ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ହତ୍ୟା
![](https://thetruths.in/wp-content/uploads/2021/06/Former-Chancellor.jpg)
- ମାତ୍ର ୧୦୦ଟଙ୍କା ପାଇଁ ଟାଙ୍ଗିଆରେ ହାଣି ଦେଲା ମାତାଲ ଯୁବକ!
ଝାରସୁଗୁଡା : ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ହତ୍ୟା । ଘର ଭିତରକୁ ପଶିଆସି ଟଙ୍କା ଦାବି କରିଥିଲା ଦୁର୍ବୃତ୍ତ । ପଇସା ନଦେବାରୁ ବଚସା ପରେ ପକାଇଲା ଟାଙ୍ଗିଆ ଚୋଟ । ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ କୁଅଁରମାଲ ଗ୍ରାମରେ ଘଟିଛି ଏହି ହତ୍ୟାକାଣ୍ଡ।
ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ. ଧ୍ରୁବରାଜ ନାଏକ(୮୩)ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଜଣାଯାଇଛି। ରବିବାର ଦିନ ପ୍ରାୟ ୨ ଟା ସମୟରେ ଜଣେ ଯୁବକ ମଦ ପିଇ ପୂର୍ବତନ କୁଳପତି ଧ୍ରୁବରାଜ ନାୟକଙ୍କ ଘରେ ପଶିଥିଲା । ମାତାଲ ଅବସ୍ଥାରେ ଧ୍ରୁବରାଜଙ୍କୁ ଟଙ୍କା ମାଗିଥିଲା ଅଭିଯୁକ୍ତ । ତେବେ ସେ ଟଙ୍କା ନଦେଇ ପୋଲିସକୁ ଫୋନ କରି ଖବର ଦେବାକୁ ଏଥିରେ ଉତ୍ତ୍ୟକ୍ତ ହୋଇ ଟାଙ୍ଗିଆରେ ତଣ୍ଟିକୁ ଏକ ଚୋଟ ପକାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ଲଇକେରା ମୁଦ୍ରାଜୋର ଠାରେ ଥିବା ସିଏଚ୍ସିକୁ ନିଆଯାଇ ପ୍ରାଥମିକ ଚିକିତ୍ସା ପରେ ଝାରସୁଗୁଡ଼ା ସ୍ଥିତ ସମଲେଶ୍ବରୀ ହସପିଟାଲକୁ ଅଣା ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଛି । ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି । ସୂଚନା ଯେ, ଡ. ନାଏକ ୧୯୯୮ ରୁ ୨୦୦୧ ପର୍ଯ୍ୟନ୍ତ ସମ୍ବଲପୁର ବିଶ୍ବ ବିଦ୍ୟାଳୟରେ କୁଳପତି ଦାୟିତ୍ବ ନିର୍ବାହ କରି ଅବସର ଗ୍ରହଣ କରିଥିଲେ। ୨୦୦୧ରୁ ସେ ପରିବଶେ ଉପରେ ଅନେକ କାର୍ଯ୍ୟ କରି ଆସୁଥିଲେ।