କମ ପିଲାଙ୍କୁ ମଲ୍ଟିସିଷ୍ଟମ୍ ଇନଫ୍ଲାମେଟୋରି ସିଣ୍ଡ୍ରୋମ ହୋଇପାରେ : ପରିବାର କଲ୍ୟାଣ ନିର୍ଦ୍ଦେଶକ
- ରାଜ୍ୟରେ ୧୮ରୁ କମ୍ ବୟସ୍କ ସଂକ୍ରମିତ ପିଲାଙ୍କ ମଧ୍ୟରୁ ୮୦%ଙ୍କ ଠାରେ କରୋନା ଲକ୍ଷଣ ନାହିଁ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନାର ସମ୍ଭାବ୍ୟ ତୃତୀୟ ଲହର ଏବେ ଠାରୁ ଆତଙ୍କ ଖେଳାଇଲାଣି । ବିଶେଷ କରି ଛାତ୍ରଛାତ୍ରୀ ଓ ଶିଶୁ ମାନେ ସଂକ୍ରମିତ ହେବା ଏବେ ଚିନ୍ତା ଜଣକ । ଏହାକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି କି, ରାଜ୍ୟରେ ୧୮ରୁ କମ୍ ବୟସ୍କ ସଂକ୍ରମିତ ପିଲାଙ୍କ ମଧ୍ୟରୁ ୮୦% ପିଲାଙ୍କ ଠାରେ କରୋନା ଲକ୍ଷଣ ନାହିଁ । ସେହିପରି ୧୮ ବର୍ଷରୁ କମ୍ ବୟସ୍କ ସଂକ୍ରମିତ ପିଲାଙ୍କ ମଧ୍ୟରେ ୧୫%ଙ୍କ ସାମାନ୍ୟ ଲକ୍ଷଣ ଓ ବାକି ୫%ଙ୍କ ଅଧିକ ଲକ୍ଷଣ ରହୁଛି । ସେହି ୫% ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ସେମାନଙ୍କ ଭିତରୁ ୩% ଅକ୍ସିଜେନ ସାହାଯ୍ୟରେ ଠିକ ହୋଇଯାଉଛନ୍ତି । ୨%ଙ୍କୁ ଆଇସିୟୁ ଦରକାର ପଡୁଛି । ଏହି ସବୁ ଭିତରେ ବହୁତ କମ ପିଲାଙ୍କୁ ମଲ୍ଟିସିଷ୍ଟମ୍ ଇନଫ୍ଲାମେଟୋରି ସିଣ୍ଡ୍ରୋମ ହୋଇପାରେ । ଏହା କୋଭିଡରୁ ସୁସ୍ଥ ହୋଇଥିବାର ୪ରୁ ୬ ସପ୍ତାହ ଭିତରେ ପିଲାଙ୍କ ଭିତରେ ଦେଖାଯାଇଥାଏ । ପିଲାଙ୍କ ପ୍ରତିଷେଧକ ଶକ୍ତିରେ ସଂକ୍ରମଣ ହେବାରୁ ଏହା ହୁଏ।
ସୂଚନା ଯେ, ମଲ୍ଟିସିଷ୍ଟମ୍ ଇନଫ୍ଲାମେଟୋରି ସିଣ୍ଡ୍ରୋମରେ ପୀଡ଼ିତ ହେଲେ ଆଖି, ପାଟି, ପାଦ ଲାଲ ପଡ଼ିଯିବ। ପତଳା ଝାଡ଼ା, ବାନ୍ତି ଓ ପେଟ ଯନ୍ତ୍ରଣା ବି ହେବ। ଧୀରେ ଧୀରେ ଶରୀରର ସବୁ ଅଙ୍ଗ ସଂକ୍ରମିତ ହୋଇଯିବ। ଯେଉଁଥିପାଇଁ ଶରୀରରେ ମଲ୍ଟି ସିଷ୍ଟମ୍ ଫେଲୁଅର୍ ହୋଇ ଶିଶୁ ଗୁରୁତର ହେବ। ଚିକିତ୍ସା ଭାବେ ଅକ୍ସିଜେନ, ଆଇଭି ଫ୍ଲୁଇଡ୍ , ସପୋର୍ଟିଭ୍ ଥେରାପି ଦିଆଯିବ। ଆବଶ୍ୟକ ପଡ଼ିଲେ ଦାମୀ ହାଏ ଡୋଜ ଷ୍ଟିରଏଡ୍ ଦିଆଯିବ, ଯାହା ମହଜୁଦ ଅଛି। ଏହାପରେ ଆମେ ତାକୁ ନିରୀକ୍ଷଣ କରିବୁ। ୨୪ ଘଣ୍ଟାରେ ଠିକ୍ ନ ହେଲେ ପୁଣି ଚିକିତ୍ସା କରାଯିବ। ଏ ଦିଗରେ ଶିଶୁ ଚିକିତ୍ସକ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଟ୍ରେନିଂ ଦିଆସରିଛି। ପ୍ରାୟ ୧୨ରୁ ୧୫ ପ୍ରତିଶତ ପିଲା କୋଭିଡ ସଂକ୍ରମିତ ହେଉଛନ୍ତି। ମାତ୍ର ୦.୨ ପ୍ରତିଶତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଭୁବନେଶ୍ୱରରେ କିଛି ଶିଶୁଙ୍କ ମଲ୍ଟିସିଷ୍ଟମ୍ ଇନଫ୍ଲାମେଟୋରି ସିଣ୍ଡ୍ରୋମ ଦେଖାଯାଇଥିଲା, ହେଲେ ଏବେ ସବୁ ଠିକ୍ ଅଛି।