ଆସନ୍ତାକାଲି କେନ୍ଦ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ
ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ୍ରେ ଅଦଳବଦଳର କାଉଂଟଡାଉନ୍ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍ର ସମ୍ପ୍ରସାରଣ ବୁଧବାର ସନ୍ଧ୍ୟା ୬ଟା ବେଳେ କରାଯିବ । ପିଏମ୍ ମୋଦିଙ୍କ କ୍ୟାବିନେଟ୍ରେ ନୂଆମୁହଁଙ୍କୁ ସାମିଲ୍ କରାଯିବାର ସମ୍ଭାବନା ରହିଛି । ସୂତ୍ର ଅନୁଯାୟୀ କ୍ୟାବିନେଟ୍ରେ ମୋଟ୍ ୨୫ ନୂଆ ମନ୍ତ୍ରୀଙ୍କୁ ସାମିଲ୍ କରାଯାପାରେ ।
କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ବାସ ଭବନରେ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଚର୍ଚ୍ଚା ମଧ୍ୟରେ ମଙ୍ଗଳବାର ରାଜ୍ୟପାଳଙ୍କ ମାନଙ୍କ କ୍ଷେତ୍ରରେ ବଡଧରଣର ପରିବର୍ତନ ହୋଇଛି । ୮ଟି ରାଜ୍ୟର ରାଜ୍ୟପାଳଙ୍କୁ ମଧ୍ୟ ଅଦଳ ବଦଳ କରାଯାଇଛି । ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ରାଜ୍ୟପାଳ ଭାବେ ଆଜି ନିଯୁକ୍ତି ମିଳିଛି । ଏହି ଅଦଳବଦଳକୁ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ପୂର୍ବର ଏକ ସଂକେତ ବୋଲି କୁହାଯାଇପାରେ । ତେବେ ସମ୍ଭାବ୍ୟ ମନ୍ତ୍ରୀମଣ୍ଡଳ ସଂପ୍ରସାରଣକୁ ନେଇ ଓଡ଼ିଶାରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ଓଡ଼ିଶାରୁ ମଧ୍ୟ ଏଥର ସଂପ୍ରସାରଣରେ ଜଣେ ନୂଆ ଚେହେରା ତଥା ଯୁବ ରାଜ୍ୟସଭା ସାଂସଦଙ୍କୁ ସୁଯୋଗ ମିଳିପାରେ ବୋଲି ରାଜ୍ୟ ବିଜେପି ମହଲରେ ଚର୍ଚ୍ଚା ହେଉଛି । ଅଧୁନା ଓଡ଼ିଶାରୁ କେନ୍ଦ୍ରରେ ଦୁଇଜଣ ମନ୍ତ୍ରୀ ଅଛନ୍ତି । କ୍ୟାବିନେଟ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଦାୟିତ୍ୱ ସମ୍ଭାଳୁଛନ୍ତି । ରାଜ୍ୟସଭାରେ ସଦସ୍ୟଥିବା ଅଶ୍ୱିନ ବୈଷ୍ଣବକୁ ନେଇ ରାଜଧାନୀ ଭୁବନେଶ୍ୱରରେ ଚର୍ଚ୍ଚା ଅଧିକ ଚାଲିଥିବା ଲକ୍ଷ କରାଯାଉଛି । ଏହି ସମ୍ପ୍ରସାରଣରେ ଅଶ୍ୱିନୀ କ୍ୟାବିନେଟ୍ ପାହ୍ୟା ପାଇପାରନ୍ତି ବୋଲି ମଧ୍ୟ ଗୁଞ୍ଜରଣ ହୋଇଛି । ଏହା ବ୍ୟତୀତ ବୈଜୟନ୍ତ ପଣ୍ଡାଙ୍କୁ ନେଇ ମଧ୍ୟ ରାଜଧାନୀରେ ଚର୍ଚ୍ଚା ଚାଲିଛି । ତେବେ କେଉଁ ରାଜ୍ୟରୁ ତାଙ୍କୁ ରାଜ୍ୟସଭାକୁ ପଠାଯିବ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କୁହାଯାଇପାରେ କି ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ୨୮ଟି ମନ୍ତ୍ରୀପଦ ଫାଙ୍କା ଥିବା ବେଳେ ପ୍ରଥମପର୍ଯ୍ୟାୟରେ ୨୦ଜଣ ନୂଆଚେହେରା ସ୍ଥାନ ପାଇପାରନ୍ତି । ଆଗକୁ ଉତରପ୍ରଦେଶ, ପଂଜାବ ସମେତ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଥିବାରୁ ଏହି ସଂପ୍ରସାରଣରେ ଏହାର ପ୍ରତିଛବି ଦେଖିବାକୁ ମିଳିପାରେ । ତେବେ ସବୁଠୁ ବଡକଥା ହେଉଛି କଂଗ୍ରେସ ଛାଡି ଭଜାପାକୁ ଆସିଥିବା ମଧ୍ୟପ୍ରଦେଶର ଟାଣୁଆ ନେତା ଜ୍ୟୋତିରଆଦିତ୍ୟ ସିନ୍ଧିଆ ଆଜି ତାଙ୍କର ଦେବାସ ଗସ୍ତ ବାତିଲ କରି ମହାକାଳ ମନ୍ଦିରରେ ପୂଜାର୍ଚ୍ଚାନ ପରେ ଦିଲ୍ଲୀ ଚାଲିଯାଇଛନ୍ତି । ତେଣୁ ତାଙ୍କୁ ମଧ୍ୟ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇପାରେ । ଏହା ବ୍ୟତୀତ ଆରଏଲ୍ଡି ଦଳର ପାରସ ଗୋଷ୍ଠୀରୁ ଶ୍ରୀ ପାରସଙ୍କୁ ମନ୍ତ୍ରୀ କରିବାପାଇଁ ପ୍ରଧାନମନ୍ତ୍ରୀ ଗ୍ରୀନ୍ ସିଗ୍ନାଲ ଦେଇଛନ୍ତି । ତେଣୁ ଗତକାଲି ତାଙ୍କୁ ପାଟନାର ଏକ ସୋରୁମ୍ ନୂଆ ଜାମା କିଣୁଥିବାର ଦେଖିବାକୁ ମିଳିଥିଲା । ହେଲେ ସେ ଏ ସମ୍ପର୍କରେ ଗଣମାଧ୍ୟମକୁ କହିଥିଲେ କି ‘ରାଜ କୋ ରାଜ ରେହେନେ ଦୋ’ ଅର୍ଥାତ୍ କେନ୍ଦ୍ରମନ୍ତ୍ରୀ ଅମିତ ସାହାଙ୍କ ସହ ହୋଇଥିବା ଆଲୋଚନା ସମ୍ପର୍କରେ ସେ ଗଣମାଧ୍ୟମକୁ କିଛି କହିବାକୁ ଚାହିଁନଥିଲେ । ଏହା ବ୍ୟତୀତ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, ମହରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେ, ପଶ୍ଚିମବଙ୍ଗଳର ନିଶିଥ୍ ପରମାଣିକ, ଆପନାଦଲର ଅନୁପ୍ରିୟା ପଟେଲ, ଭାଜପାର ବରୁଣ ଗାନ୍ଧିଙ୍କୁ ମଧ୍ୟ ଦିଲ୍ଲୀରୁ ଡାକରା ଆସିଛି । ଗୁରୁବାର ସକାଳେ ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।