ଉତ୍ତରାଖଣ୍ଡରେ କାଉଡ଼ି ଯାତ୍ରା ନିଷିଦ୍ଧ

ଡେରାଡୁନ : କରୋନା ଦ୍ୱିତୀୟ ଲହର ଦେଶରେ ପ୍ରସମିତ ହେବାରେ ଲାଗିଛି। ଏଣୁ ରାଜ୍ୟ ସରକାରମାନେ ଜାରି କରିଥିବା କଟକଣା କୋହଳ କଲେଣି। ତେବେ ଉତ୍ତରାଖଣ୍ଡ ସରକାରଙ୍କ ଚାର ଧାମ ଯାତ୍ରା ନିଷ୍ପତ୍ତିରୁ ଶ୍ରାବଣରେ କାଉଡି ଯାତ୍ରା କରୁଥିବା ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି। ହେଲେ ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଶ୍ରାବଣ ମାସରେ କାଉଡି ଯାତ୍ରା ନିଷିଦ୍ଧ ହେବ ବୋଲି ସ୍ପଷ୍ଟ କରିଦେଇଛନ୍ତି।
ଯଦି ଘୋଷଣା ପରେ ବି କୌଣସି ଯାତ୍ରୀ ଶ୍ରାବଣ ମାସରେ କାଉଡି ଯାତ୍ରାରେ ବାହାରନ୍ତି ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିଜି ସତର୍କ କରିଦେଇଛନ୍ତି। ଏ ନେଇ ସେ ୮ଟି ରାଜ୍ୟର ପୋଲିସ ସହ ବୈଠକ କରିଥିବା ସେ କହିଛନ୍ତି। ଏଥିରେ ହରିଦ୍ୱାର ସମେତ ଅନ୍ୟ ସହରକୁ କାଉଡି ଯାତ୍ରାରେ ନ ଆସିବା ଲାଗି କୁହାଯାଇଛି। ପୋଲିସ ଅଧିକାରୀଙ୍କ ସହ ହୋଇଥିବା ବୈଠକରେ ଯଦି କିଏ ଅମାନ୍ୟ କରି କାଉଡି ଯାତ୍ରାରେ ବାହାରେ ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ବୋଲି କହିଛନ୍ତି। ଏହା ସତ୍ତ୍ୱେ ଯଦି କୌଣସି ବ୍ୟକ୍ତି କାଉଡି ଲାଗି ହରିଦ୍ୱାରକୁ ଆସେ ତା ବିରୋଧରେ ମହାମାରୀ ଆକ୍ଟରେ ମୋକଦ୍ଦମା ରୁଜୁ କରାଯିବ। ଏଣୁ ଶ୍ରାବଣ ମାସ ଆରମ୍ଭ ସହ ଉତ୍ତରପ୍ରଦେଶ ଓ ବିହାର ସୀମାକୁ ଲାଗି ରହିଥିବା ଉତ୍ତରାଖଣ୍ଡ ସୀମାକୁ କାଉଡିଆଙ୍କ ଲାଗି ସିଲ କରିଦିଆଯିବ। ହରିଦ୍ୱାର କୁମ୍ଭରୁ ଦେଶରେ କରୋନା ବିସ୍ଫୋରଣ ହୋଇଥିବା କଥା କେହି ଭୁଲି ଯିବା ଉଚିତ ନୁହେଁ ବୋଲି ଡିଜିପି କହିଛନ୍ତି। ଏଣୁ ନିଜର, ପରିବାରର ଓ ରାଜ୍ୟର ସୁରକ୍ଷା ଦୃଷ୍ଟିରୁ ଚଳିତବର୍ଷ ଲୋକେ କାଉଡି ଯାତ୍ରାରୁ ବିରତ ରୁହନ୍ତୁ ବୋଲି ଡିଜିପି ନିବେଦନ କରିଛନ୍ତି।