ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ଫାଇନାଲ ମୁକାବିଲା, ଏହି ଦଳ ହେବ ବିଜେତା ! ଭବିଷ୍ୟ ବାଣୀ କଲେ ଡିଭିଲିୟର୍ସ
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ମହାନତମ କ୍ରିକେଟର ଏବି ଡିଭିଲିୟର୍ସ ଟି-୨୦ ବିଶ୍ୱ କପ ୨୦୨୨ର ସେମିଫାଇନାଲ ମୁକାବିଲା ପୂର୍ବରୁ ବଡ଼ ଭବିଷ୍ୟତବାଣୀ କରିଛନ୍ତି । ଡିଭିଲିୟର୍ସଙ୍କ କହିବା ଅନୁସାରେ, ଟି-୨୦ ବିଶ୍ୱ କପ ୨୦୨୨ର ଫାଇନାଲ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ତେବେ ଏହି ମୁକାବିଲାରେ ଭାରତ ବିଜୟୀ ହେବା ସହ ଦ୍ୱିତୀୟ ଥର ଚାମ୍ପିୟନ ହେବ । ଭାରତୀୟ ଟିମ ଟି ୨୦ ବିଶ୍ୱ କପର ସେମିଫାଇନାଲରେ ଗୁରୁବାର ଇଂଲଣ୍ଡକୁ ଭେଟିବ ।
ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଡିଭିଲିୟର୍ସ କହିଛନ୍ତି, ମୁଁ ଅନୁମାନ କରୁଛି ଫାଇନାଲରେ ଭାରତର ମୁକାବିଲା ନ୍ୟୁଜିଲାଣ୍ଡ ସହ ହେବ ଏବଂ ଭାରତ ବିଶ୍ୱ କପ ଜିତିବ । ସୂର୍ଯ୍ୟକୁମାର ଯାଦବ ଏବଂ ବିରାଟ କୋହଲି ଦବରଦସ୍ତ ଫର୍ମରେ ଅଛନ୍ତି । ଭାରତର ପୂରା ଟିମ ପ୍ରଭାବଶାଳୀ ଅଛନ୍ତି ।
ଗୁରୁବାର ରୋହିତ ବାହିନୀ ଟି-୨୦ ବିଶ୍ୱ କପରେ ଇଂଲଣ୍ଡର ଯାତ୍ରା ଶେଷ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । ଡିଭିଲିୟର୍ସଙ୍କ ଅନୁସାରେ ଫାଇନାଲରେ ନ୍ୟୁଜିଲାଣ୍ଡ ଏବଂ ଭାରତ ଲଢେଇ ହେବ । କିନ୍ତୁ ଇତିହାସ କହୁଛି ବିଶ୍ୱ କପରେ କିୱିଙ୍କ ବିରୋଧରେ ଭାରତର ପ୍ରଦର୍ଶନ ଭଲ ନାହିଁ । ଗତ ଟି ୨୦ ବିଶ୍ୱ କପରେ କିୱି ଟିମ ଠାରୁ ପରାଜିତ ହୋଇ ଭାରତ ଟୁର୍ଣ୍ଣାମେଣ୍ଟରୁ ବାହର ହୋଇଥିଲା । ଆଇସିସି ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ନ୍ୟୁଜିଲାଣ୍ଡ ଭାରତକୁ ହରାଇଥିଲା । ୨୦୧୯ ଦିନିକିଆ ବିଶ୍ୱ କପ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଭାରତକୁ ମାତ ଦେଇଥିଲା ।