନାମ ପଞ୍ଜୀକରଣ କରିଛନ୍ତି । ଚାଷୀମାନେ ପଂଜୀକରଣ ସମୟରେ ଚାଷ ସମ୍ପର୍କିତ ତଥ୍ୟ ଏବଂ ନିଜ ଜମିର ବିବରଣୀ ପ୍ରଦାନ କରିଥିଲେ । ଧାନଚାଷ ହୋଇଥିବା ଜମିଗୁଡ଼ିକୁ ନେଇ ସନ୍ଦେହ ହେବାରୁ ଏହାର ସତ୍ୟତା ଜାଣିବା ପାଇଁ ରାଜ୍ୟ ସରକାର ସାଟେଲାଇଟ୍ ସର୍ଭେ କରିଥିଲେ । ସାଟେଲାଇଟ୍ ସର୍ଭେରୁ ଯେଉଁ ଛବି ଆସିଥିଲା ତାହା ସନ୍ଦେହଜନକ ଥିଲା । ଅର୍ଥାତ ୬୨ ହଜାର ୨୭୧ଟି ପ୍ଲଟ୍ରେ ଧାନଚାଷ ହୋଇନଥିବା ଜଣାପଡ଼ିଥିଲା । ଏତେ ପରିମାଣର ଜମିରେ ଚାଷ ହୋଇନଥିବା ଜଣାପଡ଼ିବା ପରେ ସରକାର ଚିନ୍ତାରେ ପଡ଼ିଯାଇଥିଲେ । କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଥିଲେ । କେନ୍ଦୁଝର ଜିଲ୍ଲାର ୧୩ଟି ତହସିଲର ୧୭୧୭ଟି ଗାଁରେ ଥିବା ୬୨ ହଜାର ୨୭୧ଟି ସନ୍ଦେହଜନକ ପ୍ଲଟ୍ର ସର୍ଭେ ଆରମ୍ଭ ହୋଇଥିଲା । ୪୧୫ଜଣ କ୍ଷେତ୍ର ପରିଦର୍ଶନରେ ନିୟୋଜିତ ହୋଇଥିଲେ । ରାଜସ୍ୱ, ଲ୍ୟାମ୍ପସ୍ ଓ ସମବାୟ କର୍ମଚାରୀମାନେ କ୍ଷେତକୁ ଯାଇ ସନ୍ଦେହଜନକପ୍ଲଟ୍ ଗୁଡ଼ିକୁ ଯାଂଚ କରିବା ସହ ଅକ୍ଷା˚ଶ, ଦ୍ରାଘିମା ଅନୁସାରେ ଜମି ଉପରେ ଠିଆ ହୋଇ ନିଜର ସେଲ୍ଫି ଉଠାଇ ଏକ ନିର୍ଦ୍ଦିଷ୍ଟ ଆପ୍ରେ ଅପ୍ଲୋଡ୍ କରିଥିଲେ । ଇତିମଧ୍ୟରେ କ୍ଷେତ୍ର ପରିଦର୍ଶନ ସରିଯାଇଛି । ସନ୍ଦେହଘେରରେ ଥିବା ୬୨ ହଜାର ୨୭୧ଟି ପ୍ଲଟ୍ ମଧ୍ୟରୁ ୭୫୩୫ଟି ପ୍ଲଟ୍ରେ ଧାନଚାଷ ହୋଇଥିବା ଜଣାପଡ଼ିଛି । ଅବଶିଷ୍ଟ ୫୪ ହଜାର ୭୩୬ଟି ପ୍ଲଟ୍ରେ ଚାଷ ହୋଇନାହିଁ । ପୋଖରୀ, ଖେଳପଡ଼ିଆ ଏବଂ ଟାଙ୍ଗରା ଭୂଇଁକୁ ଧାନବିଲ ବୋଲି ଦର୍ଶାଯାଇଥିବାରୁ ଏସବୁ ପ୍ଲଟ୍କୁ ପଞ୍ଜୀକରଣ ତାଲିକାରୁ ବାଦ୍ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।