ନିଷ୍ଠୁର ବାପାର ବର୍ବର କାଣ୍ଡ, ୯ ମାସର ଛୁଆକୁ ଧରି ନଦୀକୁ ଡେଇଁଲା ବାପା
କଟକ : ପାରିବାରିକ କଳହର କରୁଣ ପରିଣତି । ୯ ମାସର ଛୁଆକୁ ଧରି ନଦୀକୁ ଡେଇଁଲେ ବାପା । କଟକ ସଦର ସଇଁଦା ନିକଟ ସିଡୁଆ ନଦୀକୁ ଡେଇଁଲେ ବାପା । ଛୁଆକୁ ସୁରକ୍ଷିତ ଉଦ୍ଧାର କଲେ ସ୍ଥାନୀୟ ଲୋକ । ଏଯାଏ ବାପାଙ୍କ ପତ୍ତା ମିଳିନି । ପାରିବାରିକ କଳହକୁ ନେଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅନୁମାନ । ନିଖୋଜ ବ୍ୟକ୍ତିଙ୍କ ଘର କନ୍ଦରପୁର ଅଞ୍ଚଳରେ ବୋଲି ଜଣାପଡିଛି । ତାଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି ।
ସୂଚନା ଯେ, କନ୍ଦରପୁର ଅଞ୍ଚଳର ଜଣେ ଯୁବକ ତାଙ୍କ ସ୍ତ୍ରୀ ଓ ଛୋଟ ପିଲାକୁ ଧରି ସଇଁଢା ନିକଟ ନଛିପୂର କେଦାରେଶ୍ୱର ମନ୍ଦିରକୁ ପୂଜା କରିବାକୁ ଆସିଥିଲେ। ସମସ୍ତେ ଫେରିବା ବେଳେ ନଦୀରେ ବାଲି ଦେଖିବା ବହାନାରେ ସ୍ତ୍ରୀ ଓ ଛୁଆକୁ ନଦୀ କୂଳକୁ ଡାକି ନେଇଥିଲେ। ଏହାପରେ ଛୁଆ ସହ ସେ ନଦୀକୁ ଡେ଼ଇଁଥିଲେ। ପାଖରେ ଥିବା କିଛି ଲୋକ ଏହା ଦେଖି ଛୁଆକୁ ଉଦ୍ଧାର କରିଛନ୍ତି । ହେଲେ ଯୁବକ ଜଣକ ବୁଡି ଯାଇଛନ୍ତି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।