ଚାରି ନିର୍ବୋଧ
ବାଦ୍ଶାହ ଆକବର ଦିନେ ବଗିଚାରେ ସାନ୍ଧ୍ୟ ଭ୍ରମଣ କରୁଥିଲେ । ସାଙ୍ଗରେ ଥିଲେ ତାଙ୍କ ଚତୁର ମନ୍ତ୍ରୀ ବୀରବଲ୍ । ନିଜ ରାଜ୍ୟର ହାଲଚାଲ ବୁଝିବା ସହିତ ପଡୋଶୀ ରାଜ୍ୟଗୁଡିକର ଖବର ମଧ୍ୟ ବୁଝୁଥିଲେ ବାଦ୍ଶାହ ଆକବର । ଏତିକି ବେଳେ ତାଙ୍କ ମୁଣ୍ଡକୁ ଏକ ଅଜବ ଖିଆଲ ଆସିଲା । ସେ ସଙ୍ଗେ ସଙ୍ଗେ ରାଜ୍ୟର ହାଲଚାଲ ବୁଝିବା ଛାଡି ଦେଇ ବୀରବଲ୍ଙ୍କୁ ପ୍ରଶ୍ନ କଲେ ‘ଆଚ୍ଛା ବୀରବଲ୍ ମତେ ତୁମେ ଚାରି ଜଣ ନିର୍ବୋଧଙ୍କ ସନ୍ଧାନ ଦେଇପାରିବ । ଆବଶ୍ୟକସ୍ଥଳେ ସେମାନଙ୍କୁ ଧରି ଆଣି ଦରବାରରେ ବି ହାଜର କରିପାରିବ ।’ ବାଦ୍ଶାହଙ୍କଠୁ ଏମିତିକା ଅଜବ ପ୍ରଶ୍ନ ଶୁଣି ବୀରବଲ୍ ପ୍ରଥମେ ଟିକେ ଆଶ୍ଚର୍ଯ୍ୟ ହେଲେ । ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ନିଜକୁ ସମ୍ଭାଳି ନେଇ କହିଲେ ଏଇଟା ଗୋଟିଏ କି ଛାର କାମ । ସେ ଏହାକୁ ଦିନେ ଦୁଇଦିନ ଭିତରେ ସାରିଦେବେ । କିନ୍ତୁ ବାଦ୍ଶାହ ତାଙ୍କୁ ସେତିକି ସମୟ ଦେବେ ତ? ଏକଥା ଶୁଣି ବାଦ୍ଶାହ କହିଲେ ବୀରବଲ୍ ନିଜ ଇଚ୍ଛାନୁସାରେ ସମୟ ନେଇପାରିବେ । ମାତ୍ର ଯେମିତି ହେଲେ ସେ ଚାରିଜଣ ନିର୍ବୋଧଙ୍କୁ ଖୋଜି ବାହାର କରନ୍ତୁ । ଆକବରଙ୍କଠୁ ଅନୁମତି ନେଇ ବୀରବଲ୍ ବାହାରି ପଡିଲେ ଚାରି ନିର୍ବୋଧଙ୍କ ସନ୍ଧାନରେ । ବାଟରେ ଯାଉ ଯାଉ ସେ ଦେଖିଲେ ଜଣେ ଲୋକ ଗୋଟିଏ ଥାଳିରେ କିଛି ପାନପତ୍ର, ପୋଷାକ ଓ ମିଷ୍ଟାନ୍ନ ଧରି ଖୁବ ଦୟନୀୟ ଅବସ୍ଥାରେ ଛିଡା ହୋଇଛି । ବୀରବଲ୍ ଲୋକଟିକୁ ଦେଖି ପଚାରିଲେ ତୁମେ କିଏ? କାହିଁକି ଏମିତି ଏକୁଟିଆ ଓ କାହା ଅପେକ୍ଷାରେ ଏଠି ଠିଆ ହୋଇଛ? ଲୋକଟି ମନଦୁଃଖରେ ଉତ୍ତର ଦେଲା ଯେ ତା’ ସ୍ତ୍ରୀ ଆଉଜଣକୁ ବାହା ହୋଇଛି । ସେମାନଙ୍କର ଗୋଟିଏ ପୁଅଟି ଅଛି । ଆଜି ସେହି ପୁଅର ଜନ୍ମଦିନ । ତେଣୁ ପିଲାଟିକୁ ଏତକ ଜିନିଷ ଉପହାର ଭାବେ ଦେବା ପାଇଁ ସେ ଏଠାରେ ଠିଆ ହୋଇଛି । ବୀରବଲ୍ ଜାଣିପାରିଲେ ଲୋକଟି ନିଶ୍ଚିତ ଭାବେ ନିର୍ବୋଧ । ତେଣୁ ସେ ରାଜାଙ୍କ ପାଖକୁ ଏହି ନିର୍ବୋଧଟିକୁ ନେବେ ବୋଲି ସ୍ଥିର କଲେ । ସେଦିନ ପାଇଁ ବୀରବଲ ଘରକୁ ଫେରି ଆସିଲେ । ପରଦିନ ପୁଣି ଥରେ ନିର୍ବୋଧ ବ୍ୟକ୍ତି ଅନ୍ୱେଷଣରେ ସେ ବାହାରି ପଡିଲେ । ରାସ୍ତାରେ ଦେଖିଲେ ଜଣେ ଲୋକ ମୁଣ୍ଡରେ ଘାସ ବିଡା ମୁଣ୍ଡେଇ ଏକ ମଇଁଷି ଉପରେ ବସି ଯାଉଛି । ଲୋକଟିକୁ ଦେଖି ବୀରବଲ୍ ବୁଝିପାରିଲେ ଏହି ଲୋକଟି ନିଶ୍ଚିତ ଭାବେ ନିର୍ବୋଧଟିଏ ହୋଇଥିବ । ତଥାପି ନିଜ ମନରୁ ସନ୍ଦେହ ଦୂରେଇବା ପାଇଁ ସେ ଲୋକଟିକୁ ପଚାରିଲେ ମଇଁଷି ଉପରେ ଘାସ ବିଡା ନ ରଖି ସେ କାହିଁକି ନିଜ ମୁଣ୍ଡରେ ବୋଝ ଲଦିଛି । ଲୋକଟି ଉତ୍ତର ଦେଲା ତାର ମଇଁଷି ଗର୍ଭବତୀ ହୋଇଥିବାରୁ ସେ ତା’ ଉପରେ ଅଧିକ ଭାର ଦେବାକୁ ଚାହୁଁନଥିଲା ।ତେଣୁ ନିଜ ମୁିଣ୍ଡ ଉପରେ ଘାସ ବିଡାଟିକୁ ଲଦି ସେ ମଇଁଷି ଉପରେ ବସି ଯାଉଛି । ପରଦିନ ସକାଳେ ଏହି ଦୁଇ ନିର୍ବୋଧଙ୍କୁ ଧରି ବୀରବଲ୍ ଆସିଲେ ବାଦ୍ଶାହ ଆକବରଙ୍କ ଦରବାରଙ୍କୁ । ଆକବରଙ୍କ ଉଦ୍ଦେଶ୍ୟରେ ବୀରବଲ କହିଲେ ସେ ତାଙ୍କ କାମ ପୂରଣ କରିସାରିଛନ୍ତି । ଆକବର ପଚାରିଲେ ସେ ତ ଚାରିଜଣ ନିର୍ବୋଧଙ୍କୁ ଆଣିବା ପାଇଁ କହିଥିଲେ । କିନ୍ତୁ ବୀରବଲ୍ ତ ମାତ୍ର ଦୁଇଜଣଙ୍କୁ ଆଣିବାରେ ସକ୍ଷମ ହୋଇଛନ୍ତି । ବାଦଶାହଙ୍କ କଥା ଶୁଣି ହସିଲେ ବୀରବଲ୍ । କହିଲେ ‘ଜହାଁପନା ଆପଣଙ୍କ ସାମ୍ନାରେ ଏବେ ମୁଁ ଚାରିଜଣ ନିର୍ବୋଧଙ୍କ ପରିଚୟ ଦେଉଛି । ମନଦେଇ ଶୁଣନ୍ତୁ । ଏ ଦୁଇ ଜଣ ଦୁଇଟି ନିର୍ବୋଧ । ବାକି ଦୁଇଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଆପଣ ଯିଏ ନିର୍ବୋଧଙ୍କ ସନ୍ଧାନ ଭଳି ଏକ କାମ ବରାଦ କଲେ । ଅନ୍ୟ ଜଣେ ନିର୍ବୋଧ ହେଉଛି ସ୍ୱୟଂ ମୁଁ ଯିଏ ଏହି କାମରେ ଆପଣଙ୍କୁ ସାହାଯ୍ୟ କଲା । ବୀରବଲଙ୍କ କଥା ଶୁଣି ବାଦଶାହ ଆକବରଙ୍କ ସମେତ ଦରବାରରେ ଉପସ୍ଥିତ ସବୁ ଲୋକେ ହସିପକାଇଲେ । ବୀରବଲ୍ ପୁଣି ଥରେ ନିଜ ଚତୁରତାର ପ୍ରମାଣ ଦେଲେ ।