ଭଗବାନଙ୍କ ପ୍ରତି ଭାବ
ଜଣେ ଭିକାରୀ ଥିଲା । ତା ପାଖରେ ଭଗବାନଙ୍କର ଗୋଟିଏ ଛୋଟିଆ ମୂର୍ତ୍ତୀ ଥିଲା । ସେହି ମୂର୍ତ୍ତୀକୁ ସେ ନିଜ ଅଣ୍ଟାରେ ଖୋସି ବୁଲୁ ଥିଲା । କେବେ ବି ପୂଜା କରୁ ନଥିଲା । ତେବେ ଖାଇବା ପୂର୍ବରୁ ଅଳ୍ପ କିଛି ତାଙ୍କ ସାମନାରେ ଥୋଇ ‘ଆପଣ ଖାଆନ୍ତୁ’ ବୋଲି କହି ନିଜେ ଖାଇ ଦେଉଥିଲା । ଭିକ୍ଷୁକ ଯାହା ଭିକ୍ଷାରେ ପାଉଥିଲା ସେଥିରେ ସେ ଦିନକୁ ଥରେ ମାତ୍ର ଖାଇ ପାରୁଥିଲା । ଦିନେ ଏକଥା ଦେଖିଲେ ଜଣେ ଧର୍ମଜ୍ଞ ବ୍ରାହ୍ମଣ । ସେ ଭିକ୍ଷୁକଙ୍କୁ ଆସି କହିଲେ ହଇରେ ପାପୀ! ତୁ ଭଗବାନଙ୍କ ମୂର୍ତ୍ତୀ ରଖି ଏ କି କାରବାର କରୁଛୁ । ଏମିତି ପାପ କରନା । ସେ ମୂର୍ତ୍ତୀଟିକୁ ମୋତେ ଦେଇ ଦେ । ଭିକାରୀ କହିଲା ଅଜ୍ଞା ଖୁସିର କଥା । ସେ ଯେଉଁଠି ରହିବେ ଖୁସିରେ ରୁହନ୍ତୁ । ବ୍ରାହ୍ମଣ ମୂର୍ତ୍ତୀଟି ନେଇ ଅତି ଶୃଙ୍ଖଳାର ସହ ପୂଜା କରିବା ସହ ଖୁସିରେ ଥିଲେ । କିଛି ଦିନ ପରେ ଥରେ ଏମିତି ପରିସ୍ଥିତି ସୃଷ୍ଟି ହେଲା କଠୋର ଶୃଙ୍ଖଳାରେ ପୂଜା ଅର୍ଚ୍ଚନା କରିବା କଷ୍ଟକର ହୋଇ ପଡ଼ିଲା । ବ୍ରାହ୍ମଣ ସ୍ଥିର କଲେ ମୂର୍ତ୍ତୀଟିକୁ ଆଉ କାହାକୁ ଦେଇ ଦେବେ । କିନ୍ତୁ ସେମିତି କରି ପାରିଲେ ନାହିଁ । କାରଣ ତାଙ୍କୁ ଭୟ ଲାଗିଲା ଯେ ଅନ୍ୟ କେହି ହୁଏତ ଏତେ ଶୃଙ୍ଖଳାର ସହିତ ପୂଜା କରି ନପାରନ୍ତି । ଏମିତି ଚିନ୍ତାଗ୍ରସ୍ତ ଅବସ୍ଥାରେ ସେ ଶୋଇଥିବା ବେଳେ ସ୍ୱପ୍ନ ଦେଖିଲେ ଭଗବାନ ଆସି କହୁଛନ୍ତି ବାବୁ ତୁମେ ମୋତେ ଯେମିତି ପୂଜାର କରୁଛ ସେଥିରେ ମୁଁ ଅବଶ୍ୟ ଖୁସି । କିନ୍ତୁ ତୁମ ପୂର୍ବରୁ ସେହି ଭିକ୍ଷୁକ ମୋତେ ଯେମିତି ପୂଜା କରୁଥିଲା ସେଥିରେ ବି ମୁଁ ଖୁସି ଥିଲି । ତା’ ମନରେ ମୋ ପାଇଁ ପ୍ରଗାଢ଼ ସ୍ନେହ ଓ ଭକ୍ତିଭାବ ଥିଲା । ତୁମ ପାଖରେ ମୁଁ ଭଲରେ ରହିବି ବୋଲି ବିଚାର କରି ସେ ମୋତେ ତୁମକୁ ଦେଇ ଦେଲା ଓ ଆଶ୍ୱସ୍ତ ହେଲା । କିନ୍ତୁ ତୁମେ ସେତିକି କରିବାକୁ ଭାବିଲା ବେଳକୁ ଭୟରେ ଛାନିଆ ହୋଇ ଯାଉଛ । ବ୍ରାହ୍ମଣର ନିଦ ଭାଙ୍ଗିଗଲା । ଏବେ ସେ ବୁଝିଲେ ପ୍ରକୃତରେ ଭଗବାନଙ୍କ ପ୍ରତି ଭାବ ମେିତି ରହିବା ଉଚିତ ।