ପ୍ରକାଶ ପାଇଲା ଫକୀରମୋହନ ବିଶ୍ୱବିଦ୍ୟାଳୟ ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା ଫଳ
ବାଲେଶ୍ୱର :ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ସହିତ ଅନୁବନ୍ଧିତ ଥିବା ସମସ୍ତ ମହାବିଦ୍ୟାଳୟ ଗୁଡ଼ିକର ସ୍ନାତକ ଶ୍ରେଣୀର ପରୀକ୍ଷାଫଳ ପ୍ରକାଶ ପାଇଛି । ଏଥିରେ ସମୁଦାୟ ୮୮.୧୭% ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡ଼ିଛି । ସେଥିମଧ୍ୟରୁ କଳା ବିଭାଗରେ ୯୦.୦୧%, ବିଜ୍ଞାନ ବିଭାଗରେ ୮୬.୬୬% ଓ ବାଣିଜ୍ୟ ବିଭାଗରେ ୮୦.୦୯% ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି । ସ୍ନାତକ ଶ୍ରେଣୀର ଏହି ଫଳାଫଳ www.orissaresult.nic.in (ଡବ୍ଲୁଡବ୍ଲୁଡବ୍ଲୁ.ଓରିଶାରେଜଲ୍ଟ.ଏନ୍ଆଇସି.ଇନ୍) ୱେବସାଇଟ୍ରେ ଉପଲବ୍ଧ କରାଯାଇଛି । ସେହିପରି ଫକୀରମୋହନ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ସମସ୍ତ ସ୍ନାତକୋତ୍ତର ଶ୍ରେଣୀର ଅନ୍ତିମ ସେମିଷ୍ଟାର ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି । ଏହି ବିଷୟରେ ସବିଶେଷ ସୂଚନା ଦେଇଛନ୍ତି ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ରଞ୍ଜନ କୁମାର ରାୟ ।
ସୂଚନା ଯେ, ବିଶ୍ୱବିଦ୍ୟାଳୟର ସମସ୍ତ ସ୍ନାତକୋତ୍ତର ବିଭାଗରେ ଅନ୍ତିମ ସେମିଷ୍ଟାର ପରୀକ୍ଷା ଗତ ଜୁଲାଇ ୩୦ ତାରିଖ ସୁଦ୍ଧା ଶେଷ ହୋଇଥିଲା । ଛାତ୍ରୀଛାତ୍ରଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପରୀକ୍ଷା ଶେଷ ହେବାର ୧୦ଦିନ ମଧ୍ୟରେ ଫଳ ପ୍ରକାଶ କରିବାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଥିଲା । ଫଳସ୍ୱରୂପ ବିଶ୍ୱବିଦ୍ୟାଳୟ ଚଳିତବର୍ଷ ଏହାର ସ୍ନାତକୋତ୍ତର ପରୀକ୍ଷା ଫଳ ପ୍ରକାଶ କରିବାରେ ଆଗରେ ରହିଛି ବୋଲି କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମତବ୍ୟକ୍ତ କରିଥିଲେ । ଏହିକ୍ରମରେ ସ୍ନାତକୋତ୍ତର ଶ୍ରେଣୀରେ ପାସ୍ ହାର ମୋଟ୍ ୯୮.୭୬% ରହିଛି ।