ଧାନ ଫସଲ ଉଜାଡ଼ିଲେ କୁଲଡ଼ିହା ହାତୀ
ନୀଳଗିରି : ନୀଳଗିରି ବ୍ଲକ ଅନ୍ତର୍ଗତ ସଜନାଗଡ ପଞ୍ଚାୟତ ଭାଲୁକୁଣି ଗ୍ରାମକୁ ସଂଲଗ୍ନ ଥିବା ଚାଷ ଜମିରେ କୁଲଡ଼ିହା ଅଭୟାରଣ୍ୟର ହାତୀଙ୍କ ଉପଦ୍ରବ ଯୋଗୁଁ ବ୍ୟାପକ ଫସଲ ହାନି ଘଟିଛି । ୩ଟିି ହାତୀ ଯେତିକ ଫସଲ ଖାଇଛନ୍ତି ତା’ ଠାରୁ ଅଧିକ ପାଦରେ ଦଳି ଚକଟି ନଷ୍ଟ କରିଦେଇଛନ୍ତି । ଫଳରେ ଚିନ୍ତାରେ ଚାଷୀ ।
ଚାଷୀ ଓ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ କୁଲଡ଼ିହା ଅଭୟାରଣ୍ୟର ୩ଟି ହାତୀ ତିନୀକୋଷିଆ ଜଙ୍ଗଲରେ ରହି ଆସୁଥିବା ବେଳେ ଗତ ଗୁରୁବାର ବିଳମ୍ବିତ ରାତିରେ ଜଙ୍ଗଲରୁ ବାହରି ଭାଲୁଶୁଣି ଗାଁର କାର୍ତ୍ତିକ ସିଂ, ରବିନ୍ଦ୍ର ସିଂଙ୍କ ଏକର ଏକର ଧାନବିଲରେ ପଶି କ୍ଷୟକ୍ଷତି କରିବା ସହ ଭୋର ସମୟରେ ନିକଟସ୍ଥ ଜଙ୍ଗଲକୁ ପଳାଉଛନ୍ତି । ଏହି ଘଟଣା ଅନ୍ୟଦିନ ମାନଙ୍କରେ ମଧ୍ୟ ତିନିକୋଷିଆ ସଂରକ୍ଷିତ ଜଙ୍ଗଲକୁ ଲାଗି ରହିଥିବା ବହୁ ଚାଷୀଙ୍କର ଦୈନଦିନର ଘଟଣା ହେଲାଣି । ଫଳରେ ଚାଷ କରିଥିବା ଧାନ ଫସଲ ନଷ୍ଟ ହୋଇଯାଇଛି । ଏନେଇ ଚାଷୀମାନଙ୍କ ଚିନ୍ତା ବଢ଼ିଯାଇଛି । ବହୁକଷ୍ଟ କରି ଚାଷ ପାଇଁ ବୁଆଳି ଆଣି ରୋଇଥିଲେ । ହାତୀ ଦଳିବାରୁ ଧାନ ଫସଲ ନଷ୍ଟ ହୋଇଯାଇଛି । ଫସଲ ଉଜୁଡ଼ିବା ଦେଖି ଦୁଇ ଚାଷୀ ହତାଶ ହୋଇପଡ଼ିଛନ୍ତି । ଧାରକରଜ କରି ବିହନ ଆଣି ବିଲରେ ତଳା ପକାଇବା ସହ ମୂଲ ଖଟାଇ ଚାଷ କରିଥିବା ବେଳେ ଏଭଳି ହାତୀ ଉପଦ୍ରରେ କ୍ଷତି କରି ଦେଇଯାଉଛନ୍ତି । ଚାଷୀମାନେ ନୀଳଗିରି ବନବିଭାଗ ଅଧିକାରୀ ଏବଂ ପ୍ରଶାସନ ନିକଟରେ ତୁରନ୍ତ ତଦନ୍ତ କରି କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ।