ଟି-୨୦ ବିଶ୍ୱକପ ଫାଇନାଲ ରେସରୁ ପାକିସ୍ତାନ ବିଦା : ସାନିଆ ମିର୍ଜାଙ୍କୁ ସୋସିଆଲ ମିଡିଆରେ ଜୋରଦାର ଟ୍ରୋଲ, ଜାଣନ୍ତୁ କାରଣ
![](https://thetruths.in/wp-content/uploads/2021/11/Sania-Mirza-1024x576.jpg)
ନୂଆଦିଲ୍ଲୀ : ଆଇସିସି ଟି-୨୦ ବିଶ୍ୱକପ ୨୦୨୧ ର ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ହାତରେ ପାକିସ୍ତାନ ପରାଜୟର ସାମ୍ନା କରିବାକୁ ପଡିଛି । ପାକିସ୍ତାନ କ୍ରିକେଟ୍ ଟିମ୍ ଟି-୨୦ ବିଶ୍ୱକପ୍ ସୁପର ୧୨ ପର୍ଯ୍ୟାୟର ସମସ୍ତ ପାଞ୍ଚଟି ମ୍ୟାଚ୍ ଜିତିବା ପରେ ସେମିଫାଇନାଲରେ ପ୍ରବେଶ କରିଥିଲା । ଏଭଳି ପରିସ୍ଥିତିରେ ଫାଇନାଲରେ ପ୍ରବେଶ କରିବା ଏବଂ ବିଶ୍ୱକପ ଜିତିବା ପାଇଁ ପାକିସ୍ତାନ ଅନ୍ୟତମ ଫେବରାଇଟ ଟିମ୍ ଥିଲା । କିନ୍ତୁ ସେମିଫାଇନାଲରେ ମାଥ୍ୟୁ ୱେଡଙ୍କ ଚମତ୍କାର ଇନିଂସ ଯୋଗୁଁ ପାକିସ୍ତାନ ଫାଇନାଲ ରେସରୁ ବାଦ ପଡିଛି । ପାକିସ୍ତାନର ପରାଜୟ ପରେ ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜାଙ୍କୁ ସୋସିଆଲ ମିଡିଆରେ ଜୋରଦାର ଟ୍ରୋଲ କରାଯାଉଛି ।
ଆଇସିଆସି ଟି-୨୦ ବିଶ୍ୱକପ ୨୦୨୧ ସମୟରେ ସାନିଆ ପାକିସ୍ତାନ କ୍ରିକେଟ୍ ଦଳ ସହିତ ଥିଲେ । ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ମଧ୍ୟ ସେ ପାକିସ୍ତାନର ବାୟୋ ବବଲରେ ଯୋଗ ଦେଇଥିଲେ । ଭାରତ ବିପକ୍ଷ ମ୍ୟାଚ୍ ବ୍ୟତୀତ ସାନିଆ ଅନ୍ୟ ସମସ୍ତ ମ୍ୟାଚରେ ପାକିସ୍ତାନକୁ ସମର୍ଥନ କରିଥିଲେ । ପାକିସ୍ତାନ ଦଳର ସଫଳତା ଏବଂ ଶୋଏବ ମଲିକଙ୍କ ଇନିଂସକୁ ନେଇ ତାଙ୍କୁ ଅନେକ ସମୟରେ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳିଥିଲା । ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ସେମିଫାଇନାଲ ମ୍ୟାଚରେ ସେ ପାକିସ୍ତାନକୁ ମଧ୍ୟ ସମର୍ଥନ କରିଥିଲେ । ଏଭଳି ପରିସ୍ଥିତିରେ ପାକିସ୍ତାନକୁ ସମର୍ଥନ ଏବଂ ଉତ୍ସାହିତ କରିବା ପାଇଁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି । ତେବେ ଅନେକ ପ୍ରଶଂସକ ସାନିଆଙ୍କୁ ସମର୍ଥନ କରିବା ସହ ଟ୍ରୋଲ ମଧ୍ୟ କରୁଛନ୍ତି ।
ସୂଚନା ଯେ, ସାନିଆ ମିର୍ଜା ଏବଂ ଶୋଏବ ମଲ୍ଲିକ ୨୦୧୨ ମସିହାରେ ବିବାହ କରିଥିଲେ । ସାନିଆ ମିର୍ଜା ପାକିସ୍ତାନୀ କ୍ରିକେଟର ଶୋଏବ ମଲ୍ଲିକଙ୍କୁ ବିବାହ କରିଛନ୍ତି । ସେମାନଙ୍କର ମଧ୍ୟ ଏକ ପୁତ୍ର ସନ୍ତାନ ଅଛି, ଯାହାର ନାମ ଇଜାନ ମିର୍ଜା ମଲ୍ଲିକ । ପାକିସ୍ତାନୀ କ୍ରିକେଟରଙ୍କୁ ବିବାହ କରିଥିବାରୁ ତାଙ୍କୁ ଆରମ୍ଭରୁ ଟ୍ରୋଲ କରାଯାଇଛି । ଭାରତ-ପାକିସ୍ତାନ ଯୁଦ୍ଧ ଏବଂ ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚରେ ତାଙ୍କୁ ବାରମ୍ବାର ଟାର୍ଗେଟ କରାଯାଇଛି । ଏଭଳି ପରିସ୍ଥିତିରେ ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ ପୂର୍ବରୁ ସାନିଆ ଅନେକ ସମୟରେ ଘୋଷଣା କରନ୍ତି ଯେ ସେ ସୋସିଆଲ ମିଡିଆରୁ ନକାରାତ୍ମକ କମେଣ୍ଟରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି । ଏଥର ମଧ୍ୟ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ସେ ଇନଷ୍ଟାଗ୍ରାମ ମାଧ୍ୟମରେ ପ୍ରଶଂସକଙ୍କୁ କହିଥିଲେ ଯେ ସେ ସୋସିଆଲ ମିଡିଆରୁ ଦୂରେଇ ରହିବେ ।